ଝାରସୁଗୁଡ଼ା/କୋଲାବିରା : ‘ଓଡ଼ିଶାରେ ଶାସନ ବ୍ୟବସ୍ଥା କିଏ ଚଳାଉଛି? ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଯେତିକି ଜାଣିଛି, ମୁଖ୍ୟମନ୍ତ୍ରୀଙ୍କ ହାତରେ ଆଉ ଓଡ଼ିଶାର ଶାସନ ବ୍ୟବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ଭେଟିବାର ସୁଯୋଗ ପାଉନାହାନ୍ତି। ତାଙ୍କ ଦଳର ବିଧାୟକ, ମୁଖ୍ୟ ଶାସନ ସଚିବ, ଡିଜିପି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ କୋଲାବିରା ବ୍ଲକ୍ ଝିର୍ଲିପାଲି ପଞ୍ଚାୟତସ୍ଥିତ ବଡ଼ବାହାଲରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଢଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ସହ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି।
ଝାରସୁଗୁଡ଼ାରେ ଜଣେ ନାବାଳକକୁ ଅପହରଣ କରାଗଲା। ପୁଣି ଫିରୋତି ପାଇଁ ହତ୍ୟା କରାଯିବ, ଏଭଳି କେବେ କାନ ଶୁଣିନଥିଲା। ଏଠି କଳାପାହାଡ଼ିଆ ଶାସନ ଚାଲିଛି। ଝାରସୁଗୁଡ଼ାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ, ବିକାଶ କେମିତି ହେବ? ଗରିବୀ ଓ ଦାରିଦ୍ର୍ୟ ସତ୍ତ୍ବେ ଏମାଟି ଜନନେତା ତିଆରି କରିଛି। ନିର୍ବାଚନ ଏକ ବିଶେଷ ପରିସ୍ଥିତିରେ ହେଉଛି। ମୁଁ ପ୍ରାର୍ଥନା କରୁଛି କେଉଁ ରାଜ୍ୟର ଭାଗ୍ୟରେ ଉପନିର୍ବାଚନ ନଆସୁ। ଦୀପାଳି ଓ ବିଶାଳ ପ୍ରତି ସହାନୁଭୂତି ରହିଛି। ଏଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ନବ ବାବୁଙ୍କ ମୃତ୍ୟୁ ଅସ୍ୱାଭାବିକ ଥିଲା। ରାଜ୍ୟ ସରକାରଙ୍କୁ ଉତ୍ତର ଦେବାକୁ ହେବ, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୁଲିସ କାହିଁକି ଗୁଳିକଲା ଓ ହତ୍ୟା ପଛର କାରଣ କ’ଣ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ପଛୁଆ ବର୍ଗଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିବାକୁ ରାଜ୍ୟ ସରକାର ସର୍ଭେ କରିଛନ୍ତି। ସର୍ଭେ ନୁହେଁ ଏହା ଷଡ୍ଯନ୍ତ୍ର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଗତ ୫ ବର୍ଷରେ ମୁଖ୍ୟମନ୍ତ୍ରୀ କେତେଥର ଆଦିବାସୀ ଉପଦେଷ୍ଟା କମିଟିରେ ଅଧ୍ୟକ୍ଷତା କରିଛନ୍ତି?
ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ଓଡ଼ିଶାରେ ଶାସନ ବ୍ୟବସ୍ଥା କିଏ ଚଳାଉଛି?
କଳାପାହାଡ଼ିଆମାନେ ଓଡ଼ିଶାକୁ ଭୂଲୁଣ୍ଠିତ କରିବାକୁ ଷଡ୍ଯନ୍ତ୍ର କରୁଛନ୍ତି
ଦୀପାଳି ଓ ବିଶାଳଙ୍କ ପ୍ରତି ସହାନୁଭୂତି ରହିଛି
ଝାରସୁଗୁଡ଼ା ପାଇଁ ମୋଦୀ ସରକାରରେ ହୋଇଥିବା ବିକାଶର ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେ କହିଛନ୍ତି, ମୋଦୀ ସରକାରରେ ଝାରସୁଗୁଡ଼ାରେ ଡିଏମ୍ଏଫ୍ରେ ୧୧୩୬ କୋଟି ଟଙ୍କା ଆଦାୟ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଝାରସୁଗୁଡା ପାଇଁ ମୋଟ୍ ୫୯,୨୭୬ ଘର ନିର୍ମାଣ ପାଇଁ ୮୮୯ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ହର୍ ଘର୍ ନଲ୍ ସେ ଜଲ୍ରେ ୬୩ ହଜାର ୮୩୧ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ପାଣି ପହଞ୍ଚାଯିବାର ବ୍ୟବସ୍ଥା ହୋଇଛି। ସ୍ୱଚ୍ଛ ଭାରତ ମିସନରେ ୮୭ ହଜାର ଶୌଚାଳୟ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮୬ ହଜାର ଏବଂ ୫୨ ହଜାର ଏସ୍ସି/ଏସ୍ଟି ପରିବାର ଗ୍ୟାସ୍ ପାଇଛନ୍ତି।
ଏହି ସଭାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଥିଲେ ଯେ ଓଡ଼ିଶା ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ହତ୍ୟା ପରେବି ରାଜ୍ୟ ସରକାର କିଛି କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ରାଜ୍ୟବାସୀ କେତେ ସୁରକ୍ଷିତ? ୨୩ ବର୍ଷ ଧରି କୁଶାସନ ଚାଲିଛି। ଜବାବ ତ ରାଜ୍ୟ ସରକାର ଦେଇ ପାରିବେନି। ସାଂସଦ ଜୁଏଲ ଓରାମ କହିଥିଲେ, ଜାଗା ମିସନରେ ଅନେକ ଲୋକଙ୍କୁ ଜମି ମିଳିଲାନି। ବଡ଼ ବଡ଼ କମ୍ପାନିକୁ ଶହଶହ ଏକର ଜମି ମିଳୁଛି। ଆପଣମନେ ଖୁସି ତ? ସରକାରୀ ବଳ ଲଗାଇ ନିର୍ବାଚନ ଜିତୁଛନ୍ତି ସରକାର। ମନ୍ତ୍ରୀଙ୍କୁ ପୁଲିସ ହତ୍ୟା କରୁଛି। ୯୦ ଦିନ ଗଲା ସରକାର ଏହାର ଉତ୍ତର ଦେଇପାରି ନାହାନ୍ତି। ନବଙ୍କୁ କାହିଁକି ମାରିଲେ? ସରକାର ଏହାର କାରଣ କୁହନ୍ତୁ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ନବ ଦାସଙ୍କ ମୃତ୍ୟୁରେ ନବୀନ ବାବୁ ଖୁସି ତ? ସରକାର କିଏ ଚଳାଉଛି? ମୁଖ୍ୟମନ୍ତ୍ରୀ ଯଦି ଶାସନ ଚଳାଇ ପାରୁନାହାନ୍ତି ତେବେ ଅନ୍ୟ କୌଣସି ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଅନ୍ତୁ। କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ଭବାନୀ ଭୋଇ, ଶଙ୍କର ଓରାମ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କନକବର୍ଦ୍ଧନ ସିଂହଦେଓ, ସମୀର ମହାନ୍ତି, ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।
ସେପଟେ, ସନ୍ଧ୍ୟାରେ ଝାରସୁଗୁଡ଼ା ସହରରେ ରୋଡ୍ ସୋ’ କରି ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଝାରସୁଗୁଡ଼ା ବସ୍ଷ୍ଟାଣ୍ଡରୁ ଆରମ୍ଭ ହୋଇଥିବା ଏହି ରୋଡ୍ ସୋ ସରବାହାଲ ଦୁର୍ଗାମନ୍ଦିର ଯାଏ ଚାଲିଥିଲା। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ଦଳୀୟ ପ୍ରାର୍ଥୀ ଟଙ୍କଧର ଓ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ରୋଡ୍ ସୋରେ ପ୍ରାୟ ୧୫ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ କିଛି ସମୟ ପାଇଁ ସହରରେ ସାଂଘାତିକ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା।
Follow Us