ଝାରସୁଗୁଡ଼ା : ‘ଉଡ଼ାଣ’ ଯୋଜନାରେ ଝାରସୁଗୁଡ଼ାରେ ପ୍ରତିଷ୍ଠିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଦେଶରେ ଶ୍ରେଷ୍ଠତ୍ବ ହାସଲ କରିଛି। ଏହି ବିମାନବନ୍ଦର ଯାତ୍ରୀ ସେବାରେ ମଧ୍ୟ ନିଜର ସ୍ଥିତି ଜାହିର କରିପାରିଛି। ସୋମବାର ଦିନ ଝାରସୁଗୁଡ଼ା ‘ଉଡ଼ାଣ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି, କରୋନା କାଳରେ ଦେଶର ବଡ଼ ବଡ଼ ବିମାନବନ୍ଦର କ୍ଷତିରେ ଚାଲିଥିବା ବେଳେ ଝାରସୁଗୁଡ଼ାରେ ଏହା ଉଲ୍ଲେଖନୀୟ ସଫଳତା ହିଁ ଆଜିର ଏହି ଶ୍ରେଷ୍ଠତ୍ବ ପ୍ରମାଣ କରିଛି। ଏହି ଅବସରରେ ସେ ଝାରସୁଗୁଡ଼ା ବିମାନବନ୍ଦର ପାଇଁ ୭୫ କୋଟି ଟଙ୍କା ସହିତ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିବା ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଜୟପୁର ଓ ଉତ୍କେଲା ବିମାନବନ୍ଦର ପାଇଁ ଯେତେଶୀଘ ପ୍ରସ୍ତାବ ଦେବେ, ମନ୍ତ୍ରାଳୟ ସେତେଶୀଘ୍ର ଅନୁମତି ଦେବ।
ସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଏହି ବିମାନବନ୍ଦର ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିବା ବେଳେ ଆଗକୁ ମଧ୍ୟ ସହଯୋଗ କରିବେ ବୋଲି କହିଥିଲେ। ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପ୍ରମୁଖ ଏଠାରୁ ଆହୁରି ଅଧିକ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦେଇଥିଲେ। ବିଭାଗୀୟ ଯୁଗ୍ମ ସଚିବ ଉଷା ପାଢ଼ୀ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ରାଜୀବ ବଂସଲ, ଏଇଆଇ ଅଧ୍ୟକ୍ଷ ସଂଜୀବ କୁମାର, ରାଜ୍ୟ ପରିବହନ ସଚିବ ମଧୁସୂଦନ ପାଢ଼ୀ, ବିଧାୟକ କୁସୁମ ଟେଟେ, ନାଉରି ନାଏକ, ସୁବାସ ପାଣିଗ୍ରାହୀ, ଭବାନୀ ଭୋଇ, ଜିଲ୍ଲାପାଳ ସରୋଜ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ।
Follow Us