ଝାରସୁଗୁଡ଼ାର ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ କରିବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଐତିହାସିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଜନଜାତି ସମୁଦାୟର ପ୍ରତିନିଧିତ୍ୱ କାହିଁ କେଉଁ କାଳରୁ ରହିଆସିଛି । ଜନଜାତିକୁ ବାଦ୍ ଦେଇ ଓଡ଼ିଆ ସଭ୍ୟତାର ପରିକଳ୍ପନା ଅସମ୍ଭବ । ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଜନଜାତୀୟ ମୂଳକୁ ମନେ ପକାଇ ଓଡ଼ିଆ ଜାତି ସବୁବେଳେ ଗର୍ବ କରିଆସିଛି । ଏହି କାରଣରୁ ହିଁ ଓଡ଼ିଶାର ଶାସକଶ୍ରେଣୀ କାଳେକାଳେ ଜନଜାତି ଭାଇଭଉଣୀମାନଙ୍କୁ ଆପଣା ପ୍ରଜାଠାରୁ ବି ଅଧିକ ବୋଲି ମଣିଆସିଛନ୍ତି ।

ଏହିକ୍ରମରେ ଝାରସୁଗୁଡ଼ା କୋଲାବିରାର ଗୋଁଣ୍ଡ ଗଉଁତିଆ ଶହୀଦ କରୁଣାକର ସିଂହ ନାଏକ ଥିଲେ ଗୋଁଣ୍ଡ ସମୁଦାୟର ଅନ୍ୟତମ ସର୍ବମାନ୍ୟ ମୁଖିଆ । ପୃଥିବୀର ସର୍ବପୁରାତନ ଜନଜାତି ଭିତରୁ ଅନ୍ୟତମ ଏହି ଗୋଁଣ୍ଡ ସମୁଦାୟ ଓଡ଼ିଶା ସମେତ ସମଗ୍ର ମଧ୍ୟ-ଭାରତର ବିରାଟ ଭୂଖଣ୍ଡରେ ଶତାବ୍ଦୀ ଶତାବ୍ଦୀ ଧରି ରାଜୁତି କରି ଆସୁଛନ୍ତି। ରାଣୀ ଦୁର୍ଗାବତୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ ମାଧୋ ସିଂହ, ବୀର ସୁରେନ୍ଦ୍ର ସାଏ ପ୍ରମୁଖଙ୍କ ନେତୃତ୍ୱର ବୀରଗାଥା ଗୋଁଣ୍ଡ ଜନଜାତି ତଥା ସମସ୍ତ ଭାରତୀୟଙ୍କୁ ଗର୍ବ କରିବାକୁ ବାଧ୍ୟ କରେ। ଗୋଁଣ୍ଡୱାନା ଛକକୁ ବିପ୍ଳବୀ ବୀର ତଥା ଶହୀଦ କରୁଣାକର ସିଂହ ନାଏକଙ୍କ ନାଁରେ ନାମିତ କରାଗଲେ ଏହି ମହାନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଝାରସୁଗୁଡ଼ାବାସୀ ଏବଂ ଗଣ୍ଡ ସମାଜ ପ୍ରତି ଉପଯୁକ୍ତ ସମ୍ମାନ ମିଳିବ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ମୁକ୍ତି ସଂଗ୍ରାମରେ ଗଣ୍ଡ ସମାଜର ତ୍ୟାଗ ଏବଂ ବଳିଦାନ ଅବିସ୍ମରଣୀୟ। ଆମେ ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଅଛେ, ଜନଜାତି ସମାଜର ସଂଗ୍ରାମୀ ବୀର–ବୀରାଙ୍ଗନାମାନଙ୍କର ଅକୁହା-ଅଲେଖା କଥା-କାହାଣୀଗୁଡ଼ିକୁ ଲୋକଲୋଚନକୁ ଆଣିବାର ଗୁରୁଦାୟିତ୍ୱ ବି ଆମେ ତୁଲାଉଛେ। ଓଡ଼ିଶାର, ବିଶେଷ କରି ପଶ୍ଚିମାଞ୍ଚଳର ଜନଜାତି ଅଧିନାୟକମାନଙ୍କୁ ସର୍ବଭାରତୀୟ ପାଠ୍ୟଖସଡ଼ାରେ ଯଥାସ୍ଥାନ ଦେବା ନିମନ୍ତେ ଆମେ ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୧୧ ତାରିଖରେ ଝାରସୁଗୁଡ଼ାର କଟାପାଲି ଷ୍ଟାଡିୟମଠାରେ ‘ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା’ର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ ସ୍ଥାନୀୟ ସମାଜର ଦାବି କ୍ରମେ ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe