ସଫଳତା ପାଇଁ ସାଲିସ୍‌କୁ ଜଳାଞ୍ଜଳି ଦେବାକୁ ପଡ଼ିବ: ତନୟା

Advertisment

ଓଡ଼ିଶା ନିର୍ମାଣ କନକ୍ଲେଭ - ୨୦୨୨

ଓଡ଼ିଶା ନିର୍ମାଣ କନକ୍ଲେଭ - ୨୦୨୨

ସଫଳତା ପାଇଁ ସାଲିସ୍‌କୁ ଜଳାଞ୍ଜଳି ଦେବାକୁ ପଡ଼ିବ: ତନୟା

ଭୁବନେଶ୍ବର: ଆମ ପାଖ‌ରେ ଅନେକ ମୌଳିକ କାହାଣୀ ଅଛି। ତାକୁ ଚମତ୍କାର ଢଙ୍ଗରେ ପରିବେଷଣ କରିପାରିଲେ, ଲୋକ ପସନ୍ଦ କରିବେ। ଗୋଟିଏ ଭଲ ବିଷୟବସ୍ତୁ ସବୁବେଳେ ସଫଳ ହେବ। କେବଳ ଲୋକମାନଙ୍କ ପାଖରେ ତାହାକୁ ଠିକ୍‌ ଢଙ୍ଗରେ ପହଞ୍ଚାଇବାର ଆବଶ୍ୟକତା ଅଛି। ନାଟକ ‘ଆହେ ନୀଳଶଇଳ’ ଏଇଥିପାଇଁ ସଫଳତା ପାଇ ପାରିଛି ବୋଲି ମୁଁ ଭାବୁଛି। ଷଷ୍ଠ ଅଧିବେଶନର ଶୀର୍ଷକ ‘ଓଡ଼ିଶା ମନୋରଞ୍ଜନ: ବଦଳିଲା ଧାରା’ ଆଲୋଚନାରେ ଯୋଗଦେଇ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହା କହିଛନ୍ତି। ସେ କହିଥିଲେ, ନାଟକ ବିଷୟରେ ମୁଁ ସଂପୂର୍ଣ୍ଣ ଅଜ୍ଞ ଥିଲି। କେବଳ ଏକ ପରିକଳ୍ପନା କରିଥିଲି। ବାସ୍ତବତାର ରୂପ ଦେବାକୁ ଚାହୁଥିଲି। ତାହା ସଫଳ ହୋଇଛି। ଏହାର ଶ୍ରେୟ ପ୍ରଭୁ ଜଗନ୍ନାଥ ଓ ନାଟକର ଲେଖକ, ନିର୍ଦ୍ଦେଶକ ଓ ସମସ୍ତ କର୍ମକର୍ତ୍ତାମାନଙ୍କର।

ଭଲ ବିଷୟବସ୍ତୁ ଓ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିପାରିବ: ଅନୁପମ

ଶ୍ରୀମତୀ ପଟ୍ଟନାୟକ ଆହୁରି କହିଥିଲେ, ସଫଳତା ପାଇଁ ସାଲିସ୍‌କୁ ଜଳାଞ୍ଜଳି ଦେବାକୁ ପଡ଼ିବ। କଳାକାରଟି ବ୍ୟକ୍ତିକୈନ୍ଦ୍ରିକ ନ ହୋଇ ଦର୍ଶକକୈନ୍ଦ୍ରିକ ହେଲେ, କାହାଣୀଟି ଦର୍ଶକୀୟ ଆଦୃତି ଲାଭ କରିପାରିବ। ଆମେ ଯେଉଁ କାହାଣୀର ପରିକଳ୍ପନା କରୁଛେ, ସେଥିରେ ଓଡ଼ିଆଙ୍କ ଭାବବେଗକୁ ଗୁରୁତ୍ବ ଦେବା ଆବଶ୍ୟକ। ସେହିଭଳି ଆମେ ଆମ ବିଫଳତାକୁ ସାମ୍ନା କରିବା ସହ ଭଲ ବିଷୟବସ୍ତୁ ବାଛିବାର ଆବଶ୍ୟକତା ରହିଛି। ତେବେ ଯାଇ ଆମ ଓଡ଼ିଆ ମନୋରଞ୍ଜନ ଶିଳ୍ପ ସଫଳ ହେବା ସହ ଧାରା ବଦଳିଲା ବୋଲି ଆମେ ଭାବିବା।

‌ୱେବ୍‌ସିରିଜ୍‌ ‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ’ର ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ପ୍ରଯୋଜକ ଅନୁପମ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ୨୦୨୨ ଓଡ଼ିଆ ମନୋରଞ୍ଜନ ଶିଳ୍ପ ପାଇଁ ଏକ ପରିବର୍ତ୍ତନର ବର୍ଷ। ଏହି ବର୍ଷ ନାଟକ ‘ଆହେ ନୀଳଶଇଳ’, ୱେବ୍‌ସିରିଜ୍‌ ‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ’, ଫିଲ୍ମ ‘ଦମନ’ ଓ ‘ପ୍ରତୀକ୍ଷା’ ସଫଳତା ପାଇଛି। ‘ପ୍ରତୀକ୍ଷା’କୁ ହିନ୍ଦୀ ରିମେକ୍‌ କରାଯିବ ବୋଲି ବିଶିଷ୍ଟ ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ ଘୋଷଣା କରିବା ଆମ ପାଇଁ ଗର୍ବର କଥା। ଏହି ଧାରା ଆଗକୁ ବଜାୟ ରଖିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ନିଚ୍ଛକ କାହାଣୀ, ଭଲ ବିଷୟବସ୍ତୁ ଓ ଜୀବନ୍ତ ଅଭିନୟ ଦ୍ବାରା ଦର୍ଶକଙ୍କୁ ବାନ୍ଧି ରଖାଯାଇପାରିବ। ଆମେ ଏକ ସାଧାରଣ ବଜେଟ୍‌ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଛୁ। ଯାହାକୁ ଦର୍ଶକମାନେ ପସନ୍ଦ କରୁଛନ୍ତି। ଏହି ଧାରା ଜାରି ରହିଲେ, ଆଗାମୀ ଦିନରେ ବଡ଼ ବଜେଟ୍‌ରେ ଭଲ ଚଳଚ୍ଚିତ୍ର ନିର୍ମାଣ ସମ୍ଭବ ହୋଇପାରିବ। ସେ ଆହୁରି କହିଥିଲେ, ବର୍ତ୍ତମାନ ଓଡ଼ିଶାରେ ଯେତିକି ପ୍ରେକ୍ଷାଳୟ ଅଛି, ସେଥିରେ ଓଡ଼ିଆ ସିନେମା ସଫଳତାର ସହ ଚାଲିଲେ ବି ଓଡ଼ିଆ ସିନେମାର ଲୋକପ୍ରିୟତା ବଢ଼ିପାରିବ। ପରେ ଏହାକୁ ଦୃଷ୍ଟିରେ ରଖି ପ୍ରେକ୍ଷାଳୟ ମଧ୍ୟ ବୃଦ୍ଧିହେବ।
ଏହି ଅବସରରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ନିର୍ଦ୍ଦେଶକ ଅନୁପମଙ୍କ ସମେତ ନାଟକ ‘ଆହେ ନୀଳ ଶଇଳ’ ଓ ୱେବ୍‌ସିରିଜ୍‌ ‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ’ର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅଧିବେଶନକୁ ସ୍ବସ୍ତିକା ପଣ୍ଡା ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe