ନନ୍ଦନକାନନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ବାଘ ଓ ସିଂହ ଛୁଆଙ୍କ ନାମକରଣ କଲେ

Advertisment
ନନ୍ଦନକାନନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ବାଘ ଓ ସିଂହ ଛୁଆଙ୍କ ନାମକରଣ କଲେ

ବାରଙ୍ଗ : ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଜଙ୍ଗଲ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ ଚୌବେ ରବିବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିଲେ। ନନ୍ଦନକାନନର ପ୍ରାକୃତିକ ପରିବେଶ ଓ ସେଠାରେ ରହୁଥିବା ବନ୍ୟପ୍ରାଣୀଙ୍କୁ ଦେଖି ସେ ଖୁବ୍‌ ଖୁସି ହୋଇଥିଲେ ଓ କର୍ତ୍ତୃପକ୍ଷଙ୍କୁ ବେଶ୍ ପ୍ରଶଂସା କରିଥିଲେ। ଖୁବଶୀଘ୍ର ଏହି ପ୍ରାଣୀ ଉଦ୍ୟାନକୁ ବିଶ୍ବସ୍ତରୀୟ କରାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ। ତେବେ ବାଘ ଛୁଆ ଓ ସିଂହ ଛୁଆଙ୍କ ନାମକରଣ କରିବା ଅବସରରେ ସେ ସେମାନଙ୍କ ଜୀବନ କାହାଣୀ ଶୁଣି ସେ ବେଶ୍ ମନ୍ତ୍ରମୁଗ୍ଧ ହୋଇଥିଲେ।

ମନ୍ତ୍ରୀ ଶ୍ରୀ ଚୌବେ ବାଘ ଛୁଆର ନାଁ ହିମାଂସି ଓ ସିଂହ ଛୁଆର ନାଁ କାମିନୀ ରଖିଥିଲେ। ଏହି ଦୁଇ ମାଈ ଛୁଆ ଜନ୍ମରୁ ମା’ ଯତ୍ନ ପାଇନଥିବା ବେଳେ ଜନ୍ତୁ ରକ୍ଷକମାନଙ୍କ ସେବାଯତ୍ନରେ ବଢ଼ିଥିବା କଥା ଶୁଣି ସେ ବିସ୍ମିତ ହୋଇଥିଲେ। ତେଣୁ ଦୁଇ ଜନ୍ତୁରକ୍ଷକ ପ୍ରଶାନ୍ତ ଗୌଡ଼ ଓ ସୁନୀଲ ସାମଲଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୬ ମାସ ତଳେ ବାଘୁଣୀ ରୁପା ଓ ମହାବଳ ରାଜେଶର ମିଳନରୁ ହିମାଂସି ସମେତ ୩ଟି ଛୁଆ ଜନ୍ମ ନେଇଥିଲେ। କିନ୍ତୁ ରୁପା ଉପଯୁକ୍ତ ଯତ୍ନ ନନେବାରୁ ୨ଟି ବାଘ ଛୁଆ ମରି ଯାଇଥିଲେ। ତେବେ ହିମାଂସି ମରିବା ପୂର୍ବରୁ ତାକୁ ଜନ୍ତୁ ରକ୍ଷକମାନେ ମା’ଠାରୁ ଅଲଗା କରିଥିଲେ। ସେବେଠୁ ହିମାଂସି ଜନ୍ତୁରକ୍ଷକ ପ୍ରଶାନ୍ତ ଗୌଡ଼ଙ୍କ ହେପାଜତରେ ବଢ଼ିବାକୁ ଲାଗିଲା। ଏହା ଭିତରେ ତା’ର ହାର୍‌ନିଆ ଅପରେସନ୍ ବି କରାଯାଇଥିଲା। ସେହିଭଳି ଗତ ୭ ମାସ ପୂର୍ବେ ସିଂହୀ ବିଜ‌୍‌ଲି ଓ ସିଂହ ସମ୍ରାଟର ମିଳନରୁ ୩ଛୁଆ ଜନ୍ମ ନେଇଥିଲେ। ମାତ୍ର ବାଘୁଣୀ ରୁପା ଭଳି ବିଜ୍‌ଲି ବି ଛୁଆମାନଙ୍କ ଯତ୍ନ ନେଲାନାହିଁ। ତେଣୁ ୨ଟି ଛୁଆ ମରିଯାଇଥିଲେ ଓ କାମିନୀ ବଞ୍ଚିଯାଇଥିଲା। ତାକୁ ଜନ୍ତୁ ରକ୍ଷକ ସୁନୀଲ ସାମଲ ଯତ୍ନ କରି ବଢ଼ାଇଛନ୍ତି। ଆଜି ମନ୍ତ୍ରୀଙ୍କ ନନ୍ଦନକାନନ ପରିଦର୍ଶନ ବେଳେ ନିର୍ଦ୍ଦେଶକ ମନୋଜ ଭି ନାୟର, ଉପନିର୍ଦ୍ଦେଶକ ସଂଜିତ୍‌ କୁମାର ଓ ରେଞ୍ଜ ଅଫିସର ସୁଦୀପ୍ତ ପଣ୍ଡାଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe