ସହରତଳି ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ‘ମହୁରୀ କାଳୁଆ’

ବଢ଼ୁଛି ଅସାଧୁ କାର୍ଯ୍ୟକଳାପ, ଥାନା ୨୩କିମି ଦୂର, ନିୟମିତ ହେଉନି ପାଟ୍ରୋଲିଂ, ପର୍ଯ୍ୟଟକଙ୍କୁ ସୁରକ୍ଷା ଚିନ୍ତା

ସହରତଳି ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ‘ମହୁରୀ କାଳୁଆ’
ବ୍ରହ୍ମପୁର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମହୁରୀ ରାଜାଙ୍କ ଆରାଧ୍ୟା ମା’ ମହୁରୀ କାଳୁଆଙ୍କ ପୀଠ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।  ଏହି ପୀଠରେ ମା’ଙ୍କୁ ଦର୍ଶନ କରି ଆଶିଷ ଲାଭ ଏବଂ ମାନସିକ ପୂଜା ପାଇଁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ପୁଣି ପରିବାର ଓ ବନ୍ଧୁ ପରିଜନଙ୍କ ସହ ଆସି ବଣଭୋଜିର ମଜା ଉଠାଇ ପାଇଁ ଏହା ଏକ ପ୍ରକୃଷ୍ଠ ସ୍ଥାନ। ଏଥିସହ କେହିକେହି ପାହାଡ଼ ଚଢ଼ି ମା’ଙ୍କ ମୂଳ ପୀଠରେ ପହଁଚିବା, ସେଠାରେ ପାହାଡ଼ ଶିଖରରୁ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆଗଭର ହୋଇଥାନ୍ତି। ଏଥିପାଇଁ ପ୍ରାୟ ୫ଶହ ପାହାଚ ମଧ୍ୟ ହୋଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ପୀଠରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ କୋଳାହଳ ବର୍ଷସାରା ଦେଖିବାକୁ ମିଳିଥାଏ। ଗଂଜାମ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ମା’ ମହୁରୀ କାଳୁଆଙ୍କ ପୀଠ ସ୍ଥାନୀତ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକଙ୍କ ଏଠାରେ ପାଦ ପଡ଼ିନଥିଲେ ମଧ୍ୟ ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେଉଥିବା ପର୍ଯ୍ୟଟନ ବିଭାଗର ତଥ୍ୟରୁ ଜଣାପଡ଼ୁଛି। କିନ୍ତୁ ସେମାନଙ୍କ ସୁରକ୍ଷା ପାଇଁ ନାଁ ପର୍ଯ୍ୟଟନ ବିଭାଗ, ନାଁ  ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ୨୩କିମି ଦୂରରେ ଥିବା ଦିଗପହଣ୍ଡି ଥାନା ଅଧୀନରେ ଏହି ପୀଠଟି ଥିବା ବେଳେ ଆଖାପାଖରେ  ମଧ୍ୟ କୌଣସି ଫାଣ୍ଡି ନାହିଁ। ପୁଲିସ ପକ୍ଷରୁ ମଧ୍ୟ ନିୟମିତ ପାଟ୍ରୋଲିଂ ହେଉନାହିଁ।  ଫଳରେ ଏଠାରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଥିବା ସୂଚନା ମିଳିଛି। ଯାହାକୁ ନେଇ ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ଚାରି ଦିନ ତଳେ ଦେଖିବାକୁ ମିଳିଥିଲା।publive-image
କରୋନା ମହାମରୀର ପ୍ରଭାବ ଅନୁଧ୍ୟାନ କରିବା ପାଇଁ ଆମେ ପହଁଚିଥିଲୁ ସହର ଉପଖଣ୍ଡରେ ଥିବା ଏହି ପର୍ଯ୍ୟଟନସ୍ଥଳୀରେ। ମା’ଙ୍କ ମନ୍ଦିର ମୁଖ୍ୟ ଫାଟକରେ ତାଲା ଝୁଲୁଥିଲା। ହାତ ଗଣତି କେତେକ ପୂଜା ସାମଗ୍ରୀ ଦୋକାନ ଖୋଲା ହୋଇଥିଲେ ମଧ୍ୟ ବିକ୍ରିବଟା ବିଶେଷ ନଥିଲା। କେହିକେହି ଶ୍ରଦ୍ଧାଳୁ ମନ୍ଦିର ବାହାରେ ରହି ପୂଜା ଓ ଭୋଗ ସାମଗ୍ରୀ ଭିତରେ ଥିବା ପୂଜକଙ୍କୁ ବଢ଼ାଇ ଦେଉଥିଲେ। ପୂର୍ବଭଳି ଅଧିକ ମାତ୍ରାରେ  ନହେଲେ ମଧ୍ୟ କାଁଭାଁ କେତୋଟି ସ୍ଥାନରେ ଭୋଜିଭାତର ଆୟୋଜନ ଚାଲିଥିଲା। ହଠାତ୍ ଜଣେ ମହିଳା କାନ୍ଦକାନ୍ଦ ହୋଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କିଛି କହୁଥିବା ଶୁଣିବାକୁ ମିଳିଲା। ଖବର ନେବାରୁ ଜଣାପଡ଼ିଲା ମାନସିକ ପୂଜା ପାଇଁ ସେହି ମହିଳା ପରିବାରଲୋକଙ୍କ ସହ ଏକ ଅଟୋ ଭଡ଼ା କରି ଗୋକର୍ଣ୍ଣପୂରରୁ ଏହି  ପୀଠକୁ ଆସିଥିଲେ। ଅଟୋଚାଳକ ଜଣକ ସେମାନଙ୍କୁ ମନ୍ଦିର ନିକଟରେ ଛାଡ଼ି ‌ଶୌଚ ହେବାପାଇଁ କିଛି ଦୂରରେ ଥିବା ଏକ ବନ୍ଧ ନିକଟକୁ ଯାଇଥିଲେ। ଶୌଚ ସ୍ନାନ ଶେଷ କରି ପୋଷାକ ପିନ୍ଧୁଥିବା ବେଳେ ସେଠାରେ ଦୁଇଟି ବାଇକ୍‌ରେ ୪ଜଣ ଦୁର୍ବୃତ୍ତ ପହଁଚିଥିଲେ। ତାଙ୍କୁ କାବୁ କରି ନେଇ ବନ୍ଧରେ ବୁଢ଼ାଇ ମୋବାଇଲ୍ ଛଡ଼େଇ ନେଇଥିଲେ। ପକେଟରେ କିଛି ପଇସା ନଥିବାରୁ ତା’କୁ ଫୋପାଡ଼ି ଦେଇ ଫେରାର୍‌ ହୋଇଯାଇଥିଲେ।    ସମ୍ପୃକ୍ତ ଅଟୋଚାଳକଙ୍କୁ ଭେଟିବା‌ବେଳେ ତାଙ୍କ ପ୍ୟାଣ୍ଟ ଓଦା ଥିଲା। ସେ ଉପରୋକ୍ତ ଘଟଣା ବର୍ଣ୍ଣନା କରିବା ସହ ଭୟଭୀତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲେ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଭଳି ଲୁଟ୍‌ ଏବଂ ଚୋରି ଘଟଣା ଏହି ଅଂଚଳରେ ନୂଆ ନୁହେଁ। ଏହି ପର୍ଯ୍ୟଟନସ୍ଥଳୀଟି ପ୍ରାୟ ୨୩କିମି ଦୂର ଦିଗପହଣ୍ଡି ଥାନା ଅଧୀନରେ ରହିଛି। ଯାହାର ସୁଯୋଗ ନେଇ ଏଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏପରିକି ଏକ ଲୁଟେରା ଗ୍ୟାଙ୍ଗ ମଧ୍ୟ ସକ୍ରୀୟ ଅଛନ୍ତି। ଏହାର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଛକି ରହି ପର୍ଯ୍ୟଟକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସୁଯୋଗ ଅପେକ୍ଷାରେ ଥାଆନ୍ତି। ବିଶେଷକରି କଲେଜ ଛାତ୍ରଛାତ୍ରୀଙ୍କୁ ଏମାନେ ଟାର୍ଗେଟ କରିଥାନ୍ତି। କାରଣ ‌ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୁଚିଛପି ମନୋରଂଜନ ପାଇଁ ଏଠାକୁ ଆସିଥାନ୍ତି। ଚୋରି ଲୁଟ୍‌ର ଶିକାର ହେଲେ ମଧ୍ୟ ଅଭିଯୋଗ କରିବାକୁ ପଚଘୁଞ୍ଚା ଦେଇଥାନ୍ତି। କିଛି ବର୍ଷ ତଳେ ଏସମ୍ପର୍କରେ  ଖବର ପାଇ ଦିଗପହଣ୍ଡି ପୁଲିସ୍‌ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିଲା। ଫଳରେ ସ୍ଥିତିରେ ସୁଧାର ଆସିଥିଲା। ଏବେ ପୁଣି ପୁଲିସର ନିଷ୍କ୍ରିୟତା ଯୋଗୁଁ ସେହି ଗ୍ୟାଙ୍ଗ ସକ୍ରୀୟ ହୋଇ ଉଠିଥିବା ଅନୁମାନ କରାଯାଉଛି। ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଏକ ଫାଣ୍ଡି ସ୍ଥାପନ ହେବାର ଆବଶ୍ୟକତା ଅଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe