New Indian Express
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ହିତାଧିକାରୀ ଚାଷୀଙ୍କ ତାଲିକା ଦେଉ ନାହାନ୍ତି ରାଜ୍ୟ ସରକାର। ଫଳରେ କେନ୍ଦ୍ରୀୟ ସୁବିଧା ପାଇବାରୁ ଓଡ଼ିଶାର ଚାଷୀମାନେ ବଞ୍ଚିତ ହେଉଛନ୍ତି। ଆଜି ରାଜ୍ୟ ସରକାରଙ୍କ ଉପରେ ଏମିତି ଆରୋପ ଲଗାଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।
ଓଡ଼ିଶା ଗସ୍ତ ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଶ୍ରୀ ତୋମାରଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ରାଜ୍ୟ ଚାଷୀମାନେ ବଞ୍ଚିତ ହେଉଥିବା ନେଇ ଅବଗତ କରାଯାଇଥିଲା। ଏହା ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ସାରା ଦେଶରେ ସାଢ଼େ ୧୪ କୋଟି ଚାଷୀ ଏହି ଯୋଜନାରେ ଯୋଡ଼ି ହୋଇସାରିଲେଣି। ରାଜ୍ୟ ସରକାର ୩୦ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ସେମାନଙ୍କୁ ଅର୍ଥ ଦିଆଯାଇଛି। ଯଦି ରାଜ୍ୟ ସରକାର ଚାଷୀମାନଙ୍କ ସମ୍ପୂର୍ଣ୍ଣ ତାଲିକା ନ ଦେବେ, ତେବେ କେନ୍ଦ୍ର ସରକାର କାହାକୁ ଟଙ୍କା ଦେବେ ? ତାଲିକା ତୁରନ୍ତ ପଠାଇବା ପାଇଁ ପଦକ୍ଷେପ ନେବା ପାଇଁ ରାଜ୍ୟ କୃଷି ମନ୍ତ୍ରୀଙ୍କୁ ଆଜି କହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଏ ପ୍ରସଙ୍ଗରେ କହିଛନ୍ତି, ପିଏମ୍ କିଷାନ ଯୋଜନା ପାଇଁ ଯାହା ତଥ୍ୟ ଥିଲା, ତୁରନ୍ତ ତାହା ପଠାଇଛୁ। ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଥିବା ମାନକ ଦେଖି ପ୍ରସ୍ତୁତିରେ ବିଳମ୍ବ ହେଉଛି। ତେବେ ଖୁବ୍ ଶୀଘ୍ର ତାଲିକା ପ୍ରସ୍ତୁତ ହୋଇଯିବ।
Follow Us