ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ଚଳିତ ବଜେଟ୍ ‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍। ଏହା ଓଡ଼ିଶାର ଶିକ୍ଷା, ଦକ୍ଷତା, ଶିଳ୍ପ, କୃଷି ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ସବୁ ବର୍ଗର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ। ବଜେଟରେ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନ ହୋଇଛି। ଚଳିତ ବଜେଟରୁ ରାଜ୍ୟର ଗରିବ, ଚାଷୀ, ମହିଳା, ଯୁବ, ଅନୁସୂଚିତ ଜାତି,  ଅନୁସୂଚିତ ଜନଜାତି ଓ ବଞ୍ଚିତ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ। ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ। ଗାଁରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ବିକାଶ ହେବ। ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଖାଦ୍ୟ ସୁରକ୍ଷା, କ୍ରୀଡ଼ା, ସାମାଜିକ ଓ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବ। 

Advertisment

ଚଳିତ ବଜେଟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲ୍ଲାରେ ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା, ପାରାଦୀପ ଓ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ୍, ଚିପିଲିମାରେ ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ଏବଂ ସମ୍ବଲପୁର ଓ ବ୍ରହ୍ମପୁରରେ ୨୭୮ କୋଟି ଟଙ୍କା ବିନିଯୋଗରେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଦୁଇଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଘୋଷଣା ହୋଇଛି। ଏସସିବି,  ଭିମସାର ଓ ଏମକେସିଜି ମେଡିକାଲର ପୁନଃର୍ବିକାଶ ସହ ନୟାଗଡ଼ଖୋର୍ଦ୍ଧା ଠାରେ ଫାର୍ମା ଓ ମେଡଟେକ୍ ପାର୍କ ସହ ଓଡ଼ିଶା ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବ। ଭିସୁଟ, ବୁର୍ଲା ଏବଂ ଓୟୁଟିଆରକୁ ବିଶ୍ୱସ୍ତରୀୟ ବୈଷୟିକ ବିଦ୍ୟାଳୟରେ ରୂପାନ୍ତରିତ କରାଯିବା ସହ ଓଡ଼ିଶା ରାଜ୍ୟ ଇନୋଭେସନ ମିଶନ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ମଡେଲରେ ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର, ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ଏବଂ ଜୟପୁର-କୋରାପୁଟ-ସୁନାବେଡାକୁ ସ୍ୱତନ୍ତ୍ର ଅର୍ଥନୈତିକ କ୍ଲଷ୍ଟର ଭାବେ ବିକଶିତ କରାଯିବ। ବୁର୍ଲା ରିଙ୍ଗ୍ ରୋଡ୍ ନିର୍ମାଣ ସହ ଜମାଦରପାଲିରେ ଏୟାରଷ୍ଟ୍ରିପକୁ ବିମାନବନ୍ଦରରେ ବିକଶିତ କରାଯିବା ସମ୍ବଲପୁରର ଗମନାଗମନ ଓ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବ। ରେୟାର୍ ଆର୍ଥ କରିଡର ଅଧୀନରେ ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ୧୦ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ପ୍ରଶଂସନୀୟ। 

ଆହୁରି ପଢ଼ନ୍ତୁ: Organ Donations: ୧୨ବର୍ଷୀୟ ଶୁଭମଙ୍କୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର

ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟ ବଜେଟରେ ୧୦୦୦ କୋଟି ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରି ପ୍ରତିଷ୍ଠା, ପୁରୀକୁ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାର ନିଷ୍ପତି ପ୍ରଶଂସନୀୟ। ହୀରାକୁଦ ସମନ୍ୱିତ ପର୍ଯ୍ୟଟନର ବିକାଶ ସହ ୮୦ କୋଟି ଟଙ୍କା ବ୍ୟୟରେ ମହାନଦୀ ତଟବର୍ତ୍ତୀ ଅଞ୍ଚଳର ବିକାଶ ଜାରି ରଖିବା, ‘ଓଡ଼ିଶା ହୋମ ଷ୍ଟେ ଏଷ୍ଟାବ୍ଲିସମେଣ୍ଟ ଯୋଜନା’ ଓ ନୂତନ ପର୍ଯ୍ୟଟନ ଲ୍ୟାଣ୍ଡ୍ ବ୍ୟାଙ୍କ ଯୋଜନା ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ପ୍ରଦାନ କରିବ।

ଆହୁରି ପଢ଼ନ୍ତୁ: Super 8 match from Saturday: ଶନିବାରଠୁ ସୁପର-୮ ମୁକାବିଲା

ସେହିପରି ନାନୋ ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଯୋଜନା’, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’, ଦୁର୍ଦ୍ଦଶାଜନିତ ସ୍ଥାନାନ୍ତରଣ ସମସ୍ୟାର ସମାଧାନ ପାଇଁ ‘ଡାଲଖାଇ ଯୋଜନା’ ଏବଂ ଖଣି ପ୍ରଭାବିତ ଅଞ୍ଚଳ ପାଇଁ ‘ସିଏମ ସମ୍ପଦ ଯୋଜନା’, କେନ୍ଦୁପତ୍ର ତୋଳାଳିଙ୍କ ସୁବିଧା ପାଇଁ ପ୍ରୋତ୍ସାହନ ଭଳି ଲୋକକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଥିବା ବେଳେ ରାଜ୍ୟ ଏଆଇ ମିଶନ ଭଳି ଯୋଜନା ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତର ୨୦୪୭ର ଲକ୍ଷ୍ୟକୁ ସାକାର କରିବ ବୋଲି ଶ୍ରୀ ପ୍ରଧାନ ଏକ୍ସରେ ମତପ୍ରକାଶ କରିଛନ୍ତି।