ଅନିଶ୍ଚିତତାରେ ଭୁବନେଶ୍ବର ରେଳ ଷ୍ଟେସନ୍‌ର ଉନ୍ନତୀକରଣ, ମଲ୍ଟିମୋଡାଲ୍‌ ହବ୍ ସ୍ବପ୍ନରେ ରହିଯିବ!

Advertisment

୪୫୫ କୋଟି ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଅମଙ୍ଗ, ରେଳ ମନ୍ତ୍ରଣାଳୟ ଅର୍ଥ ଦେଲେ ପ୍ରକଳ୍ପ ଆଗେଇବ

୪୫୫ କୋଟି ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଅମଙ୍ଗ, ରେଳ ମନ୍ତ୍ରଣାଳୟ ଅର୍ଥ ଦେଲେ ପ୍ରକଳ୍ପ ଆଗେଇବ

ଅନିଶ୍ଚିତତାରେ ଭୁବନେଶ୍ବର ରେଳ ଷ୍ଟେସନ୍‌ର ଉନ୍ନତୀକରଣ, ମଲ୍ଟିମୋଡାଲ୍‌ ହବ୍ ସ୍ବପ୍ନରେ ରହିଯିବ!

ଭୁବନେଶ୍ବର: ରାଜଧାନୀର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ରେଳ ଷ୍ଟେସନ୍ ମଲ୍‌ଟିମୋଡାଲ୍‌ ହବ୍’ ଏବଂ ସବୁଠୁ ବଡ଼ ପିପିପି ପ୍ରକଳ୍ପ ‘ଭୁବନେଶ୍ବର ଟାଉନ୍ ସେଣ୍ଟର’ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ଏହି ଦୁଇଟି ପ୍ରକଳ୍ପ ହେବାକୁ ଥିବାବେଳେ ଏଥିରେ ଏବେ ଅର୍ଥ ଓ ନିବେଶ ବାଧକ ସାଜିଛି। ଯେଉଁଥିପାଇଁ ରାଜ୍ୟ ସରକାର ଭୁବନେଶ୍ବର ରେଳ ଷ୍ଟେସନ୍‌କୁ ବିଦେଶ ଢାଞ୍ଚାରେ ପୁନଃନିର୍ମାଣ କରିବାକୁ ଯେଉଁ ସ୍ବପ୍ନ ଦେଖାଇଥିଲେ ତାହା ଏବେ ସ୍ବପ୍ନରେ ରହିଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ଏହି ପ୍ରକଳ୍ପ ଏବେ ଆଦୌ ହେବ କି ନାହିଁ ତାହା ମଧ୍ୟ ସ୍ଥିର ହୋଇପାରୁନି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ରାଜ୍ୟ ସରକାରଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଦୁଇଟି ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା। ଏଥିରେ ୪୫୫କୋଟି ଟଙ୍କାରେ ଇପିସି (ଇଞ୍ଜିନିୟରିଂ, ପ୍ରୋକ୍ୟୁରମେଣ୍ଟ ଏବଂ କନଷ୍ଟ୍ରକସନ୍) ମୋଡ୍‌ରେ ହେବାକୁ ଥିବା ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍ ଏବଂ ପିପିପି (ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍) ମୋଡ୍‌ରେ ହେବାକୁ ଥିବା ପ୍ରାୟ ୬୨୫କୋଟି ଟଙ୍କାର ଭୁବନେଶ୍ବର ଟାଉନ୍ ସେଣ୍ଟର ବା ଆଇକନିକ୍ ବିଲଡିଂ ନେଇ ଆଲୋଚନା ହୋଇଥିଲା। ଦୁଇଟି ଯାକ ପ୍ରକଳ୍ପ ପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇଥିଲେ ହେଁ ଟେଣ୍ଡର ହୋଇପାରୁନି। ଏହି ଦୁଇଟି ପ୍ରକଳ୍ପ ଦାୟିତ୍ବରେ ଥିବା ବିଡିଏକୁ ଏ ନେଇ ପଚାରିବାରୁ ବିଡିଏ କର୍ତ୍ତୃପକ୍ଷ ଏତେ ଅର୍ଥ ‌ଖର୍ଚ୍ଚ କରିପାରିବେନି ବୋଲି କହିଛନ୍ତି। ଏପରିକି ରାଜ୍ୟ ସରକାର ବର୍ତ୍ତମାନ ପରିସ୍ଥିତିରେ ମଲ୍ଟିମୋଡାଲ୍ ହବ୍ ପାଇଁ ୪୫୫କୋଟି ଟଙ୍କା ଖର୍ଚ୍ଚ କରିବା ସପକ୍ଷରେ ନାହାନ୍ତି। ତେଣୁ କିପରି ଏହି ପ୍ରକଳ୍ପ ନିର୍ମାଣ ହେବ ସେ ନେଇ ବହୁ ବିଚାରବିମର୍ଶ ହୋଇଛି। ଏଥିରେ ଆପାତତଃ ନିଷ୍ପତ୍ତି ହୋଇଛି ଯେ ରେଳ ଷ୍ଟେସନ୍ ମଲ୍ଟିମୋଡାଲ୍‌ ହବ୍ ରାଜ୍ୟ ସରକାରଙ୍କ ଜମିରେ ନିର୍ମାଣ ହେବ। ଏଠାରେ ନୂଆ ଷ୍ଟେସନ୍ ବିଲଡିଂ ହେବା ସହ ଦୁଇଟି ପ୍ଲାଟଫର୍ମ ଏବଂ ରେଳ ଷ୍ଟେସନର ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହେବ। ରାଜ୍ୟ ସରକାରଙ୍କ ଜମିରେ ନିର୍ମାଣ ହେବାକୁ ଥିବା ଏହି ୭ମହଲା ବିଶିଷ୍ଟ କୋଠାର ପ୍ରଥମ ତିନି ମହଲାରୁ ୧ଲକ୍ଷ ୩୭ହଜାର ୩୨୬ ବର୍ଗଫୁଟ ଅଞ୍ଚଳ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ଦିଆଯିବ।

ପୂର୍ବରୁ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ଏମ୍‌ଓୟୁ ଅନୁଯାୟୀ, ରେଳ ମନ୍ତ୍ରଣାଳୟକୁ ରାଜ୍ୟ ସରକାର ଆବଶ୍ୟକ ନିର୍ମାଣ ଅଞ୍ଚଳ ଯୋଗାଇ ଦେବାକୁ ରାଜି ଅଛନ୍ତି। ହେଲେ ଏହି କୋଠା ନିର୍ମାଣ କରିବାକୁ ଏବେ ରାଜି ନାହାନ୍ତି। ଯଦି ରେଳ ମନ୍ତ୍ରଣାଳୟ ନିର୍ମାଣ ଖର୍ଚ୍ଚ ଦେବ, ତେବେ ଏହି କୋଠା ନିର୍ମାଣ ହେବ। ନଚେତ୍ ରାଜ୍ୟ ସରକାରଙ୍କ ପାଖରେ ଯେତେବେଳେ ଅର୍ଥ ହେବ ସେତେବେଳେ ଏହି ‌ମଲ୍ଟିମୋଡାଲ୍ ହବ୍ ନିର୍ମାଣ ହେବ। ଏଭଳି ପରିସ୍ଥିତିରେ ଯଦି ରାଜ୍ୟ ସରକାର ଏହି ପ୍ରକଳ୍ପରୁ ଅର୍ଥ ପାଇଁ ଓହରି ଯାଆନ୍ତି; ତେବେ ଭୁବନେଶ୍ବର ରେଳ ଷ୍ଟେସନର ସମ୍ପ୍ରସାରଣ ହୋଇପାରିବନି। ଏପରିକି ଆଉ ଦୁଇଟି ପ୍ଲାଟଫର୍ମ ସମ୍ପ୍ରସାରଣ ଏବଂ ଦୁଇଟି ‌ରେଳ ଲାଇନ୍ ସମ୍ପ୍ରସାରଣ ନେଇ ଯେଉଁ ଯୋଜନା ଅଛି ତାହା ବି ହୋଇପାରିବନି। ଏପରିକି ଅତ୍ୟାଧୁନିକ ଷ୍ଟେସନ୍ ଟର୍ମିନାଲ୍ ମଧ୍ୟ ହୋଇପାରିବନି। ତେଣୁ ରେଳ ମନ୍ତ୍ରଣାଳୟ ସହଯୋଗର ହାତ ବଢ଼ାଇଲେ ହିଁ ରେଳ ଷ୍ଟେସନ୍ ମଲ୍ଟିମୋଡାଲ୍‌ ହବ୍ ଯୋଜନା ରୂପ ପାଇବ।

୬୨୫କୋଟିର ପିପିପି ପ୍ରକଳ୍ପ ନେଇ କିଛି ପଦକ୍ଷେପ ନିଆଯାଇନି
ମୋଟ୍ ୧୦୮୦କୋଟିର ପ୍ରକଳ୍ପ କେବଳ କାଗଜପତ୍ରରେ

ସେହିପରି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସବୁଠୁ ବଡ଼ ପିପିପି ପ୍ରକଳ୍ପ (୬୨୫କୋଟି ଟଙ୍କାର) ଭୁବନେଶ୍ବର ଟାଉନ୍ ସେଣ୍ଟର ନେଇ ଯେଉଁ ଯୋଜନା ପ୍ରସ୍ତୁତ ହୋଇଛି ତାହା ଏବେ କାର୍ଯ୍ୟକାରୀ ହେବ କି ନାହିଁ, ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। କାରଣ ଏହି ପ୍ରକଳ୍ପ ପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇଥିଲେ ବି ଏଥିରେ କିଏ ଅର୍ଥ ନିବେଶ କରିବ ସେ‌ ପ୍ରଶ୍ନ ଉଠିଛି। ରାଜ୍ୟ ସରକାର ୩ବର୍ଷ ତଳେ ଏହି ପ୍ରକଳ୍ପ ପାଇଁ ବିଡିଏ ସଚିବଙ୍କ ଅଧ୍ୟକ୍ଷତାରେ ଯେଉଁ ଏସ୍‌ପିଭି ଗଠନ କରିଥିଲେ ତାହା ଏବେ କାମ କରୁନି। ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଯାହା ‌ଯାହା କରିବା କଥା ସେଥିରୁ କେବଳ ଡିଜାଇନ୍ ପ୍ରସ୍ତୁତ ହୋଇଛି। ବାକି କାମ କିଛି ହୋଇନି।

ମିଳିଥିବା ସୂଚନା ଅନୁଯାୟୀ, ୬୨୫କୋଟି ଟଙ୍କାର ଏହି ଆଇକନିକ୍ ବିଲଡିଂ ୧୯ମହଲା ବିଶିଷ୍ଟ ହେବାକୁ ଥିବାବେଳେ ଏହାର ଉଚ୍ଚତା ୮୦ମିଟର ହେବ। ଏଠାରେ ବିଭିନ୍ନ କର୍ପୋରେଟ୍ କାର୍ଯ୍ୟାଳୟ, ମଲ୍ଟିପ୍ଲେକ୍ସ, ରେସ୍ତୋରାଁ, ସପିଂ ମଲ୍‌ ଆଦି ରହିବ। କିନ୍ତୁ ଭୁବନେଶ୍ବର ଟାଉନ ସେଣ୍ଟର ହେଲେ ଏଠାରେ ବଜାର ମୂଲ୍ୟ କିପରି ବଢ଼ିବ, କେଉଁ ପ୍ରକାରର ବ୍ୟବସାୟିକ ସ˚ସ୍ଥାକୁ ସୁଯୋଗ ଦିଆଯିବ, କିପରି ଏହି ପ୍ରକଳ୍ପର ବ୍ରାଣ୍ତି˚ କରାଯିବ, ଯେଉଁମାନେ ଏଠାରେ ଅଫିସ୍‌ କି କୌଣସି ସଂସ୍ଥା ଖୋଲିବେ କିପରି ତାଙ୍କର ପ୍ରଚାର ପ୍ରସାର ହେବ, ପ୍ରକଳ୍ପକୁ କିପରି ଅଧିକ ସ˚ସ୍ଥାକୁ ଆକର୍ଷିତ କରିହେବ, ବିଏସ୍‌ସିଏଲ୍‌ ପକ୍ଷରୁ କ’ଣ ସୁବିଧା ସୁଯୋଗ ମିଳିବ, ଯେଉଁ ସ˚ସ୍ଥା ପୁଞ୍ଜି ଖଟାଇବ ତା’ର କେତେ ଭାଗ ଓ ବିଡିଏର କେତେ ଭାଗ ରହିବ, ଦୋକାନଗୁଡ଼ିକୁ ଭଡ଼ାରେ ଦିଆଯିବ କି ବିକ୍ରି କରାଯିବ ସେନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି। ତିନି ବର୍ଷ ଭିତରେ ଏନେଇ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ (ଇଓଆଇ) ବି ଆହ୍ବାନ କରାଯାଇନି। ଏପରିକି ପୁଞ୍ଜିନିବେଶ ପାଇଁ କିଛି ବି ପଦକ୍ଷେପ ବିଡିଏ ପକ୍ଷରୁ ନିଆଯାଇନି। ଯାହା ଏହି ପ୍ରକଳ୍ପର ଭାଗ୍ୟକୁ ଏକପ୍ରକାର ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe