Daily Times
ଭୁବନେଶ୍ବର : ରାଜ୍ୟର କିଛି ଜିଲ୍ଲାରେ କରୋନା ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇଲାଣି। ଏପରିକି ଏସବୁ ଜିଲ୍ଲାରେ ଥିବା କିଛି କୋଭିଡ୍ କେୟାର ହୋମ୍/ସେଣ୍ଟରକୁ ବନ୍ଦ ମଧ୍ୟ କରାଗଲାଣି। ଏଭଳି ପରିସ୍ଥିତିରେ ଏସବୁ ଜିଲ୍ଲାରେ କରୋନା ସଂକ୍ରମଣ ପାଇଁ କାର୍ଯ୍ୟ କରୁଥିବା ଆୟୁର୍ବେଦିକ ଡାକ୍ତରମାନଙ୍କୁ ନିଜ କାର୍ଯ୍ୟସ୍ଥଳୀକୁ ଫେରାଇ ଅଣାଯାଉ। ଫଳରେ ରାଜ୍ୟବ୍ୟାପୀ ଆୟୁର୍ବେଦିକ ଡିସ୍ପେନସାରିଗୁଡ଼ିକରେ ପଡ଼ି ରହିଥିବା କୋଟି କୋଟି ଟଙ୍କାର ଔଷଧର ବିତରଣ ହୋଇପାରିବ। ବୁଧବାର ଏହି ମର୍ମରେ ରାଜ୍ୟ ଆୟୁଷ ନିର୍ଦେଶକଙ୍କୁ ଚିଠି ଲେଖିଛି ରାଜ୍ୟ ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ। ଆୟୁର୍ବେଦିକ ଡାକ୍ତରମାନଙ୍କୁ ରିଲିଭ୍ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସଂଘର ସଭାପତି ଡା. ସୁନୀଲ ରଥ ଓ ସାଧାରଣ ସଂପାଦକ ଡା. ଚିତ୍ତରଂଜନ ବେହେରା ଅନୁରୋଧ କରିଛନ୍ତି।
ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ବିଏମ୍ସି, ସିଏଚ୍ସି, ବିଇଏମ୍ସି ଓ ଅନ୍ୟ ଜିଲ୍ଲାରେ ଆୟୁର୍ବେଦିକ ଡାକ୍ତରଙ୍କୁ ଗତ ଏପ୍ରିଲ ୫ ତାରିଖରେ ନିଯୁକ୍ତ କରାଯାଇଥିଲା। ସେହିଦିନଠାରୁ ଆୟୁର୍ବେଦିକ ଡାକ୍ତରମାନେ କୋଭିଡ୍ ଡ୍ୟୁଟି କରି ଆସୁଛନ୍ତି। ହେଲେ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବା ଫଳରେ ଡିସ୍ପେନସାରିଗୁଡ଼ିକରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଏହାସହ ଆୟୁର୍ବେଦିକ ଡାକ୍ତରମାନଙ୍କୁ ଏଲୋପ୍ୟାଥିକ ବହିର୍ବିଭାଗରେ କାର୍ଯ୍ୟ କରିବାକୁ କୁହାଯାଉଛି। ଏଲୋପ୍ୟାଥିକ ଔଷଧ ଲେଖିବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଉଛି, ଯାହାକି ସୁପ୍ରିମକୋର୍ଟଙ୍କ ରାୟର ବିରୋଧାଭାସ କରୁଛି। ଏହାସହ କିଛି ଜିଲ୍ଲାରେ ଏବେ ସଂକ୍ରମଣ ହ୍ରାସ ପାଇଛି। କିଛି କୋଭିଡ୍ କେୟାର ସେଣ୍ଟର୍ ମଧ୍ୟ ବନ୍ଦ ହୋଇଗଲାଣି। ତେଣୁ ଏସବୁ ଜିଲ୍ଲାରେ ଥିବା ଆୟୁର୍ବେଦକ ଡାକ୍ତରଙ୍କୁ ନିଜ କାର୍ଯ୍ୟସ୍ଥଳୀକୁ ରିଲିଭ କରାଯିବା ପରିବର୍ତ୍ତେ ସେମାନଙ୍କୁ ଅନ୍ୟ ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ କରାଯାଉଛି। ରାଜ୍ୟରେ ଏବେ ୧୨କୋଟି ଟଙ୍କାର ଆୟୁର୍ବେଦିକ ଔଷଧ ପଡ଼ି ରହିଥିବା ବେଳେ ଏସବୁ ଔଷଧର ଅବଧି ଅଳ୍ପ ଦିନ ରହିଛି। ତେଣୁ ସଂକ୍ରମଣ ହ୍ରାସ ଜିଲ୍ଲାରୁ ଆୟୁର୍ବେଦିକ ଡାକ୍ତରମାନଙ୍କୁ ନିଜ କାର୍ଯ୍ୟସ୍ଥଳୀକୁ ଫେରାଇ ଆଣିବା ଦିଗରେ ଉଦ୍ୟମ କରାଯିବାକୁ ସଂଘ ପକ୍ଷରୁ କୁହାଯାଇଛି।
Follow Us