123rf.com
ଧର୍ମଶାଳା : ଦୋଳି ଖେଳୁଥିବା ବେଳେ ପଥରଖୁଣ୍ଟ ପଡ଼ି ଆଜି ଧର୍ମଶାଳା ଥାନା ଅଭୟପୁର ଗ୍ରାମର ସହଦେବ ରାଉତଙ୍କ ଝିଅ ବେବିନା(୫)ର ମୃତ୍ୟୁ ଘଟିଥିବା ବେଳେ ପୁଅ ଓମ୍ ପ୍ରକାଶ(୭) ଗୁରୁତର ଆହତ ହୋଇଛି। ଅପରାହ୍ଣ ପ୍ରାୟ ୫ଟାରେ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଘର ପଥରଖୁଣ୍ଟରେ ରଶି ଲଗାଇ ଭାଇଭଉଣୀ ଦୋଳି ଖେଳୁଥିଲେ।
ଏହି ସମୟରେ ଗୋଟିଏ ପଥରଖୁଣ୍ଟ ହଠାତ୍ ଭାଙ୍ଗି ପଡ଼ିବାରୁ ବେବିନା ପଥର ତଳେ ଚାପିହୋଇ ରହିଯାଇଥିବା ବେଳେ ଓମ୍ ଗୁରୁତର ଆହତ ହୋଇଥିଲା। ପରିବାର ଲୋକ ଉଭୟଙ୍କୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ବେବିନାକୁ ମୃତ ଘୋଷଣା କରିଥିଲେ। ଓମ୍ର ଆଣ୍ଠୁ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏଭଳି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Follow Us