Hindustan Times
ଭୁବନେଶ୍ବର : ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳାଙ୍କୁ ଯୌନ ନିର୍ଯାତନା ଓ ଜାତିଆଣ ଆକ୍ଷେପ ରୋକିବା ଦିଗରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ୨୦୨୩ ମେ’ ୧୨ରେ ସୁପ୍ରିମ୍କୋର୍ଟଙ୍କ ରାୟ ଆଧାରରେ କ୍ୟାମ୍ପସରେ ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ, କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ ହେବ। ଆଇସିସି ସଦସ୍ୟମାନଙ୍କ ଫୋନ୍ ନମ୍ବର ସହ ଅନ୍ଲାଇନ୍ ଅଭିଯୋଗ, ନୀତି, ନିୟମ, ଅଭ୍ୟନ୍ତରୀଣ ନୀତି ପରି ଅନ୍ୟ ତଥ୍ୟ ଶିକ୍ଷାନୁଷ୍ଠାନ ୱେବ୍ସାଇଟ୍ରେ ଉପଲବ୍ଧ କରାଇବେ। କ୍ୟାମ୍ପସର ପ୍ରମୁଖ ସ୍ଥାନ, ବିଭାଗର ନୋଟିସ୍ ବୋର୍ଡ, ଅଫିସ୍, ହଷ୍ଟେଲ, ପ୍ରେକ୍ଷାଳୟ, କ୍ରୀଡ଼ା ଷ୍ଟାଡିୟମ୍ରେ ଲଗାଇବେ। ବିଲ୍ଡିଂ ନିକଟରେ ଅଭିଯୋଗ ବାକ୍ସ ରହିବ। ଯୌନ ନିର୍ଯାତନା କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକ ଶୂନ୍ୟ ସହନଶୀଳ ନୀତି ଆପଣାଇବେ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ସଚେତନ କରାଇବା ଲାଗି ଆଲୋଚନାଚକ୍ର, ପ୍ରତିଯୋଗିତା, ପ୍ରଦର୍ଶନୀ, ବକ୍ତୃତା, ଫିଲ୍ମ ପ୍ରଦର୍ଶନ ଆଦି କରାଯାଇ ଯୌନ ନିର୍ଯାତନା ସମ୍ପର୍କିତ ନୀତି ନିୟମ ସମ୍ପର୍କରେ ମହିଳା କର୍ମଚାରୀ ଓ ଗ୍ରୁପ୍ମାନଙ୍କୁ ଅବଗତ କରାଇବେ।
ଦେଶର ସମସ୍ତ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜ, ତାଲିମ କେନ୍ଦ୍ର, ଶିକ୍ଷାନୁଷ୍ଠାନ ସମେତ ହସ୍ପିଟାଲ ଓ ନସିଂହୋମ୍ରେ ନିୟମ ଲାଗୁ ହେବ। ଯେତେବେଳେ କୌଣସି ପ୍ରକାର ଅଭିଯୋଗ ଆସିବ କମିଟିର ସଦସ୍ୟମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ। ଯେଉଁଠାରୁ ଅଭିଯୋଗ ଆସିଥିବ ସେଠାକୁ ଯାଇ ତଦନ୍ତ କରିବା ସହ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ। ୨୦୨୨-୨୩ ଶିକ୍ଷାବର୍ଷରେ ଆସିଥିବା ଅଭିଯୋଗ ସମ୍ପର୍କରେ ସମସ୍ତ ତଥ୍ୟ ‘ସକ୍ଷମ’ ପୋର୍ଟାଲ saksham.ugc.ac.in ଓ ଉମଙ୍ଗ ପୋର୍ଟାଲ uamp/ugc.ac.in ମାଧ୍ୟମରେ ଯେତେଶୀଘ୍ର ସମ୍ଭବ ପ୍ରଦାନ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଉଚ୍ଚଶିକ୍ଷାନୁଷ୍ଠାନରେ ଜାତିଆଣା ଆକ୍ଷେପ ରୋକିବାକୁ ୟୁଜିସି ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ୨୦୧୧, ୨୦୧୩, ୨୦୧୬, ୨୦୧୭, ୨୦୧୮, ୨୦୨୦, ୨୦୨୧, ୨୦୨୩ ଏପ୍ରିଲ ୨୪ରେ ୟୁଜିସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତା’ ସତ୍ତ୍ବେ ଅଭିଯୋଗ ଆସୁଥିବାରୁ ଏବେ ପୁଣିଥରେ ତାଗିଦ୍ କରାଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟାପକ, ପ୍ରଫେସରମାନେ ଅନୁସୂଚିତ ଜାତି(ଏସ୍ସି)/ ଅନୁସୂଚିତ ଜନଜାତି(ଏସ୍ଟି) ଛାତ୍ରଛାତ୍ରୀଙ୍କୁ ପକ୍ଷପାତ କରିବା ସହ ଜାତିଆଣ ସମ୍ବୋଧନରୁ ବିରତ ରହିବେ। ବିଶ୍ବବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ଓ କଲେଜ କର୍ତ୍ତୃପକ୍ଷ ନିଜ ୱେବସାଇଟ୍ରେ ଏକ ପେଜ୍ କରିବେ, ଯେଉଁଥିରେ ଏସ୍/ଏସ୍ଟି/ଓବିସି ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ। ବିଶ୍ବବିଦ୍ୟାଳୟ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ମଧ୍ୟ ଅଭିଯୋଗ କରିବାର ବ୍ୟବସ୍ଥା ହେବ। ଯଦି ସେଭଳି କୌଣସି ଅଭିଯୋଗ ଆସେ, ତେବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ତଦନ୍ତ କରି ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।
କୌଣସି ବି ବିଶ୍ବବିଦ୍ୟାଳୟ କିମ୍ବା ଅଧୀନ କଲେଜ/ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଧ୍ୟାପକଙ୍କୁ ଏଭଳି କାର୍ଯ୍ୟ ପାଇଁ ପ୍ରଶୟ ଦେବା ଅନୁଚିତ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏକ କମିଟି ଗଠନ କରିବା ସହ ଏସ୍/ଏସ୍ଟି/ଓବିସି ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା କର୍ମଚାରୀଙ୍କଠାରୁ ଆସିଥିବା ଅଭିଯୋଗର ତଦନ୍ତ ବେଳେ ଯେପରି ପକ୍ଷପାତ ନ ହୁଏ, ସେଥିପ୍ରତି ଗୁରୁତ୍ବ ଦେବେ। ଉକ୍ତ କମିଟିରେ ଏସ୍/ଏସ୍ଟି/ଓବିସି ବର୍ଗର ସଦସ୍ୟ ରହିବା ନିତାନ୍ତ ଆବଶ୍ୟକ। ଜାତିଆଣ ମନ୍ତବ୍ୟ ସମ୍ପର୍କିତ ପକ୍ଷପାତିତା ରୋକିବା ଦିଗରେ ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟଗୁଡ଼ିକ ଅଧୀନ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟରେ ହୋଇଥିବା ଜାତିଆଣ ଆକ୍ଷେପ ସମ୍ପର୍କିତ ତଥ୍ୟ ଜୁନ୍ ୩୦ ସୁଦ୍ଧା ୟୁନିଭର୍ସିଟି ଆକ୍ଟିଭିଟି ମନିଟରିଂ ପୋର୍ଟାଲ(ୟୁଏଏମ୍ପି)ରେ ଦାଖଲ କରିବାକୁ କୁହାଯାଇଛି। ବିଗତ ଦୁଇ ଶିକ୍ଷାବର୍ଷରେ କେତେ ଅଭିଯୋଗ ହୋଇଛି? କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ଆଦି ସମ୍ପର୍କରେ ଅବଗତ କରିବେ।
Follow Us