‘ଅନନ୍ୟ ଅଚ୍ୟୁତାନନ୍ଦ’ ଆଲୋଚନାଚକ୍ର: ‘ସୁଦୃଢ଼ ଗଣତନ୍ତ୍ର ପାଇଁ ସୁଖପାଠ୍ୟ ଗଦ୍ୟ ସାହିତ୍ୟ ଏକାନ୍ତ ଆବଶ୍ୟକ’

ଗଣତନ୍ତ୍ରରେ ସାହିତ୍ୟର ଭୂମିକା ଗୁରୁତ୍ବପୂର୍ଣ୍ଣ। ସାଂପ୍ରତିକ ପରିସ୍ଥିତିରେ ନିଜର କଥାକୁ ବ୍ୟକ୍ତ କରିବାର ଦକ୍ଷତା ଖୁବ୍‌ କମ୍‌ ନେତାଙ୍କ ନିକଟରେ ଦେଖିବାକୁ ମିଳୁଛି। ଅନୁଭବର ଅଭାବ ତଥା ଦୁର୍ବଳ ଗଦ୍ୟ ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି।

sfsfsfsf

ଭୁବନେଶ୍ବର: ଗଣତନ୍ତ୍ରରେ ସାହିତ୍ୟର ଭୂମିକା ଗୁରୁତ୍ବପୂର୍ଣ୍ଣ। ସାଂପ୍ରତିକ ପରିସ୍ଥିତିରେ ନିଜର କଥାକୁ ବ୍ୟକ୍ତ କରିବାର ଦକ୍ଷତା ଖୁବ୍‌ କମ୍‌ ନେତାଙ୍କ ନିକଟରେ ଦେଖିବାକୁ ମିଳୁଛି। ଅନୁଭବର ଅଭାବ ତଥା ଦୁର୍ବଳ ଗଦ୍ୟ ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ନିଜର କଥାକୁ କେଉଁ ଢଙ୍ଗରେ ଉପସ୍ଥାପିତ କଲେ, ଏହା ପ୍ରଭାବୀ ହେବ ସେ ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି। ଅଚ୍ୟୁତାନନ୍ଦ ପତିଙ୍କ ଭଳି କଥାକାରଙ୍କ ସାହିତ୍ୟକୁ ଅଧ୍ୟୟନ କଲେ ଏଭଳି ଅଭାବନୀୟ ପରିସ୍ଥିତିରୁ ମୁକ୍ତି ମିଳିପାରିବ। ତାଙ୍କ ସାହିତ୍ୟରେ ବ୍ୟଙ୍ଗ, ଲାଳିତ୍ୟ, କଠୋରତା ଓ ତଥ୍ୟ ରହିଥିବାରୁ ଏହା ସୁଖପାଠ୍ୟ। ଏଣୁ ସୁଦୃଢ଼ ଗଣତନ୍ତ୍ର ପାଇଁ ସୁଖପାଠ୍ୟ ଗଦ୍ୟ ସାହିତ୍ୟ ଏକାନ୍ତ ଆବଶ୍ୟକ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଖିଳ ଚକ୍ର ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଅନନ୍ୟ ଅଚ୍ୟୁତାନନ୍ଦ’ ଆଲୋଚନାଚକ୍ରରେ ଅତିଥିମାନେ ଏଭଳି କହିଛନ୍ତି। ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଅନନ୍ୟ ହେବା ଲାଗି ବିଶିଷ୍ଟ ଗୁଣର ଆବଶ୍ୟକତା ରହିଛି। 

ଅଚ୍ୟୁତାନନ୍ଦ ପତିଙ୍କ ଭଳି କଥାକାରମାନେ ସେଭଳି ଗୁଣର ଅଧିକାରୀ। ପ୍ରାୟ ସମସ୍ତ ସାରସ୍ବତ ପୁରସ୍କାର ହାତେଇବାରେ ସେ ସକ୍ଷମ ହୋଇଛନ୍ତି। ଏପରିକି ପୁରସ୍କାର ବାବଦରେ ପାଉଥିବା ପ୍ରୋତ୍ସାହନ ରାଶିକୁ ଯୁବଲେଖକ ଓ ପାଠକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥାନ୍ତି। ପୁରସ୍କାର କାଙ୍ଗାଳ ଆମ ସାହିତ୍ୟ ବର୍ତ୍ତମାନ ଅବକ୍ଷୟମୁଖୀ ହେବାକୁ ଲାଗିଛି। ଏଭଳି ପରିସ୍ଥିତିରେ ଲେଖକମାନେ ଶ୍ରୀ ପତିଙ୍କ ଏହି ଗୁଣକୁ ଆପଣାଇ ପାରିଲେ ସାହିତ୍ୟ ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା କହିଲେ, ଅସରନ୍ତି ଅନ୍ବେଷଣର ନାମ ହେଉଛି ଅଚ୍ୟୁତାନନ୍ଦ। ଜଣେ ନିରଳସ ସ୍ବାଭିମାନୀ ସାହିତ୍ୟିକ ଭାବେ ସେ ନିଜ ପାଠକଙ୍କ ନିକଟରେ ପରିଚିତ। ତାଙ୍କ ଲେଖାରେ ପ୍ରାସଙ୍ଗିକତା ରହିଥାଏ ବୋଲି ଶ୍ରୀ ହୋତା କହିଥିଲେ। ଏହି ଅବସରରେ ଆଲୋଚକ ଭାବେ ସାହିତ୍ୟିକ ସଦାନନ୍ଦ ତ୍ରିପାଠୀ, ଶଶାଙ୍କ ଚୂଡ଼ାମଣି, ରବୀନ୍ଦ୍ର ବିହାରୀ ଓ ଶ୍ରୀହରି ଧଳ ଯୋଗଦେଇ ଶ୍ରୀ ପତିଙ୍କ ବିଭିନ୍ନ ସାରସ୍ବତ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ପତିଙ୍କ ସାହିତ୍ୟରେ ବାସ୍ତବ ଅନୁଭୂତିର କଥା ପରିଲକ୍ଷିତ ହୋଇଥାଏ। ପଶୁପକ୍ଷୀଙ୍କୁ ନେଇ ରଚିତ ସାହିତ୍ୟ ସମ୍ପର୍କରେ ଆଲୋଚନା କ‌ରିବା ସମୟରେ ଅଚ୍ୟୁତାନନ୍ଦ ପତିଙ୍କ ଲେଖା ସ୍ବତଃ ମନକୁ ଚାଲିଆସେ।  ଅଖିଳ ଚକ୍ରର ସଭାପତି ରାଜ୍ୟବର୍ଦ୍ଧନ ଧଳ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ସମ୍ପାଦକ ହରେକୃଷ୍ଣ ଧଳ ଉଦ୍‌ଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୁତକୀର୍ତ୍ତି ତ୍ରିପାଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପ୍ରାଧ୍ୟାପକ ପ୍ରସନ୍ନ ରାଉତ ଧନ୍ୟବାଦ ‌ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe