ଝାରସୁଗୁଡ଼ା : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସ୍ଥାନୀୟ ସର୍କିଟ ହାଉସ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ବିଶେଷ କରି ଝାରସୁଗୁଡ଼ାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳମଣ୍ଡଳର ବିଭିନ୍ନ ପ୍ରକଳ୍ପର ସ୍ଥିତି ବିଷୟରେ ସମୀକ୍ଷା​ କରିଥିଲେ। ନିର୍ମାଣାଧୀନ ଓ ଅଧା ପଡ଼ିଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ରେଳଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ।
ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ କହିଲେ, ଝାରସୁଗୁଡ଼ା ଜିଲ୍ଲାରେ ଥିବା ତିନିଟି ରେଳ ଡିଭିଜନ୍ ନେଇ କାର୍ଯ୍ୟ ପ୍ରଣାଳୀରେ ରହିଥିବା ସମସ୍ୟା ଓ ନୂତନ ଡିଭିଜନ୍ ଗଠନ ନେଇ ଅନୁଧ୍ୟାନ କରାଯିବ। ମାଲକାନଗିରି, ଜୟପୁର, କୋରାପୁଟ, ନବରଙ୍ଗପୁର, ଥିରୁବାଲି-ଗୁଣୁପୁର ଲାଇନ୍ର ସମସ୍ୟା ସମାଧାନ କରାଯାଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ସ୍ବତନ୍ତ୍ର ଟ୍ରେନ୍ ଆଳରେ ଅଧିକ ଟିକେଟ ଆଦାୟ ଉପରେ ମନ୍ତ୍ରୀ କହିଥିଲେ, କରୋନା ସ୍ଥିତି ସୁଧୁରିବା ସହିତ ରେଲୱେରେ ମଧ୍ୟ ୭୫ ରୁ ୮୦ ପ୍ରତିଶତ ଟ୍ରେନ୍ ନିୟମିତ ହେଲାଣି। ଆଉ ମାସେ ଦୁଇମାସ ପରେ ଏହି ସମସ୍ୟା ନିଶ୍ଚିତ ସମାଧାନ ହେବ। ଓଡ଼ିଶା ଭଳି ଏକ ପବିତ୍ର ମାଟିର ଉନ୍ନତି ପାଇଁ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବାକୁ ଖୁବ୍ ଆଗ୍ରହୀ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।
ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସ୍ଥାନୀୟ ସର୍କିଟ ହାଉସ୍କୁ ଯାଇ ସିଧାସଳଖ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବିଶେଷ କରି ଝାରସୁଗୁଡ଼ା ଅଞ୍ଚଳରେ ରେଳବାଇର ବିକାଶ, ଏକୀକୃତ ରେଳମଣ୍ଡଳ ପ୍ରସ୍ତାବ, ଐତିହ୍ୟ ସମ୍ପନ୍ନ ରେଳ ଷ୍ଟେସନର ମାନ୍ୟତା, ରେଳବାଇ ଓଭରବ୍ରିଜ୍ ଆଦି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା, ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ, ଉଭୟ ମଣ୍ଡଳର ମଣ୍ଡଳାଧୀଶ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।
Follow Us