Union minister Dharmendra Pradhan speaks with CM Mohan Charan Majhi. Photograph: (sambad.in)
ସମ୍ବଲପୁର: ରାଜ୍ୟରେ ଚଳିତ ଖରିଫଋତୁର ଧାନ ବିକ୍ରିକୁ ନେଇ ଚାଲିଥିବା ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବିଶେଷ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଖରିଫ ଧନ ବିକ୍ରିକୁ ନେଇ ଚାଷୀ ସଙ୍ଗଠନ ପକ୍ଷରୁ ଗତ କିଛି ଦିନ ପୂର୍ବରୁ ଆନ୍ଦୋଳନ କରାଯାଇଥିଲା। ଚାଷୀ, ପ୍ରଶାସନ ଓ ମିଲର୍ସଙ୍କ ମଧ୍ୟରେ ଆଲୋଚନା ପରେ ଧାନ ବିକ୍ରି ଆରମ୍ଭ ହୋଇ ସୁଚାରୁ ରୂପେ ଚାଲିଥିଲା। ଆଜି ପୁଣି ଟୋକାନ ସମସ୍ୟାକୁ ନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଥିଲେ।
ଆନ୍ଦୋଳନ ସମ୍ପର୍କରେ ସୂଚନା ପାଇବା ପରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୪୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯିବ
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫ୍ସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ସାକ୍ଷାତ୍ କରି ଅନୁରୋଧ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ସ୍ୱାର୍ଥକୁ ରକ୍ଷା କରି ଖରିଫ ଫସଲ ପାଇଁ ଧାନ କିଣିବା ଲକ୍ଷ୍ୟକୁ ୪୦ ଲକ୍ଷ ମେଟ୍ରିକ୍ ଟନ୍ରୁ ବୃଦ୍ଧି କରି ୪୭ ଲକ୍ଷ ମେଟ୍ରିକ୍ ଟନ୍ କରାଯାଇଛି। ସେହିପରି ରବି ଫସଲ ପାଇଁ ଏହି ଲକ୍ଷ୍ୟକୁ ୧୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୧୧ ଲକ୍ଷ ମେଟ୍ରିକ୍ ଟନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି ତଥା ମୋଟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ନିଷ୍ପତ୍ତି ନିଆଯାଇଥିଲା।
Follow Us