ଅସମ୍ଭାଳ ତାତି: ୪୨ଂ ଉପରେ ୯ ସହର

ଅସମ୍ଭାଳ ତାତି: ୪୨ଂ ଉପରେ ୯ ସହର

ଭୁବନେଶ୍ୱର: ଅସମ୍ଭାଳ ହେଲାଣି ତାତି। ଅଧା ଓଡ଼ିଶା ଏବେ ଛଟପଟ ହେଉଛି। ଦିନ ତ ଦିନ, ରାତିରେ ବି ପରିସ୍ଥିତି ସାଙ୍ଘାତିକ। ଉପକୂଳରେ ଟିକିଏ ନିସ୍ତାର। ମାତ୍ର ବାକି ଓଡ଼ିଶାରେ ତାତି ବୋଲ ମାନୁନି। ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଅବସ୍ଥା ନ କହିବା ଭଲ। ପୂର୍ବାହ୍ନ ୧୧ଟା ବେଳେକୁ ରାସ୍ତାଘାଟ ଶୂନ୍‌ଶାନ୍‌। କାଁ ଭାଁ ଲୋକ ଯିବା ଆସିବା କରୁଛନ୍ତି। ନ ହେଲେ ଲାଗୁଛି ସତେଯେମିତି କର୍ଫ୍ୟୁ ଲାଗୁ ହୋଇଛି। ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଆଜି ନୂଆ ରେକର୍ଡ ଯୋଡ଼ି ହୋଇଛି। ସୋନପୁରଠାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ୪୪.୪ ଡିଗ୍ରି ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ମୋଟ ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବା ସହ ୨୧ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାର ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବାର ସମ୍ଭାବନା ରହିଛି। ତେଣୁ ଲୋକେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ବୟସ୍କ, ଶିଶୁ ଓ ମହିଳାମା‌ନେ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ୨୦ରୁ ୨୩ତାରିଖ ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ, ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବିଜୁଳି ଓ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସୋନପୁର ବ୍ୟତୀତ ବଲାଙ୍ଗୀରରେ ୪୪.୩, ଟିଟିଲାଗଡ଼ରେ ୪୩.୫, ଅନୁଗୁଳରେ ୪୩.୧ ଡିଗ୍ରି, ବୌଦ୍ଧରେ ୪୩, ବାରିପଦାରେ ୪୧, ଝାରସୁଗୁଡ଼ାରେ ୪୨.୮, କେନ୍ଦୁଝରରେ ୪୦.୨, ସମ୍ୱଲପୁରରେ ୪୨.୪, ସୁନ୍ଦରଗଡ଼ରେ ୪୨.୫, ହୀରାକୁଦରେ ୪୧.୬, ଭବାନୀପାଟଣାରେ ୪୨, ତାଳଚେରରେ ୪୦.୬, ଭଦ୍ରକ, ଖୋର୍ଦ୍ଧା ଓ ଢେଙ୍କାନାଳରେ ୪୦, ଦେବଗଡ଼ରେ ୪୨, ବରଗଡ଼ରେ ୪୦.୫, ନୂଆପଡ଼ାରେ ୪୧, ପାରଳାଖେମୁଣ୍ଡିରେ ୪୧ ଓ ମାଲକାନଗିରିରେ ୪୦ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe