ଜୟପୁର: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି। ଏହି ତାଲିମ ଶିବିରରେ ଜୟପୁର ସହରରେ ଚାଲିଥିବା କେନ୍ଦ୍ରକୁ ମେରୁଦଣ୍ଡ ଅସ୍ତ୍ରୋପ୍ରଚାର ସହ ୫ମାସ ଛୁଟିରେ ରହିଥିବା ଜଣେ ଶିକ୍ଷକଙ୍କୁ ପଡ଼ିଛି ନିର୍ବାଚନ ତାଲିମ। ତାଲିମରେ ଯୋଗ ନ ଦେଲେ ନିର୍ବାଚନ କମିସନ ନେଉଥିବା ପଦକ୍ଷେପ ଭୟରେ ଶିକ୍ଷକ ଜଣକ ଅଟୋ ଭଡ଼ା କରି ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟକୁ ଟ୍ରାଇସାଇକେଲ ନେଇ ଆସିଛନ୍ତି। ଟ୍ରାଇସାଇକେଲରେ ଅଟୋ ଚାଳକ ବସାଇବା ପରେ ତାଲିମ କେନ୍ଦ୍ରର ଶେଷରେ ରହି ଶୁଣୁଥିବା ଦେଖିବାକୁ ମିଳିଥିଲା।
ଶିକ୍ଷକ ଜଣକ ହେଉଛନ୍ତି ସଉରାଗୁଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଲଢ଼ୁ କିଶୋର ଦାଶ। ଗତ ସେପ୍ଟମ୍ବର ମାସରୁ ମେରୁଦଣ୍ଡର ସମସ୍ୟା ଯୋଗୁଁ ସେ ଛୁଟିରେ ରହିଥିଲେ। ଏହାରି ମଧ୍ୟରେ ସେ ଗତ ଅକ୍ଟୋବର ଓ ଫେବ୍ରୁଆରି ମାସରେ ଦୁଇଦୁଇ ଥର ବିଶାଖାପାଟଣାର ଏକ ଘରୋଇ ନର୍ସିଂ ହୋମରେ ଅସ୍ତ୍ରୋପ୍ରଚାର କରାଇଥିଲେ। ବର୍ତ୍ତମାନ ସେ ଚଳାବୁଲା ବି କରି ପାରୁନାହାନ୍ତି। ତାଙ୍କ ସ୍ତ୍ରୀ ବି ଶିକ୍ଷୟତ୍ରୀ ହୋଇଥିବାରୁ ସେ ଅଟୋରେ ଆସିଥିବା କହିଛନ୍ତି। ଗତ କିଛି ଦିନ ତଳେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଏବଂ ବିଇଓଙ୍କୁ ଅବଗତ କରିଥିବା କହିଛନ୍ତି ଲଢ଼ୁକିଶୋର। ସେ ଏଭଳି ଅବସ୍ଥାରେ କିଭଳି ତାଲିମ ନେବେ ଏବଂ ଡ୍ୟୁଟି କରିବେ ବୋଲି ପ୍ରଶ୍ନ କରିଛନ୍ତି ଲଢ଼ୁକିଶୋର। ସେ ଏହା ପୂର୍ବରୁ ୩ଟି ସାଧାରଣ ନିର୍ବାଚନରେ ଡ୍ୟୁଟି କରି ଆସିଥିବା କହିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ଦେଶସେବା କରିବାକୁ ସକ୍ଷମ ନୁହନ୍ତି ବୋଲି କହିଛନ୍ତି।
ସେଭଳି ଉପରକୋଲାବ ଜଳସେଚନ ପ୍ରକଳ୍ପରେ ପିଅନ୍ ଭାବେ କାର୍ଯ୍ୟରତ ଥିବା ଧନପତି ମାଝୀ ପକ୍ଷଘାତ ସହ ବ୍ରେନ୍ ଟ୍ୟୁମର ଥିବା କହିଛନ୍ତି। ସେ ଏସଂପର୍କରେ ଜଣାଇବା ପରେ ବି ତାଲିମ ପାଇଁ ପକାଯାଇଥିବା କହିଛନ୍ତି। ଲଢ଼ୁ କିଶୋରଙ୍କ ସଂପର୍କରେ ବିଇଓ ଚନ୍ଦନ କୁମାର ନାୟକ ଉପଖଣ୍ଡ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି। ଏଭଳି ବହୁ ଶିକ୍ଷକ ସ୍ବାସ୍ଥ୍ୟ ଗତ ସମସ୍ୟାର ଅଭିଯୋଗ ନେଇ ଆସୁଥିବା କହିଛନ୍ତି ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା। ଏମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ବୋର୍ଡରେ ପରୀକ୍ଷା କରାଯିବା ପରେ କଟାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। ପୂର୍ବ ଅପେକ୍ଷା ଏବେ ଜଣେ ପ୍ରିଜାଇଡିଂ ଅଧିକାରୀ, ୫ଜଣ ପୁଲିଂ ଅଧିକାରୀ, ଜଣେ ପୁଲିସ ବିଭାଗର କର୍ମଚାରୀ ଏଭଳି ୭ଜଣ ରହିବେ । ତେଣୁ ଅଧିକା କର୍ମଚାରୀଙ୍କୁ ନିର୍ବାଚନର ସୁପରିଚାଳନା ପାଇଁ ନିଯୁକ୍ତ କରାଯିବ ବୋଲି କହିଛନ୍ତି। ଏଚଆରଏମଏସ୍ ଦେଖିକି ତାଲିକା ପ୍ରସ୍ତୁତ କରାଯାଇଥିଲା। ସେଭଳି ଜଣେ ଶିକ୍ଷକଙ୍କର ମାର୍ଚ୍ଚ ୩୧ରେ ଅବସର ନେବେ। ତାଙ୍କୁ ବି ତାଲିକାରେ ରଖାଯାଇଥିଲା। ସେ ବି ଅଭିଯୋଗ କରିବା ପରେ ତାଙ୍କ ନାଁ ବି କଟାଯାଇଥିବା କହିଛନ୍ତି ଉପଜିଲ୍ଲାପାଳ।
Follow Us