ବିଏସ୍‌କେୱାଇ, ମିସନ୍‌ ଶକ୍ତିକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ଜନଜାତିଙ୍କ ସୁବିଧା ପାଇଁ ୫୦ହଜାର ମାମଲା ରଦ୍ଦ

ବିଏସ୍‌କେୱାଇ, ମିସନ୍‌ ଶକ୍ତିକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର/ଉମରକୋଟ/ଝରିଗାଁ/ମଇଦଲପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲାକୁ ନିର୍ବାଚନୀ ପ୍ରଚାରରେ ଆସି ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଭିକେ ପାଣ୍ଡିଆନ। ଉମରକୋଟ, ଧୋଡ଼୍ରା, ମଇଦଲପୁର ଓ ପୂଜାରୀଗୁଡ଼ାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଶ୍ରୀ ପାଣ୍ଡିଆନ ବିକାଶ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଲେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ), ମିସନ ଶକ୍ତି କାର୍ଯ୍ୟକ୍ରମ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡ଼୍‌ଯନ୍ତ୍ର କରୁଛନ୍ତି। ମା’ମାନଙ୍କ ଦୁବାଇ ଗସ୍ତ ମଧ୍ୟ ବନ୍ଦ କରିଦେଲେ। ୫ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରହିବା ପରେ ମଧ୍ୟ ନିଜ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଲେ ନାହିଁ। ସେ ଚାହିଁଥିଲେ ନବରଙ୍ଗପୁରରେ ୩ରୁ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। ଓଡ଼ିଶା ସରକାର ୫-ଟି ଅଧୀନରେ ୮ ହଜାରରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି। ତେଣୁ ବିକାଶ ହେଉଛି। ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି ଓ ସମ୍ମାନ କରନ୍ତି। ଜନଜାତି ଭାଷା ସଂସ୍କୃତି ଓ ଧର୍ମସ୍ଥଳୀର ଉନ୍ନତି ପାଇଁ କେଉଁ ରାଜ୍ୟ ବି ଚିନ୍ତା କରିନି। ଜନଜାତିଙ୍କ କଳା, ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇ ଭାଷା, କଳା, ସଂସ୍କୃତି, ଧର୍ମସ୍ଥଳୀର ବିକାଶ କରାଯାଉଛି।

ଜନଜାତିଙ୍କ ସୁବିଧା ପାଇଁ ୫୦ ହଜାର ଛୋଟଛୋଟ ମାମଲା ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଆଉ କୋର୍ଟ କଚେରି ଦୌଡ଼ିବାକୁ ପଡ଼ିବ ନାହିଁ। ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇଁ ଯୋଜନା କରାଯାଇଛି। ଜନଜାତି ପିଲାଙ୍କ ପାଠ ପଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ହଷ୍ଟେଲ କରିଛନ୍ତି। ସାରା ଭାରତରେ ସବୁଠାରୁ ଅଧିକ ହଷ୍ଟେଲ ଓଡ଼ିଶାରେ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୪ଟି ଡିଗ୍ରି କଲେଜକୁ ମଞ୍ଜୁର କରିଛନ୍ତି। ଆଉ ଯାହା ଲୋକଙ୍କ ଦାବି ରହିଛି ତାହା ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନୀ ସଭାରେ ପାଣ୍ଡିଆନଙ୍କ ସହ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ, ଉମରକୋଟ ବିଧାୟକ ପ୍ରାର୍ଥିନୀ ନବୀନା ନାୟକ, ଝରିଗାଁ ବିଧାୟକ ପ୍ରାର୍ଥୀ ରମେଶ ମାଝୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟିକା ପ୍ରାର୍ଥିନୀ କୌଶଲ୍ୟା ପ୍ରଧାନୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe