୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ଓଡ଼ିଶା ଗସ୍ତ: ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ଧର୍ମେନ୍ଦ୍ର

Advertisment
୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ଓଡ଼ିଶା ଗସ୍ତ: ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ଧର୍ମେନ୍ଦ୍ର

କଟକ : ଆସନ୍ତା ଅଗଷ୍ଟ ୮ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଏଠାକୁ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ଓ ଇନ୍‌ଡୋର୍ ଷ୍ଟାଡିୟମ୍‌ ପରିଦର୍ଶନ କରିବାସହ ବିଜେପିର ବରିଷ୍ଠ ନେତା ଓ କଟକ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।

ଶ୍ରୀ ପ୍ରଧାନ ଆଜି ମଧ୍ୟାହ୍ନରେ କଟକରେ ପହଞ୍ଚି ପ୍ରଥମେ ଓଡ଼ିଆବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଥିଲେ। ଏହାପରେ ସେ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ଯୋଗଦେବାକୁ ଥିବା ପ୍ରଜାତନ୍ତ୍ରର ୭୫ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମସ୍ଥଳକୁ ଯାଇ ସେଠାକାର ପ୍ରସ୍ତୁତି କାର୍ଯ୍ୟ ଦେଖିଥିଲେ। ପରେ ଶ୍ରୀ ପ୍ରଧାନ ସର୍କିଟ୍‌ ହାଉସ୍‌ଠାରେ ବିଜେପି ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଶ୍ରୀ ଶାହଙ୍କ ଗସ୍ତ ନେଇ ଦଳ ପକ୍ଷରୁ ହୋଇଥିବା ବ୍ୟବସ୍ଥା ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅଧିଷ୍ଠିତ ହୋଇଛନ୍ତି। ସେଭଳି ଏକ ମୁହୂର୍ତ୍ତରେ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ଖବରକାଗଜର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଶ୍ରୀ ଶାହ ଯୋଗଦେବା ଓଡ଼ିଶାର ପ୍ରାସଙ୍ଗିକତାକୁ ଆହୁରି ବଢ଼ାଇ ଦେଇଛି।

ଗସ୍ତ ଅବସ‌ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ନେତାଜୀ ଯେଉଁ ମୂଲ୍ୟବୋଧ, ଆଦର୍ଶ ଓ ସାହସ ଦେଖାଇଥିଲେ ତଥା ଯେଉଁ ନେତୃତ୍ୱ ଦେଶକୁ ଦେଇଥିଲେ, ତାର ସୁଫଳ ଆଜି ମିଳିଛି ବୋଲି କହିଥିଲେ। ଦେଶର ଗଣତନ୍ତ୍ର ମଜଭୁତ୍ ହୋଇଛି। ସ୍ୱତନ୍ତ୍ରତା ସଂଗ୍ରାମର ମହାନାୟକ ନେତାଜୀ ଆଗାମୀ ପିଢ଼ି ପାଇଁ ପ୍ରେରଣା ପୁରୁଷ ହୋଇ ରହିବେ ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିଜେପି ନେତା ଓ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଗତ ଜଣାଇଥିଲେ। ଶ୍ରୀ ପ୍ରଧାନ ଜଗତପୁରସ୍ଥିତ ସଦ୍‌ଗୁରୁ ହସ୍‌ପିଟାଲ୍‌କୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe