en.wikipedia.org
ଜଗତସିଂହପୁର : ରବିବାର ପାରାଦୀପ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ। ଅପରାହ୍ନରେ ୩ଟାରେ ପହଞ୍ଚି ସେ ସିଧାସଳଖ ସାମୁଦ୍ରିକ ଥାନାକୁ ଯିବେ। ସେଠାରେ ସେ ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଥାନାର ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିବେ। ପରେ ମାଛ ଧରା ବନ୍ଦରରେ ପହଞ୍ଚି ସେ ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା କରିବେ। ପାରାଦୀପକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହଠାତ୍ ଗସ୍ତ ଓ ସାମୁଦ୍ରିକ ଥାନା ପୁଲିସ ସହ ଆଲୋଚନା ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରାଯାଉଛି। ଏଥିପାଇଁ ପାରାଦୀପ ବନ୍ଦର ନ୍ୟାସ ଓ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପାରାଦୀପ ବନ୍ଦର ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ସହ ସମୁଦ୍ର ତଟରେ ସୁରକ୍ଷା ବ୍ୟବସ୍ଥା କେମିତି ରହିଛି, ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ତଦାରଖ କରିବେ। ସମୁଦ୍ର ପଟୁ କୌଣସି ଆକ୍ରମଣ ହେଲେ ଏହାକୁ କିପରି ପ୍ରତିରୋଧ କରାଯିବ, ସେଥିପାଇଁ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ପକ୍ଷରୁ ପ୍ରତ୍ୟେକ ବର୍ଷ ଏକାଧିକ ଥର ସମରାଭ୍ୟାସ କରାଯାଉଛି। ତଥାପି ଏଥିରେ ଯେପରି କୌଣସି ଊଣା ନ ରହେ, ସେଥିପାଇଁ ପ୍ରଥମ ଥର ପାଇଁ ଦେଶର ଗୃହ ରାଷ୍ଟ୍ରମନ୍ତ୍ରୀ ପାରାଦୀପକୁ ଆସୁଥିବା କୁହାଯାଉଛି।
Follow Us