ସମ୍ବଲପୁର ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ଓବିସିକୁ ଅବହେଳା କରାଯାଉଛି: ଧର୍ମେନ୍ଦ୍ର

ସମ୍ବଲପୁର ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

କୁଚିଣ୍ଡା/ବାମରା: ୨୪ ବର୍ଷ ଶାସନରେ ରହିବା ପରେ ବି ଓବିସିମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ଅଧିକାର ଦେଉନାହାନ୍ତି ଓଡ଼ିଶା ସରକାର। ଓଡ଼ିଶାରେ ଓବିସିଙ୍କୁ ଅବହେଳା କରାଯାଉଛି। ଲାଗୁ କଲେ କାଳେ, ମୋଦିଙ୍କ ଡବଲ ଇଞ୍ଜିନ କାଳେ ଲାଗିଯିବ, ଏଥିପାଇଁ ରାଜ୍ୟ ସରକାର ଭୟଭୀତ ବୋଲି ସୋମବାର ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେଛ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ପାଇଁ ନିଷ୍ପତ୍ତି ନେବା ପରେ ବି ରାଜ୍ୟ ସରକାର ନିଜସ୍ୱ ଯୋଜନା ନାଁରେ ମିଛ ପ୍ରଚାର କରୁଛନ୍ତି । ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ । ଓଡ଼ିଶା ସରକାର ପ୍ରଚାର ସର୍ବସ୍ୱ ସରକାର। ସମ୍ବଲପୁରର କୁଚିଣ୍ଡା, ବାମରା, ମହୁଲପାଲି, କେଶାଇ ବାହାଲ, କୁନ୍ତରା, ଜମନକିରା, ଗଡ଼ପୋଷ, ଫାଶିମାଲ, କୁଲୁଣ୍ଡି ଓ ନିକ୍ତିମାଲ ଭଳି ଗ୍ରାମାଞ୍ଚଳରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପଦ ଅନୁସାରେ ଡାକ୍ତର ନାହାନ୍ତି। ଲୋକଙ୍କ ଟିକସ ପଇସାରେ ରାଜ୍ୟ ରାଜକୋଷକୁ ଆସୁଥିବା ଅର୍ଥର ଖର୍ଚ୍ଚ କରି କେବଳ ମିଛ ବିଜ୍ଞାପନ ଓ ବଡ଼ ବଡ଼ ହୋର୍ଡିଂରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ସୀମିତ ରହିଛି। ଜଳ ଜୀବନ ମିସନରେ ସମ୍ବଲପୁର ଜିଲ୍ଲାରେ ମୋଟ ୧,୬୪,୫୭୪ ପରିବାର ମଧ୍ୟରୁ ୭୦,୬୧୦ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଛି । ପ୍ରତି ଘରକୁ ପାଇପ ଯୋଗେ ପାଣି ଦେବା ପାଇଁ ଅର୍ଥର ବ୍ୟବସ୍ଥା କରିବା ପରେ ବି ଗାଁରେ ପାଣି ଆସୁନି । ପଇସା ଠିକାଦାର ପକେଟକୁ ଯାଉଛି, ଏହା କଣ ଲମ୍ବା ଶାସନର ରୂପାନ୍ତରଣ କି ? ଲମ୍ବା ସମୟର ଶାସନରେ ମୌଳିକ ସୁବିଧା ଆଜି ବି ଲୋକଙ୍କ ପାଖରେ ଅପହଞ୍ଚ। ମୋଦୀ ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି।

ପରଘର ତିଅଣରେ ଅତିଥି ସତ୍କାର କରୁଛନ୍ତି ଓଡ଼ିଶା ସରକାର

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ମୋଦୀଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢୁଥିବା ବେଳେ ଗରିବ, ମହିଳା, ଚାଷୀ, ବଞ୍ଚିତ, ଓ ଯୁବକମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି। ସମସ୍ତଙ୍କୁ ପକ୍କା ଘର, ପାଇପ ଯୋଗେ ପାନୀୟ ଜଳ, ରୋଷେଇ ଗ୍ୟାସ, ମାଗଣା ଚାଉଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହ ମହିଳାମାନଙ୍କୁ ଲକ୍ଷପତି ବନାଇବାର ସ୍ୱପ୍ନ ପୂରଣ କରାଯାଉଛି। ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ କୁନ୍ତଳା ସାହୁ, ରଜନୀ ସାହୁ ଓ ମୋତିରଞ୍ଜନ ପୃଷେଠ ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନାର କିଭଳି ଭାବେ ଉପକୃତ ହୋଇଛନ୍ତି, ତାହା ଉପରେ ବର୍ଣ୍ଣନା କରିଥିଲେ। ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ। ସଭାରେ ବିଧାୟକ ନାଉରୀ ନାୟକ, ପୂର୍ବ ବିଧାୟକ ବୃନ୍ଦାବନ ମାଝି, ରବିନାରାୟଣ ନାୟକ, ବାମରା ପଞ୍ଚାୟତ ସମିତି ଅଧ୍ୟକ୍ଷ ପିଙ୍କି ଧରୁଆଙ୍କ ସହିତ ଧୀରେନ୍ଦ୍ର ଦାଶ , ମାନସ ରଞ୍ଜନ ପଧାନ, ଗୌତମ ପାତ୍ର, ସୁବୋଧ ମହାନ୍ତି, ଶ୍ୟାମସୁନ୍ଦର ମହାରଣା, ସବ୍ୟସାଚୀ ମୁଖାର୍ଜୀ, ରିଜୁ ଗାଙ୍ଗୁଲି, ଟୁନୁ ମେହେର ପ୍ରମୁଖ ଅଧିକାରୀଗଣ ମଞ୍ଚାସୀନ ଥିଲେ। ବାମରା ବିଡିଓ ପୁଷ୍ପକ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବାବେଳେ ଏବିଡିଓ ସୁଶାନ୍ତ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe