ବାଂଲାଦେଶୀଙ୍କ ରାସନ୍ କାର୍ଡ କାଟିପାରୁ ନାହାନ୍ତି: ଇ-କେୱାଇସିରେ ବି ଧରିପାରିଲେନି

ଗତ ନଭେମ୍ବର ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ବାଂଲାଦେଶୀ ନାଗରିକମାନେ ତଞ୍ଚକତା କରି ରାସନ୍ କାର୍ଡ ହାତେଇଛନ୍ତି। ସବୁ ବାଂଲାଦେଶୀ ନାଗରିକଙ୍କ ରାସନ୍ କାର୍ଡ କଟିବ।

ration card 78

ଭୁବନେଶ୍ବର: ଗତ ନଭେମ୍ବର ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ବାଂଲାଦେଶୀ ନାଗରିକମାନେ ତଞ୍ଚକତା କରି ରାସନ୍ କାର୍ଡ ହାତେଇଛନ୍ତି। ସବୁ ବାଂଲାଦେଶୀ ନାଗରିକଙ୍କ ରାସନ୍ କାର୍ଡ କଟିବ। ଯିଏ ଭାରତୀୟ ନୁହେଁ, ତାଙ୍କୁ କାହିଁକି ରାସନ୍ କାର୍ଡ ଦିଆଯିବ?  ବାଂଲାଦେଶୀଙ୍କ ରାସନ୍‌ କାର୍ଡ କାଟିବାକୁ ଯୋଗାଣ ମନ୍ତ୍ରୀ ୫ମାସ ହେଲା ନିର୍ଦ୍ଦେଶ ଦେଲେଣି। କିନ୍ତୁ କାହାର ବି ରାସନ୍ କାର୍ଡ କଟାଯାଇ ପାରୁନି। କାରଣ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ଲକ୍ଷାଧିକ ବାଂଲାଦେଶୀଙ୍କୁ ରାଜ୍ୟ ସରକାର ବିଦେଶୀ ନାଗରିକ ବୋଲି ପ୍ରମାଣିତ କରିପାରୁ ନାହାନ୍ତି। ସେମାନେ ଭାରତର ସ୍ଥାୟୀ ନାଗରିକ ବୋଲି ସବୁ ପ୍ରମାଣ ଧରିକି ବସିଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଏବେ ରାଜ୍ୟରେ ପ୍ରାୟ ୧,୫୭,୪୩୨ ଜଣ ବାଂଲାଦେଶୀ ବିଭିନ୍ନ ଜିଲ୍ଲାରେ ବାସ କରୁଛନ୍ତି। ଏଥିରୁ ସବୁଠୁ ଅଧିକ ମାଲକାନଗିରିରେ ୧,୦୪,୨୩୩ଜଣ, ନବରଙ୍ଗପୁରରେ ୪୬,୮୪୮ଜଣ, କୋରାପୁଟରେ ୪୬୫୩ଜଣ ବାଂଲାଦେଶୀ ବସବାସ କରୁଛନ୍ତି। ବାସ୍ତବରେ ଏହି ସଂଖ୍ୟା ବହୁତ ଅଧିକ। କାରଣ ଏବେ ସବୁ ଜିଲ୍ଲାରେ, ବିଶେଷକରି ଉପକୂଳ ଓଡ଼ିଶାରେ ବାଂଲାଦେଶୀ ଭର୍ତ୍ତି ହୋଇଗଲେଣି। କାମ ଅନ୍ବେଷଣରେ ଓଡ଼ିଶା ଆସିଥିବା ବାଂଲାଦେଶୀ ଆଧାର କାର୍ଡ, ଭୋଟର ପରିଚୟପତ୍ର ସବୁ ହାତେଇ ନେଇଛନ୍ତି। ଏଠାରେ ଘର, ଜମି କିଣି ସ୍ଥାୟୀ ବାସିନ୍ଦା ଭଳି ରହୁଛନ୍ତି। ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାସନ୍ କାର୍ଡ ତଥ୍ୟାବଳୀରେ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇ ରହିଛି।

ବିଦେଶୀ ବୋଲି ପ୍ରମାଣିତ କରିପାରୁ ନାହାନ୍ତି
ଇ-କେୱାଇସିରେ ବି ଧରିପାରିଲେନି

ରାସନ୍ କାର୍ଡରେ ଥିବା ଜନସଂଖ୍ୟା ତତ୍ତ୍ବ ସହ ଆଧାର ତଥ୍ୟାବଳୀରେ ଜନସଂଖ୍ୟା ତତ୍ତ୍ବ ସହ ମେଳ କରାଯାଇଛି। କିନ୍ତୁ ଆଧାର ତଥ୍ୟାବଳୀରେ ଥିବା ଜନସଂଖ୍ୟା ତତ୍ତ୍ବ, ଓଡ଼ିଶା କିମ୍ବା ଭାରତର ସ୍ଥାୟୀ ବାସିନ୍ଦା ହେବାର ପ୍ରମାଣ ଦେଉଥିବାରୁ ଏବଂ ରାସନ୍‌ କାର୍ଡରେ ଥିବା ଜନସଂଖ୍ୟା ତତ୍ତ୍ବ ସହ ଏହା ମେଳ ଖାଉଥିବାରୁ ଜଣେ ହିତାଧିକାରୀଙ୍କୁ ବିଦେଶୀ ନାଗରିକ ବୋଲି ପ୍ରମାଣିତ କରିବା କଷ୍ଟକର ହୋଇପଡ଼ୁଛି। କେବଳ ଏତିକି ନୁହେଁ, ଇ-କେୱାଇସି ଯାଞ୍ଚ ପ୍ରକ୍ରିୟାରେ ଆମେ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବୁ ବୋଲି ଭାବିଥିଲୁ। ହେଲେ ଏହି ଇ-କେୱାଇସି ପ୍ରକ୍ରିୟାରେ ଆଇରିସ୍ କିମ୍ବା ଫିଙ୍ଗରପ୍ରିଣ୍ଟ ସ୍କାନର ଜରିଆରେ ହିତାଧିକାରୀଙ୍କ ସଦ୍ୟ ବାୟୋମେଟ୍ରିକ ଚିହ୍ନ, ଆଧାର ତଥ୍ୟାବଳୀ ସାଙ୍ଗରେ ମେଳ କରିବା ଏକ ପ୍ରକ୍ରିୟା ମାତ୍ର। ତେଣୁ ଏହାଦ୍ବାରା ବିଦେଶୀ ନାଗରିକ ଚିହ୍ନିବା ସମ୍ଭବପର ନୁହେଁ। ଏସବୁ ବାଦ୍ ବହୁ ସ୍ଥାନରେ ବାଂଲାଦେଶୀ କୁହାଯାଉଥିବା ଲୋକଙ୍କ ନିକଟରେ ବହୁ ବର୍ଷ ପୁରୁଣା ଜମି ରେକର୍ଡ ରହିଥିବା ଦେଖିବାକୁ ମିଳୁଛି। ତେଣୁ ସେମାନଙ୍କର କାର୍ଡ କାଟିବା ନେଇ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନି।

ସେହିପରି ନିକଟରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟରୁ ଜଣାପଡ଼ିଛି ‌େଯ ରାଜ୍ୟରେ ଏବେ ସୁଦ୍ଧା ୩୭୩୮ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭଦ୍ରକରେ ୧୯୯ଜଣ, କେନ୍ଦ୍ରାପଡ଼ାରେ ୧୬୪୯, ଭୁବନେଶ୍ବରରେ ୧୭, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫, ନବରଙ୍ଗପୁରରେ ୧୦୬ଜଣ ବସବାସ କରୁଛନ୍ତି। ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଲକ, ପୁଲିସ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରି ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କୁ ବାଂଲାଦେଶ ପଠାଇବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe