ଅବିଭକ୍ତ କଳାହାଣ୍ଡି ଜିଲ୍ଲାକୁ କୃଷି ଉତ୍ପାଦନରେ ରେକର୍ଡ ପାଇଁ ବିଶ୍ୱ ଖାଦ୍ୟ ପୁରସ୍କାର ପାଇଁ ଦାବି

Advertisment
ଧାନ ଓ ଅଣଧାନ ଫସଲ ୨୨୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଛୁଇଁବ

blog.pnas.org

ଭବାନୀପାଟଣା : ଅବିଭକ୍ତ କଳାହାଣ୍ଡି ଜିଲ୍ଲାକୁ କୃଷି ଉତ୍ପାଦନ ରେକର୍ଡ ପାଇଁ ବିଶ୍ୱ ଖାଦ୍ୟ ପୁରସ୍କାର ପ୍ରଦାନ ପାଇଁ ବିଶ୍ୱ ଖାଦ୍ୟ ଦିବସ ଅବସରରେ ପଶ୍ଚିମ ଓଡିଶା କୃଷିଜୀବୀ ସଂଘ ପକ୍ଷରୁ ଦାବୀ କରାଯାଇଛି । ଗତ ପ୍ରାୟ ଦେଢ଼ ଶହ ବର୍ଷ ଧରି କଳାହାଣ୍ଡି ଜିଲ୍ଲାରେ କୃଷି କ୍ଷେତ୍ରରେ ପ୍ରଭୁତ ବିକାଶ ହୋଇ ଖାଦ୍ୟଶସ୍ୟ ଉତ୍ପାଦନରେ ଏହି ଜିଲ୍ଲା (ପୂର୍ବତନ ରାଜ୍ୟ) ଏକ ବଳକା ରାଜ୍ୟ ହୋଇ ରହି ଆସିଛି।

ସ୍ୱାଧିନତା ପୂର୍ବରୁ ଏହି ଜିଲ୍ଲାରୁ ବଳକା ଧାନ, ମୁଗ, ବିରି, ଗୁଡ଼ ଇତ୍ୟାଦି କଲିକତା, ପଡ଼ୋଶୀ ଛତିଶଗଡ଼ ଅଞ୍ଚଳ ତଥା ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କୁ ଯାଉଥିଲା । ୧୯୫୪ ବର୍ଷର ସର୍ଭେ ଅନୁଯାୟୀ ମଧ୍ୟ ଜିଲ୍ଲାର ଶତକଡ଼ା ୯୪ ଭାଗ ଚାଷୀଙ୍କ ନିଜ ନାମରେ ଚାଷ ଜମି ରହିଥିଲା । ଛୋଟ ବଡ଼ ପ୍ରତ୍ୟେକ ଚାଷୀ ବହୁବିଧ ଫସଲ ଚାଷ କରି ଅନ୍ତତଃ ଏକ ବର୍ଷ ପୁରୁଣା ଖାଦ୍ୟଶସ୍ୟ ନିଜ ଘରେ ରଖି ନୂତନ ଫସଲ ଆସିବା ପରେ ହିଁ ପୁରୁଣା ଶସ୍ୟକୁ ବିକ୍ରି କରୁଥିଲେ । ୧୯୪୩ର ବଙ୍ଗଳା ଦୁର୍ଭିକ୍ଷ ସମୟରେ କଳାହାଣ୍ଡି ଜିଲ୍ଲାରୁ ଦୁଇ ଲକ୍ଷ ଟନ୍ ଚାଉଳ ଯୋଗାଇ ଦିଆଯାଇଥିଲା ଓ ପରବର୍ତ୍ତୀ ବର୍ଷମାନଙ୍କରେ ମଧ୍ୟ ଚାଉଳ ଯୋଗାଇ ଦିଆଯାଉଥିଲା।

ସ୍ୱାଧୀନତା ପରେ ମଧ୍ୟ ବ୍ୟବସାୟୀମାନେ ପ୍ରତିବର୍ଷ କଳାହାଣ୍ଡିର ଚାଉଳ ପୂର୍ବତନ ପୂର୍ବ ପାକିସ୍ଥାନ ଏବଂ ପରେ ବଙ୍ଗଳାଦେଶକୁ ପଠାଉଥିଲେ । ଭାରତୀୟ ଖାଦ୍ୟ ନିଗମ ପ୍ରତିଷ୍ଠା ହେବା ପରେ ନିଗମ ସାରା ଓଡ଼ିଶାରେ ଯେତିକି ଧାନ ସଂଗ୍ରହ କରୁଥିଲା ତାହାର ଶତକଡ଼ା ୨୫ ରୁ ୩୫ ଭାଗ କେବଳ କଳାହାଣ୍ଡି ଜିଲ୍ଲାରୁ ସଂଗ୍ରହ କରୁଥିଲା । କଳାହାଣ୍ଡି ଜିଲ୍ଲାର ବହୁବିଧ ଖାଦ୍ୟଶସ୍ୟ ପ୍ରଣାଳୀ ମଧ୍ୟରେ ହଜାରେରୁ ଉର୍ଦ୍ଧ କିସମର ବିଭିନ୍ନ ଧାନ - ଯେଉଁଠି ଅନ୍ୟୁନ ଚାଳିଶ ରକମର ସୁବାସିତ ଧାନ ରହୁଥିଲା ଏବଂ ବିଭିନ୍ନ କିସମର ମିଲେଟ୍ ଜାତୀୟ ଶସ୍ୟ, ମୁଗ, ବିରି, କାନ୍ଦୁଲ, ଝୁଡ଼ଙ୍ଗ ଇତ୍ୟାଦି ଡାଲି ଜାତୀୟ ଶସ୍ୟ ଥିଲା ଏବଂ ଆଜି ମଧ୍ୟ ସେ ସବୁରୁ ଅନେକ ବଞ୍ଚି ରହିଛି । ବର୍ତ୍ତମାନ ମଧ୍ୟ କଳାହାଣ୍ଡି ଜିଲ୍ଲା ଖାଦ୍ୟଶସ୍ୟ ଉତ୍ପାଦନରେ ସାରା ରାଜ୍ୟରେ ଅଗ୍ରଣୀ ରହିଅଛି ଏବଂ ସାରା ଦେଶରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ରଖୁଅଛି । ଏ ସବୁକୁ ବିଚାରକୁ ନେଇ କେନ୍ଦ୍ର ସରକାର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ରାଷ୍ଟ୍ରୀୟ ସ୍ତରରେ ଖାଦ୍ୟ ସୁରକ୍ଷା ସମ୍ମାନରେ ତଥା ବିଶ୍ୱ ଖାଦ୍ୟ ସଙ୍ଗଠନ ତରଫରୁ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନୀତ କରିବାକୁ ପଶ୍ଚିମ ଓଡ଼ିଶା କୃଷିଜୀବୀ ସଂଘ ସଂଯୋଜକ ଜଗଦୀଶ ପ୍ରଧାନ ଏକ ପ୍ରେସ ବିବୃତିରେ ଦାବୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe