ସିକିର୍ଡି ନିକଟରେ ଆବର୍ଜନାର ପାହାଡ଼ : ଧୂଆଁ ଓ ପ୍ରଦୂଷଣରେ ଗ୍ରାମବାସୀ ଅତିଷ୍ଠ

ସିକିର୍ଡି ନିକଟରେ ଆବର୍ଜନାର ପାହାଡ଼ : ଧୂଆଁ ଓ ପ୍ରଦୂଷଣରେ ଗ୍ରାମବାସୀ ଅତିଷ୍ଠ

ସମ୍ବଲପୁର : ଏହା ଦିଲ୍ଲୀର ଗାଜିପୁର ବା କୌଣସି ବଡ଼ ସହରର ଡମ୍ପିଂ ୟାର୍ଡ ନୁହେଁ। ସମ୍ବଲପୁର, ବୁର୍ଲା ଭଳି ସହରର ଆବର୍ଜନା ପକା ଯାଉଥିବା ଏକ ଅଘୋଷିତ ଡମ୍ପିଂ ୟାର୍ଡ। କିନ୍ତୁ ଆବାସିକ ଅଞ୍ଚଳର ୫୦୦ ମିଟର୍‌ରୁ କମ୍ ବ୍ୟବଧାନରେ ଥିବା ଏହି ବେଆଇନ୍ ଡମ୍ପିଂ ୟାର୍ଡ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି। ସମ୍ବଲପୁର ମହାନଗରର ୧ ନମ୍ବର ୱାର୍ଡ ଏବେ ପାଲଟିଛି ଡମ୍ପିଂ ୟାର୍ଡ। ୫୩ ନମ୍ବର ଜାତୀୟ ରାଜପଥରୁ ସିକିର୍ଡି ଗ୍ରାମକୁ ଯାଇଥିବା ରାସ୍ତାର ଦୁଇ କଡ଼ରେ ପ୍ରତି ଦିନ ମହାନଗର ଅଞ୍ଚଳରୁ ବାହାରୁଥିବା ଶହଶହ ଟନ୍‌ ଆବର୍ଜନାକୁ ନେଇ ଗଦା କରି ଦିଆଯାଉଛି। କେବଳ ଆବର୍ଜନା ଗଦା କରାଯାଉ ନାହିଁ, ସେଥିରେ ନିଆଁ ବି ଲଗାଇ ଦିଆଯାଇଛି। ସିକିର୍ଡି ଗାଁକୁ ଲାଗି ଥିବା ପ୍ରାୟ ୫୦୦ ମିଟର୍‌ ବ୍ୟାସାର୍ଧ ବିଶିଷ୍ଟ ଗୋଚର ଅଞ୍ଚଳରେ ଆବର୍ଜନା ଢଳାଯାଉଛି। ପ୍ରତି ଦିନ ୧୦ରୁ ଅଧିକ ହାଇୱା ଗାଡ଼ି ଯାଇ ସେଠି ଆବର୍ଜନା ଅଜାଡ଼ୁଛନ୍ତି। ଆବର୍ଜନାରେ ନର୍ଦମାରୁ ବାହାରୁ ଥିବା କଠିନ ମଇଳାଠୁ ଆରମ୍ଭ କରି ଜୀବଜନ୍ତୁଙ୍କ ପଚାଶଢ଼ା ଶବ ସବୁ ରହୁଛି। ଏହି ଆବର୍ଜନାର ପାହାଡ଼ରେ ସବୁବେଳେ ନିଆଁ ଲାଗି ରହୁଥିବାରୁ ୨୪ ଘଣ୍ଟା ଧୂଆଁ ଉଠୁଛି। ଫଳରେ ନିକଟରେ ଥିବା ସିକିର୍ଡି ଓ ବ‌ଇଜାମୁଣ୍ଡା ଗ୍ରାମବାସୀ ଅତିଷ୍ଟ ହୋଇ ପଡ଼ିଛନ୍ତି।

publive-image

ଏସ୍‌ଏମ୍‌ସି ୧ ନମ୍ବର ୱାର୍ଡ ଅନ୍ତର୍ଗତ ସିକିର୍ଡିର ଇନ୍ଦିରା କଲୋନି, ବାହାଡ଼ାପଡ଼ା, ଟାଙ୍ଗରପାଲି, ହେଡ୍‌‌ ରେଗୁଲେଟର୍‌ କଲୋନି ଆଦିର ଲୋକେ ଆବର୍ଜନାର ଦୁର୍ଗନ୍ଧ ଓ ଧୂଆଁରେ ଅଣନିଃଶ୍ବାସୀ ହୋଇ ରହୁଛନ୍ତି। ଯଦି ଆବର୍ଜନା କୁଢ଼ ପଟୁ ଗାଁ ଆଡ଼କୁ ପବନ ବହିଲା ତାହେଲେ ସେମାନେ ଝରକା, କବାଟ କିଳିଲେ ବି ଧୂଆଁ ଘରକୁ ପଶି ଯାଉଥିବା ଅଭିଯୋଗ ହୁଏ। ଗୋଟିଏ ପଟେ ଆର୍ବଜନା କୁଢ଼ରୁ ପ୍ରଚୁର ଧୂଆଁ ବାହାରୁ ଥିଲା ବେଳେ ଅପରପାର୍ଶ୍ବରେ ରାଠି ଷ୍ଟିଲ୍‌ର କଳା ବହଳିଆ ଧୂଆଁ ଉକ୍ତ ଶାନ୍ତିପୂର୍ଣ୍ଣ ଗ୍ରାମାଞ୍ଚଳକୁ ପ୍ରଦୂଷିତ କରି ଦେଇଛି। ଏନେଇ ଗ୍ରାମବାସୀ ଏକାଧିକ ବାର ମହାନଗର ନିଗମରେ ଅଭିଯୋଗ କରିଥିଲେ ବି କିଛି ଲାଭ ମିଳୁନି। ପ୍ରତିବାଦରେ ସେମାନେ ଥରେ ଅଧେ ରାସ୍ତାରୋକ ବି କରିଥିଲେ। କିନ୍ତୁ ଆବର୍ଜନା ପକାଉଥିବା ଠିକାଦାର ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଧମକଚମକ ଦେଇ ପ୍ରସଂଗକୁ ଦବାଇ ଦେଉଥିବା ଅଭିଯୋଗ ହେଉଛି। ଏହା ଉପରେ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe