ଅଧୁରା ରହିଲା ମୁଖ୍ୟମନ୍ତ୍ରୀଙ୍କ ମନର କଥା ‘ଆପଣଙ୍କ ପାଇଁ’, ଫେରିଗଲା ୫ କୋଟି

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ

naveenpatnaik.in

ଭୁବନେଶ୍ବର : ଅଧୁରା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ମନର କଥା ‘ଆପଣଙ୍କ ପାଇଁ’। ରାଜ୍ୟ ସରକାର ଘୋଷଣା କରିଦେଲେ କିନ୍ତୁ କାର୍ଯ୍ୟକାରୀ କରିପାରିଲେ ନାହିଁ ବିଜୁ ଗାଁ ରେଡିଓ କାର୍ଯ୍ୟକ୍ରମ। ଏଥିଯୋଗୁଁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଦିଆଯାଇଥିବା ୫ କୋଟି ଟଙ୍କା ଫେରିଗଲା। ୩୨ଟି କୃଷି ବିଜ୍ଞାନ କେନ୍ଦ୍ରରେ କମ୍ୟୁନିଟି ରେଡିଓ ସ୍ଥାପନ ପ୍ରସ୍ତାବକୁ କେନ୍ଦ୍ର ସରକାର ବାତିଲ କରି ଦେଇଛନ୍ତି। ସେଥିରୁ ୮ଟି ସ୍ଥାନରେ କେନ୍ଦ୍ର ସ୍ଥାପନାକୁ ବନ୍ଦ ଦିଆଯାଇଥିବା ନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ବିଭାଗ ବିଧିବଦ୍ଧ ଭାବରେ ଓ୍ବେବ୍‌ସାଇଟରେ ଘୋଷଣା କରିଛି।

୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ‘ଆପଣଙ୍କ ପାଇଁ’ର ଘୋଷଣା ହେଲା। ଏଥିରେ ପ୍ରତି ମାସ ୧୦ ମିନିଟ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଏବଂ ଗାଁ ଅଧିବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥା’ନ୍ତେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରତିଦିନ ସଂଧ୍ୟା ୬ରୁ ୭ ଏବଂ ରାତି ୮ରୁ ୯ ପର୍ଯ୍ୟନ୍ତ ଚାଷୀମାନଙ୍କ ଚାଷ, ଜଳସେଚନ, ସମବାୟ, ଶିକ୍ଷା, ସଂସ୍କୃତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ନେଇ ତଥ୍ୟ ଭିତ୍ତିକ ସୂଚନା ଦିଆଯାଇଥା’ନ୍ତା। ଯାହା ଚାଷୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି ଆଶା କରାଯାଉଥିଲା। ଓଡ଼ିଶା କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମଗୁଡ଼ିକ ପ୍ରସ୍ତୁତ କରାଯିବାର ଥିଲା। ୫ କୋଟି ଟଙ୍କା ପ୍ରଦାନ କରାଯାଇ ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟକୁ ଏହି ଦାୟିତ୍ବ ଦିଆଯାଇଥିଲା। ଏହି ଅନ୍ତର୍ଗତରେ ଓୟୁଏଟିର ଶିକ୍ଷା ସମ୍ପ୍ରସାରଣ ନିର୍ଦେଶାଳୟ ସମେତ ଜିଲ୍ଲାର ସମସ୍ତ ୩୨ଟି କୃଷି ବିଜ୍ଞାନ କେନ୍ଦ୍ରରେ କମ୍ୟୁନିଟି ରେଡିଓ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ରାଜ୍ୟ ସରକାର କରିଦେଲେ। ପ୍ରଥମେ ଏହାକୁ ନେଇ ତତ୍ପରତା ମଧ୍ୟ ପ୍ରକାଶ ପାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସରକାର ଏବଂ ଓୟୁଏଟି କେହି ଏଥିପ୍ରତି ଆଗ୍ରହ ଦେଖାଇ ନଥିଲେ। ଅର୍ଥାତ କମ୍ୟୁନିଟି ରେଡିଓ ପାଇଁ ଏଲଓଆଇ ପାଇଥିବା ଅନୁଷ୍ଠାନଗୁଡ଼ିକ କମ୍ୟୁନିଟି ରେଡିଓ ଷ୍ଟେସନ ପ୍ରତିଷ୍ଠା ପାଇଁ ଆବଶ୍ୟକ ଶୁଳ୍କ ଦୂରସଞ୍ଚାର ମନ୍ତ୍ରଣାଳୟ ନିକଟରେ ପୈଠ କରିବା ଉଚିତ। ଯାହା ପରେ ସେମାନଙ୍କୁ ଫ୍ରିକ୍ବେନସି ମିଳିଥାଆନ୍ତା। ମାତ୍ର ଟଙ୍କା ଦାଖଲ ହେଲା ନାହିଁ ଏବଂ କାର୍ଯ୍ୟକ୍ରମ ପ୍ରସାରଣ ଘୋଷଣା ବାତିଲ ହୋଇଗଲା।

ସୂଚନା ଅନୁଯାୟୀ, ଭାରତରେ ସମୁଦାୟ ୩୦୫ଟି କମ୍ୟୁନିଟି ରେଡିଓ ଷ୍ଟେସନ ରହିଛି। ଏଥିରେ ଓଡ଼ିଶାର ରେଭେନ୍ସା, ସୋଆ ସମେତ ବିଭିନ୍ନ ସାମାଜିକ ସଂଗଠନର ୧୮ଟି କମ୍ୟୁନିଟି ରେଡିଓ ରହିଛି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କମ୍ୟୁନିଟି ରେଡିଓକୁ ୨ ବର୍ଷ ହେଲା କେନ୍ଦ୍ର ସରକାର ବାତିଲ କରି ସାରିଛନ୍ତି। ଓୟୁଏଟି ପକ୍ଷରୁ ଭବାନୀପାଟନାରେ ବର୍ତ୍ତମାନ କମ୍ୟୁନିଟି ରେଡିଓ ଷ୍ଟେସନ ଖୋଲିବା ପାଇଁ ପ୍ରସ୍ତାବ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe