News Intervention
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଦେଶର ଗରିବ ମାଆ ଓ ଭଉଣୀମାନଙ୍କୁ ଲାଭ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି କେନ୍ଦ୍ର କ୍ୟାବିନେଟ ଦ୍ୱାରା ନିଆଯାଇଥିବା ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଭାରତର କରୋନା ବିରୋଧୀ ମୁକାବିଲାରେ ଗୋଟିଏ ମହତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହୋଇଛି। ଆଜି କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଦେଶର ସାଧାରଣ ଲୋକଙ୍କୁ ଲାଭ ଦେବ ଏବଂ ଗରିବ, ଅସହାୟ ଏବଂ ସୁରକ୍ଷିତ ଲୋକଙ୍କୁ କୋରାନାର ଆର୍ଥିକ ଆହ୍ଵାନ୍କୁ ଦୂର କରିବାରେ ସହାୟକ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସକୁ ମୂଳମନ୍ତ୍ର କରି ପଦକ୍ଷେପ ନେଉଛନ୍ତି ଏବଂ କେନ୍ଦ୍ର କ୍ୟାବିନେଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମାଜର ସମସ୍ତ ବର୍ଗ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ଏବଂ ସମାଗର ସର୍ବତ୍ର ବିକାଶକୁ ନିଶ୍ଚିତ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯିବା ନିଷ୍ପତ୍ତି ମୋଦୀ ସରକାରଙ୍କ ଦୁଃଖ ସମୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ନିରନ୍ତର ସହାୟତା ଯୋଗାଇ ଦେବାର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଯୋଜନା ଅଧୀନରେ ଦେଶର ୮୦କୋଟିରୁ ଊର୍ଧ୍ୱ ଲୋକମାନେ ମାଗଣା ଖାଦ୍ୟାନ୍ନ ପାଇ ପାରିବେ।
ସେହିପରି ଇପିଏଫ କ୍ଷେତ୍ରରେ ସମୟ ସୀମା ଜୁନ୍ରୁ ଅଗଷ୍ଟ ଯାଏଁ ଅର୍ଥାତ ଆହୁରି ୩ମାସ ପାଇଁ ବୃଦ୍ଧି କରାଯାଇଛି। ଯୋଜନା ଅନୁଯାୟୀ ପ୍ରତି ମାସ ଇପିଏଫ୍ରେ ଜମା ହେଉଥିବା କର୍ମଚାରୀଙ୍କ ମାସିକ ଦରମାର ୧୨ ପ୍ରତିଶତ ଅଂଶଧନ ଓ ନିଯୁକ୍ତିଦାତାଙ୍କ ତରଫରୁ ଜମା ହେଉଥିବା ୧୨ପ୍ରତିଶତ ଅଂଶଧନକୁ ମିଶାଇ ସମୁଦାୟ ୨୪ପ୍ରତିଶତ ଅଂଶଧନ ଟଙ୍କାକୁ ଆହୁରି ତିନି ମାସ ପାଇଁ ସରକାର ଜମା କରିବେ। ଏହି ନିଷ୍ପତ୍ତି ୭୨ଲକ୍ଷ କର୍ମଚାରୀଙ୍କୁ ଲାଭ ଦେବ ଏବଂ ସେମାନଙ୍କ ଆର୍ଥିକ ସମସ୍ୟାକୁ ଦୂର କରିବ।
Follow Us