ବଲାଙ୍ଗୀରରେ କେନ୍ଦ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି: କେନ୍ଦ୍ରୀୟ ଯୋଜନାର ସମୀକ୍ଷା

Advertisment
ବଲାଙ୍ଗୀରରେ କେନ୍ଦ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି: କେନ୍ଦ୍ରୀୟ ଯୋଜନାର ସମୀକ୍ଷା

ବଲାଙ୍ଗୀର: ଏବେ ରାଜ୍ୟରେ ପଞ୍ଚାୟତଠାରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସବୁଥିରେ ବିଜେଡିର ମହିଳା କାର୍ଡ। ଏସ୍‌ଏଚ୍‌ଜିକୁ ନେଇ ରାଜନୀତି। ସଶକ୍ତ କରିବା ନାଁରେ ନିଜ ନିଜ ଦଳକୁ ସଶକ୍ତ କରିବାରେ ଲାଗିଛନ୍ତି ରାଜନୈତିକ ଦଳ। ଏସ୍‌ଏଚ୍‌ଜି ମାଧ୍ୟମରେ ମହିଳାଙ୍କୁ ସଶକ୍ତୀକରଣ କରୁଥିବାର କ୍ରେଡିଟ ନେଇଥାନ୍ତି ରାଜ୍ୟ ସରକାର। କିନ୍ତୁ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ଚେକମେଟ ଦେଇଛନ୍ତି ବଲାଙ୍ଗୀର ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି। ଆଜି ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ପାଣ୍ଠି ବିନିଯୋଗକୁ ନେଇ ସମୀକ୍ଷା କରିଥିଲେ ଗ୍ରାମ୍ୟ ଉନ୍ନୟନ ଓ ଖାଦ୍ୟ ଯୋଗାଣ କେନ୍ଦ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି। ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ସଦର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ସହିତ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

ଜିଲ୍ଲାରେ ଚାଲିଥିବା ମନ୍‌ରେଗା ପାଣ୍ଠି ବିନିଯୋଗକୁ ନେଇ ସମୀକ୍ଷା କରିଥିଲେ ମନ୍ତ୍ରୀ। ନୀତି ଆୟୋଗ ତାଲିକାରେ ପଛରେ ଥିବା ବଲାଙ୍ଗୀର ଜିଲ୍ଲା ଧୀରେ ଧୀରେ ଆଗକୁ ବଢୁଥିବାର ସୂଚନା ଦେଇଥିଲେ ମନ୍ତ୍ରୀ। କିନ୍ତୁ ଏବେବି ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନେକ ତ୍ରୁଟି ଦର୍ଶାଇଥିଲେ ମନ୍ତ୍ରୀ ନିରଞ୍ଜନ ଜ୍ୟୋତି। ତେଣୁ ଭୁଲ ସୁଧାରି ସାଧାରଣ ଲୋକଙ୍କ ପାଇଁ ସରକାରୀ ଯୋଜନା ବିନିଯୋଗ କରିବାକୁ ଉପଦେଶ ଦେଇଥିଲେ ମନ୍ତ୍ରୀ। ଚାଷ ଜମିକୁ ଜଳସେଚିତ କରିବା ପାଇଁ ମନ୍‌ରେଗା ମାଧ୍ୟମରେ ଏଥର ଟଙ୍କା ଖର୍ଚ୍ଚ କରାଯାଇ ପାରିବ ବୋଲି ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ସମୀକ୍ଷାର ଶେଷ ପର୍ଯ୍ୟାୟରେ ବଛା ବଛା ଏସ୍‌ଏଚ୍‌ଜି ମହିଳାମାନେ ସେମାନଙ୍କ ଉତ୍ପାଦନ ପ୍ରଦର୍ଶନ କରିଥିଲେ।

ଏସ୍‌ଏଚ୍‌ଜି ମାଧ୍ୟମରେ ଦେଶରେ ୮କୋଟି ମହିଳା ସଶକ୍ତ ହେଉଥିବାରୁ ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ର ମନ୍ତ୍ରୀ। କିନ୍ତୁ ଏସ୍‌ଏଚ୍‌ଜିର ସଫଳତା ରାଜ୍ୟ ସରକାରଙ୍କ ନା କେନ୍ଦ୍ର ସରକାରଙ୍କର ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ରଖି ମନ୍ତ୍ରୀ କହିଥିଲେ ଏ ଉପଲବ୍ଧି କେନ୍ଦ୍ର ସରକାରଙ୍କର। କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗିତା ନିହାତି ଜରୁରି। ବଲାଙ୍ଗୀର ଭଳି ଏକ ଦାଦନପ୍ରବଣ ଜିଲ୍ଲାରେ ମନ୍‌ରେଗା ଯୋଜନାର ସଫଳ ରୂପାୟନ ନିହାତି ଜରୁରି ଓ ଏଥିରେ କିଛି ତ୍ରୁଟି ରହିଥିବାରୁ ତାହା ସୁଧାରି ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ମନ୍ତ୍ରୀ। କିନ୍ତୁ କଉଠି, କେମିତି ଓ କଣ ତ୍ରୁଟି ରହିଛି ସେ ସଂପର୍କରେ ସମ୍ୟକ ସୂଚନା ବି ଦେଇନଥିଲେ ମନ୍ତ୍ରୀ ସାଧ୍ବୀ ନିରଞ୍ଜନ। ଅନେକ ବିବାଦୀୟ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ। ବଲାଙ୍ଗୀର ପ୍ରଧାନମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ ଏ ଜିଲ୍ଲାର ଦଶା ଦେଖି ଦିଶା ନିର୍ଦ୍ଦେଶ ଦେବାକୁ ସେ ବଲାଙ୍ଗୀର ଗସ୍ତ କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ବୟାନ ରଖିଥିଲେ ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe