ଉଚ୍ଚଶିକ୍ଷା ବିଭାଗର ଜବାବ ଦାଖଲ: ‘ୟୁଜିସି ନିୟମ ସଂପୂର୍ଣ୍ଣ ବାଧ୍ୟତାମୂଳକ ନୁ‌ହେଁ’

ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ହାଇକୋର୍ଟରେ ଚାଲେଞ୍ଜ୍‌

ଡେମୋନଷ୍ଟ୍ରେଟର୍‌ଙ୍କ କ୍ଷେତ୍ରରେ ୟୁଜିସି ନିୟମାବଳି ଲାଗୁ ପାଇଁ ନି‌ର୍ଦ୍ଦେଶ 

କଟକ : ୟୁଜିସି ନିୟମାବଳୀ ସଂପୂର୍ଣ୍ଣ ଭାବେ ମାନିବାକୁ ରାଜ୍ୟ ସରକାର ବାଧ୍ୟ ନୁହେଁ। ଶିକ୍ଷାର ମାନଦଣ୍ଡ ସଂକ୍ରାନ୍ତୀୟ ୟୁଜିସି ନିୟମାବଳୀ କେବଳ ବାଧ୍ୟତାମୂଳକ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ୨୦୨୦ (ଓଡ଼ିଶା ୟୁନିଭରସିଟିଜ୍ ଆମେଣ୍ଡ୍‌ମେଣ୍ଟ୍‌ ଆକ୍ଟ୍‌, ୨୦୨୦)କୁ ଚାଲେଞ୍ଜ୍‌ କରି ଦାୟର ମାମଲାରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ ଏପରି ତଥ୍ୟ ଉଲ୍ଲେଖ କରାଯାଇଛି।

୨୦୨୦, ମେ ୧୧ରେ ୟୁଜିସି ପକ୍ଷରୁ ଦାଖଲ ସତ୍ୟପାଠରେ ସ୍ପଷ୍ଟ କରାଯାଇଥିଲା ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ୨୦୨୦ ପ୍ରଣୟନ ବେଳେ ୟୁଜିସି ନିୟମାବଳୀ କଡ଼ାକଡ଼ି ପାଳନ କରାଯାଇ ନାହିଁ। ୟୁଜିସିର ଏପରି ସତ୍ୟପାଠ ଉପରେ ଜବାବ ରଖି ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି ଯେ ସଂଶୋଧିତ ଆଇନର ଧାରା ୬ ଓ ଧାରା ୧୪ ପ୍ରସଙ୍ଗରେ ୟୁଜିସି ପକ୍ଷରୁ ଏପରି କୁହାଯାଇଥିବା ବେଳେ ଅନ୍ୟ ସଂଶୋଧନକୁ କିନ୍ତୁ ବିରୋଧ କରାଯାଇ ନାହିଁ। ଧାରା ୬ କୁଳପତି ଓ ଧାରା ୧୪ ଶିକ୍ଷାଦାନ କରିବାକୁ ଥିବା କର୍ମଚାରୀଙ୍କ ନିଯୁକ୍ତି ପ୍ରସଂଗ ସହିତ ଜଡ଼ିତ।

ଶିକ୍ଷାର ମାନ ପ୍ରସଙ୍ଗରେ ୟୁଜିସି ନିୟମାବଳୀ ବାଧ୍ୟତାମୂଳକ। ତେଣୁ ଶିକ୍ଷାଦାନ କରିବାକୁ ଥିବା କର୍ମଚାରୀଙ୍କ ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ନିୟମାବଳୀ ବାଧ୍ୟତାମୂଳକ। କିନ୍ତୁ ଚୟନ ପ୍ରକ୍ରିୟା ସଂପର୍କିତ ୟୁଜିସି ନିୟମାବଳୀ ବାଧ୍ୟତା ମୂଳକ ନୁହେଁ, କାରଣ ଏହା ଶିକ୍ଷାର ମାନଦଣ୍ଡ ସହିତ ଜଡ଼ିତ ନୁହେଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଛି। ୨୦୧୮, ନଭେମ୍ବର ୯ରେ କୁଳାଧିପତିଙ୍କ ଅନୁମୋଦନ ମିଳିବା ପରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)କୁ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କ୍ଷେତ୍ରରେ ନିଯୁକ୍ତି ପାଇଁ ଦାୟିତ୍ବ ଦିଆଯାଇଥିଲା। ୟୁଜିସି ନିୟମାବଳୀରେ ଥିବା ବ୍ୟବସ୍ଥା ପାଳନ କରି ଓପିଏସ୍‌ସି ନିଯୁକ୍ତି ପ୍ରଦାନ କରିବ। ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ଏହା ସହାୟକ ହେବ।

ସେହିଭଳି ଭାବେ ବିଶ୍ବବିଦ୍ୟାଳୟରେ କୁଳପତିଙ୍କ ନିଯୁକ୍ତି ପ୍ରସଂଗରେ ସଂଶୋଧନ ଅଣାଯାଇ ଏ ସଂପର୍କିତ ଚୟନ କମିଟି ଗଠନରେ ପରିବର୍ତ୍ତନ କରାଯାଇଛି। କିନ୍ତୁ କୁଳପତିଙ୍କ ଲାଗି ରହିଥିବା ଶିକ୍ଷାଗତ ଯୋଗ୍ୟତା ଓ ମାନଦଣ୍ଡରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ଉପସଚିବ ଏସ୍‌ଏନ୍‌ ମହାପାତ୍ରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ରାଜ୍ୟର ବିଶ୍ବବିଦ୍ୟାଳୟଗୁଡିକରେ ଶିକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥାପକ ସଭାର ସ୍ବାଧୀନ କ୍ଷମତା ରହିଛି।

ତେଣୁ ସାମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ବିଶ୍ବବିଦ୍ୟାଳୟ ସଂ‌‌ଶୋଧନ ଆଇନ ପ୍ରଣୟନ କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛନ୍ତି। ଜଷ୍ଟିସ ଏସ୍‌କେ ମିଶ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪କୁ ଧାର୍ଯ୍ୟ କରିଛନ୍ତି। କୁଞ୍ଜବିହାରୀ ପଣ୍ଡା ଓ ଅଜିତ କୁମାର ମହାନ୍ତିଙ୍କ ପକ୍ଷରୁ ଦାୟର ପୃଥକ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ରଦ୍ଦ କରିବାକୁ ହାଇକୋର୍ଟ‌ରେ ଏହି ମାମଲା ଦାୟର ହୋଇଛି। ଆବେଦନକାରୀ ଶ୍ରୀ ପଣ୍ଡାଙ୍କ ତରଫରୁ ଆଇନଜୀବୀ ଈଶ୍ବର ମହାନ୍ତି ଓ ଶ୍ରୀ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe