୩ ଜିଲ୍ଲାରେ ୨୩୨ ପେଟ୍ରୋଲ ପମ୍ପ କାର୍ଯ୍ୟକ୍ଷମ ହୋଇଛି

ପେଟ୍ରୋଲିୟମ୍ କମ୍ପାନିର ବରିଷ୍ଠ ଅଧିକାରୀଙ୍କୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସମୀକ୍ଷା, ପ୍ରଭାବିତ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଏଲ୍‌ପିଜି ମହଜୁଦ ଅଛି

୩ ଜିଲ୍ଲାରେ ୨୩୨ ପେଟ୍ରୋଲ ପମ୍ପ କାର୍ଯ୍ୟକ୍ଷମ ହୋଇଛି

ଭୁବନେଶ୍ବର : ବାତ୍ୟା ପ୍ରଭାବିତ ପୁରୀ, ଖୋର୍ଦ୍ଧା ଓ କଟକରେ ୨୩୪ଟି ପେଟ୍ରୋଲ ପମ୍ପ ରହିଛି। ତାହା ମଧ୍ୟରୁ ୨୩୨ଟି ପେଟ୍ରୋଲ ପମ୍ପ କାର୍ଯ୍ୟକ୍ଷମ ହୋଇଛି। ଆସନ୍ତାକାଲି ଆଉ ଦୁଇଟି କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ବାତ୍ୟା ପରେ ରାଜ୍ୟରେ ପେଟ୍ରୋଲ, ଡିଜେଲ୍‌, ଏଲ୍‌ପିଜିର ସ୍ଥିତି ସମ୍ପର୍କରେ ବିଭିନ୍ନ ପେଟ୍ରୋଲିୟମ୍ କମ୍ପାନିର ବରିଷ୍ଠ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ମନ୍ତ୍ରୀ ଆଜି ଭୁବନେଶ୍ବରରେ ଏକ ସମୀକ୍ଷା ବୈଠକ କରିଥିଲେ। ‌ବୈଠକ ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଥିଲେ, ଫନି ଦ୍ବାରା ଏହି ଜିଲ୍ଲାଗୁଡ଼ିକରେ ପ୍ରାୟ ୨୦୦ ପେଟ୍ରୋଲ ପମ୍ପ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ସାତ ଦିନ ଭିତରେ ସବୁଗୁଡ଼ିକ ସଚଳ ହୋଇପାରିଛି। ଯାହା କ୍ଷତି ହୋଇଛି, ତାହାର ସମସ୍ତ କାମ ବର୍ଷା ଦିନ ସୁଦ୍ଧା ଶେଷ ହେବ। ଏବେ ପୁରୀରେ ପ୍ରତିଦିନ ୩ ଲକ୍ଷ ଲିଟର ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସରକାରୀ ଅଫିସ୍‌, ବ୍ୟାଙ୍କ ଓ ଟେଲିକମ୍ ସଂସ୍ଥାଗୁଡ଼ିକ ପକ୍ଷରୁ ଲଗାଯାଇଥିବା ଜେନ୍‌ସେଟ୍‌ ଓ ଡିଜି ପାଇଁ ପେଟ୍ରୋଲିୟମ୍ କମ୍ପାନିଗୁଡ଼ିକ ପକ୍ଷରୁ ୮ଟି ଭ୍ରାମ୍ୟମାଣ ଡିଜେଲ୍‌ ଟ୍ୟାଙ୍କ୍‌ର ବ୍ୟବସ୍ଥା ହୋଇଛି।

ଏଲ୍‌ପିଜି ସ୍ଥିତି ନେଇ ‌କେନ୍ଦ୍ର ମନ୍ତ୍ରୀ କହିଥିଲେ, ବାତ୍ୟା ପ୍ରଭାବିତ ଏହି ଜିଲ୍ଲାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଏଲ୍‌ପିଜି ମହଜୁଦ୍ ରହିଛି। ପୁରୀ ଜିଲ୍ଲାର ୩୪, ଖୋର୍ଦ୍ଧାର ୬୯ ଓ କଟକର ୫୯ ବିତରକ ସମସ୍ତେ କାର୍ଯ୍ୟକ୍ଷମ ‌ଅଛନ୍ତି। ପୁରୀ‌େର ପ୍ରତିଦିନ ଗ୍ରାହକମାନେ ୪ ହଜାର ସିଲିଣ୍ଡର୍ ନେଉଥିଲା ବେଳେ ଏହି ସଂଖ୍ୟା ଗତକାଲି ୫୭୦୦ରେ ପହଞ୍ଚିଛି। ସେହିପରି ଖୋର୍ଦ୍ଧାରେ ଏହି ସଂଖ୍ୟା ୧୩ ହଜାରରୁ ୧୬ ହଜାରରେ ପହଞ୍ଚିଥିଲା ବେଳେ କଟକରେ ୯୩୦୦ରୁ ବିକ୍ରି ସଂଖ୍ୟା ୧୧,୧୦୦ରେ ପହଞ୍ଚିଛି। ରିଲିଫ୍ କାମରେ ସହାୟତା ପାଇଁ ପର୍ଯ୍ୟାପ୍ତ ପରିମାଣର କିରାସିନି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe