‌କେନ୍ଦ୍ରମନ୍ତ୍ରୀ ବି‌ଶ୍ବେଶ୍ବରଙ୍କୁ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ: ବିଜେପି ପକ୍ଷରୁ ଥାନାରେ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

Advertisment
‌କେନ୍ଦ୍ରମନ୍ତ୍ରୀ ବି‌ଶ୍ବେଶ୍ବରଙ୍କୁ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ: ବିଜେପି ପକ୍ଷରୁ ଥାନାରେ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

ଜଗତସିଂହପୁର/ନାଉଗାଁ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବି‌ଶ୍ବେଶ୍ବର ଟୁଡ଼ୁଙ୍କୁ ଆଜି ଜଗତ୍‌ସିଂହପୁରର ନାଉଗଁାରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଦଳର କର୍ମୀମାନେ ଶ୍ରୀ ଟୁଡୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଛନ୍ତି। ଏକ ବିଦ୍ୟାଳୟର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ଯାଉଥିବାବେଳେ ଏହି ଘଟଣା ଘଟିଛି। ଘଟଣାର ପ୍ରତିବାଦରେ ବିଜେପି ପକ୍ଷରୁ ଥାନାରେ ଅଭିଯୋଗ ସହିତ କଂଗ୍ରେସ କର୍ମୀଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ଆଜି ପୂର୍ବାହ୍ନରେ ଅଙ୍ଗେଶ୍ବରପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଭଗବାନ ଦାସଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକୀ ସଭାରେ ଯୋଗଦେବାକୁ ଯାଉଥିଲେ। କେନ୍ଦ୍ରମନ୍ତ୍ରୀଙ୍କ କାରକେଡ୍ ଆସୁଥିବାବେଳେ ଅଲଣା ହାଟ ଓ ମୁଣ୍ଡାଳ ନିକଟରେ ଦୁଇଟି ସ୍ଥାନରେ ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆଙ୍କ ନେତୃତ୍ବରେ ୬ ରୁ ୭ ଜଣ ଛାତ୍ର କଂଗ୍ରେସ କର୍ମୀ ଏକାଠି ହୋଇ କେନ୍ଦ୍ରମନ୍ତ୍ରୀଙ୍କ କାର୍‌କୁ ଅଣ୍ଡାମାଡ଼ କରିବା ସହ କଳା ପତାକା ପ୍ରଦର୍ଶନ କରିଥିଲେ। ଏ ନେଇ ପୁଲିସ କିମ୍ବା ଗୁଇନ୍ଦା ବିଭାଗ ପାଖରେ ଖବର ନଥିଲା। ଯେଉଁଥିପାଇଁ ପୁଲିସ୍‌ ବି ହଠାତ୍ କୌଣସି ପଦକ୍ଷେପ ଗ୍ରହଣ କରିପାରିନଥିଲେ। ଏପରିକି, ଏହିଭଳି ଏକ ଅପ୍ରତ୍ୟାଶିତ ଘଟଣାରେ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଓ ବିଜେପି କର୍ମୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ଛାତ୍ର କଂଗ୍ରେସ ନେତା ସୁନିଲଙ୍କ କହିବା ମୁତାବକ, ଦରଦାମ ବୃଦ୍ଧି, ଉତ୍ତରପ୍ରଦେଶ ଖେରୀରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଚାଷୀମାନଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିବା ଭଳି ଘଟଣାର ପ୍ରତିବାଦରେ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଛି। ଆଜି କେନ୍ଦ୍ରମନ୍ତ୍ରୀ ଯେଉଁ ଅଞ୍ଚଳକୁ ଆସିଥିଲେ, ସେଠାରେ ପ୍ରାୟ ତିନି ଶହରୁ ଊର୍ଦ୍ଧ୍ବ ଦଳିତ ଆଦିବାସୀ ଲୋକ ବସବାସ କରୁଛନ୍ତି। ସେମାନଙ୍କର ଥଇଥାନ ଓ ମୌଳିକ ସେବା ପ୍ରଦାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ କଂଗ୍ରେସ୍‌ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଢ଼ ବିରୋଧ କରିଛି। ବିଜେପି ସରକାରର ମନ୍ତ୍ରୀଙ୍କୁ ଓଡିଶା ମାଟିରେ ପୂରାଇ ଦେବୁ ନାହିଁ, ଆଗାମୀ ଦିନରେ ଆନ୍ଦୋଳନ ଓ ଜୋରଦାର ବିରୋଧ କରାଯିବ ବୋଲି ରାଜ୍ୟ ଉପସଭାପତି ସୁନିଲ ମାଟିଆ, ପ୍ରୀତମ ପରିଜା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଜେନା, ଜିଲ୍ଲା ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁ, ଯୁବ ସମ୍ପାଦକ ରଶ୍ମିରଂଜନ ତ୍ରିପାଠୀ ପ୍ରମୁଖ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ନାଉଗାଁ ମଣ୍ତଳ ସଭାପତି ନିଲୁରାମ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଓ ଅନ୍ୟମାନେ ଏଭଳି ଘଟଣାର ନିନ୍ଦା କରିଛନ୍ତି। ଏକ ଶିକ୍ଷାନୁଷ୍ଠାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କୌଣସି ରାଜନୈତିକ ସଭାର କାର୍ଯ୍ୟକ୍ରମ ନଥିଲା। ଛାତ୍ର କଂଗ୍ରେସର ଏପରି ନିନ୍ଦିତ ବ୍ୟବହାର ହୀନ ରାଜନୀତିର ପରିଚୟ ଦେଉଛି। ଏଥିନେଇ ସେମାନେ ଥାନାରେ ଅଭିଯୋଗ କରିବା ସହ ପୁଲିସ୍‌ ତୁରନ୍ତ ସେମାନଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛନ୍ତି। ନଚେତ୍‌, ଆଗାମୀ ଦିନରେ କଂଗ୍ରେସ ନେତାମାନଙ୍କୁ ନାଉଗାଁ ଅଞ୍ଚଳରେ ଦୃଢ଼ ଜବାବ ଦିଆଯିବ ବୋଲି ଚେତାଇ ଦେଇଛନ୍ତି। ନାଉଗାଁ ଥାନା ଏସ୍‌ଆଇ ବିଭୂତି କୁମାର ବିଶ୍ବାଳ ଆନ୍ଦୋଳନକାରୀଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe