ଅଭାବନୀୟ ଅନୁଭୂତି: ଗ୍ରୀଷ୍ମରେ ଶୀତ!

Advertisment

୧୦୦ ବର୍ଷରେ ସବୁଠାରୁ ଥଣ୍ଡା ଏପ୍ରିଲ୍‌

୧୦୦ ବର୍ଷରେ ସବୁଠାରୁ ଥଣ୍ଡା ଏପ୍ରିଲ୍‌

ଅଭାବନୀୟ ଅନୁଭୂତି: ଗ୍ରୀଷ୍ମରେ ଶୀତ!

Flickr

ଅନୁଗୁଳ: ଏପ୍ରିଲ ମାସ‌ରେ ଶୀତ। ବିଶ୍ବାସ ନ ହେଲେ ବି ସତ। ଦୁଇଦିନ ତଳେ ଏମିତି ପରିବେଶ ଅନୁଗୁଳ ଜିଲ୍ଲାବାସୀଙ୍କୁ ଚକିତ କରି ଦେଇଥିଲା ବେଳେ ଗୋଟିଏ ଦିନରେ ଖରା, ବର୍ଷା ଓ ଶୀତ ଦିନର ଅନୁଭବ ପାଇଥିଲେ ଲୋକେ। ୧୨ ତାରିଖରେ ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୬ଡିଗ୍ରି ରେକର୍ଡ କରାଯାଇଥିଲା। ଗତ ୧୦୦ ବର୍ଷରେ କେବେ ବି ଏପ୍ରିଲ ମାସରେ ତାପମାତ୍ରା ଏତେ ତଳକୁ ଖସିନଥିବା ସରକାରୀ ରେକର୍ଡରୁ ଜଣାପଡ଼ିଛି। ଏଥର ଏପ୍ରିଲ ଆରମ୍ଭରୁ ଅନୁଗୁଳରେ ତାତି ବଢ଼ିଥିଲା। ପହିଲାରେ ତାପମାତ୍ରା ୩୯.୭ ଡିଗ୍ରି ରେକର୍ଡ କରାଯାଇଥିଲା। ୨ ତାରିଖରେ ପ୍ରଥମ ଥର ପାଇଁ ତାପମାତ୍ରା ୪୦ଡିଗ୍ରି ଛୁଇଁଥିଲା। ଏପ୍ରିଲ ୬ରେ ତାପମାତ୍ରା ୪୩.୫ ଡିଗ୍ରିରେ ପହଞ୍ଚିବା ସହ ସାରା ରାଜ୍ୟରେ ଅନୁଗୁଳ ଉତ୍ତପ୍ତ ସହର ପାଲଟିଥିଲା। କିନ୍ତୁ ଏହା ପରେ ହଠାତ ବଦଳିଥିଲା ପାଗର ମିଜାଜ। ମେଘୁଆ ପାଗ ସହ ୭ରୁ ପାରଦ ତଳମୁହାଁ ହୋଇଥିଲା। ପରେ ଝିପିଝିପି ବର୍ଷା ପାଇଁ ତାପମାତ୍ରା ଆହୁରି କମିଥିଲା। ସର୍ବନିମ୍ନ ତାପମାତ୍ରା ୨୨ରୁ ୨୪ ଡିଗ୍ରି ଭିତରେ ରହୁଥିଲା। କିନ୍ତୁ ଗତ ୧୧ ତାରିଖରେ ହଠାତ୍‌ ମାଡ଼ି ଆସିଥିଲା ଶୀତ। ଏପରିକି ୧୨‌ରେ ଅନୁଗୁଳର ସର୍ବୋଚ୍ଚ ତାପମାତ୍ରା ୩୧.୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୬ଡିଗ୍ରି ରହିଥିଲା। ଏଥିପାଇଁ ୧୧ ଓ ୧୨ ତାରିଖରେ ଅନୁଗୁଳ ଲୋକ ଶୀତବସ୍ତ୍ର ଖୋଜିଥିଲେ। ଘର ଭିତରେ ଥଣ୍ଡା ଲାଗୁଥିଲାବେଳେ ବାହାରେ ଥଣ୍ଡା ପବନ ବହୁଥିଲା। ବାଇକ୍‌ରେ ବାହା‌ରେ ବୁଲିଲେ ଦେହହାତ କୋଲ ମାରି ଯାଇଥିଲା। ଲୋକମାନେ ଘରେ ବିନା ପଙ୍ଖାରେ ଘୋଡ଼େଇ ହୋଇ ଶୋଇବାକୁ ବାଧ୍ୟ ହୋଇଥିଲେ।

୧୦୦ ବର୍ଷରେ ସବୁଠାରୁ ଥଣ୍ଡା ଏପ୍ରିଲ୍‌
ସପ୍ତାହକ ଭିତରେ ଗରମ ସହର ପାଲଟିଲା ଥଣ୍ଡା
ଗୋଟିଏ ଦିନରେ ଖରା, ବର୍ଷା ଓ ଶୀତ

ଶେଷଥର ପାଇଁ ୧୯୨୧ ମସିହା ଏପ୍ରିଲରେ ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୬ଡିଗ୍ରି ରେକର୍ଡ କରାଯାଇଥିଲା। ଅନୁଗୁଳରେ ଏପ୍ରିଲ ମାସର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ପାଖାପାଖି ରହିଥାଏ। ଏଣୁ ଲୋକମାନେ ପ୍ରଥମଥର ପାଇଁ ଏପ୍ରିଲ ମାସରେ ଶୀତର ସ୍ପର୍ଶ ପାଇଥିବା କହିଛନ୍ତି। ଏପରିକି ୧୧ ଓ ୧୨ ତାରିଖରେ ବର୍ଷାଦିନ ପରି ବର୍ଷା ହେବା ସହ ଶୀତ ହୋଇଥିଲା। ଅପରାହ୍‌ଣରେ ଆସିଥିଲା ଖରା। ତେଣୁ ଗୋଟିଏ ଦିନରେ ଲୋକମାନେ ବର୍ଷା, ଖରା ଓ ଶୀତର ଅନୁଭବ ପାଇଥିଲେ। ଏପଟେ ୧୨ ତାରିଖ ପରେ ପାରଦ ଉପରମୁହାଁ ହୋଇଥିଲେ ମଧ୍ୟ ଖରାର ‌ତେଜ ବିଶେଷ ନାହିଁ। ଆଜି ମଧ୍ୟ ଅନୁଗୁଳର ସର୍ବନମ୍ନ ତାପମାତ୍ରା ୨୦.୬ ଡିଗ୍ରି ରେକର୍ଡ କରାଯାଇଛି। ଖରା ବଢ଼ୁଥିଲେ ମଧ୍ୟ ରାତିରେ ଥଣ୍ଡା ଲାଗୁଛି। ଭୋର ସମୟରେ ଘରୁ ବାହାରିଲେ ଶୀତ ହେଉଥିବାରୁ ଫେବ୍ରୁଆରି ମାସ ପରି ମନେ ହେଉଛି। ପ୍ରବଳ ଖରା ଓ ଗରମ ପାଇଁ ଦୁର୍ନାମ ମୁଣ୍ଡାଇଥିବା ଅନୁଗୁଳରେ ପାଗରେ ଏମିତି ବଡ଼ ଧରଣର ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe