ଅଘୋଷିତ ବିଦ୍ୟୁତ କାଟ୍‌: ମହମବତି ଆଲୁଅରେ ପରୀକ୍ଷା

ଅଘୋଷିତ ବିଦ୍ୟୁତ କାଟ୍‌: ମହମବତି ଆଲୁଅରେ ପରୀକ୍ଷା

ପୁରୀ: ଅଘୋଷିତ ବିଦ୍ୟୁତ୍‌ କାଟ ପାଇଁ ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି। ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେବା ଫଳରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହମବତି ଜଳାଇ ପରୀକ୍ଷା ଦେଇଛନ୍ତି। ପୁରୀ ସଦର ବ୍ଲକ୍‌ର ଅଧିକାଂଶ ବିଦ୍ୟାଳୟରେ ଆଜି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗତ ୧୫ ତାରିଖରୁ ସାରା ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ ସମାପ୍ତିସୂଚକ ମୂଲ୍ୟାୟନ-୨(ବାର୍ଷିକ ପରୀକ୍ଷା) ଆରମ୍ଭ ହୋଇଥିଲା। ଆଜି ଥିଲା ଶେଷ ପରୀକ୍ଷା। ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆଜି ପ୍ରଥମ ସିଟିଂରେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ଦେଇଥିଲେ। ଦ୍ବିତୀୟ ସିଟିଂରେ ସକାଳ ସାଢ଼େ ୯ଟାରୁ ପୂର୍ବାହ୍‌ଣ ସାଢ଼େ ୧୧ଟା ପର୍ଯ୍ୟନ୍ତ ଷଷ୍ଠରୁ ଅଷ୍ଟମ ପିଲାମାନଙ୍କର ସଂସ୍କୃତ ପରୀକ୍ଷା ହୋଇଥିଲା। ତେବେ ସକାଳୁ ବର୍ଷା ଓ କୋହଲା ପାଗ ଯୋଗୁ ପରୀକ୍ଷା ହଲ୍‌ ଆଲୋକିତ େହବା ପାଇଁ ବିଦ୍ୟୁତ୍‌ର ଆବଶ୍ୟକତା ଥିଲା। ସେପଟେ ବର୍ଷା ହେଉଥିବାରୁ ପିଲାମାନେ ବାହାରେ ବସି ପରୀକ୍ଷା ଦେବା ବି ସମ୍ଭବପର ନ ଥିଲା, ବିଦ୍ୟୁତ୍‌ ନ ଥିବାରୁ ପିଲାମାନେ ଆଜି ଡିବିରି ଓ ମହମବତି ଜଳାଇ ପରୀକ୍ଷା ଦେଇଛନ୍ତି। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଗତକାଲି ରାତିରୁ ବିଦ୍ୟୁତ୍‌ କାଟ ହୋଇଥିଲା। ଆଜି ସକାଳ ପର୍ଯ୍ୟନ୍ତ ବି ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନଥିଲା। ଫଳରେ ପୁରୀ ସଦର ବ୍ଲକ୍‌ର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା। ଅନ୍ଧକାର ଭିତରେ ଡିବି, ମହମବତି ଜାଳି ପିଲାମାନେ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe