ଧାମନଗରରେ ଏକତା ପଦଯାତ୍ରା: ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗାମୀ ୧୦ ବର୍ଷ ଗୁରୁତ୍ବପୂର୍ଣ୍ଣ: ଧର୍ମେନ୍ଦ୍ର

‘ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗାମୀ ୧୦ ବର୍ଷ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଆସନ୍ତୁ, ମିଳିମିଶି ରାଜ୍ୟକୁ ସମୟ ଦେବା। ଓଡ଼ିଶାକୁ ଚରମ ବୈଭବମୟ କରିବା।’ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ଏକତା ପଦଯାତ୍ରା ଅବସରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌....

shfhfhhfhf

Photograph: (Pragativadi)

ଭଦ୍ରକ/ଧାମନଗର/ଅସୁରାଳି: ‘ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗାମୀ ୧୦ ବର୍ଷ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଆସନ୍ତୁ, ମିଳିମିଶି ରାଜ୍ୟକୁ ସମୟ ଦେବା। ଓଡ଼ିଶାକୁ ଚରମ ବୈଭବମୟ କରିବା।’ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ଏକତା ପଦଯାତ୍ରା ଅବସରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦୋବଲ କାଳୀପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମିତି ଆହ୍ବାନ ଦେଇଛନ୍ତି। 

ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଜନସଭାରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ରାଷ୍ଟ୍ର ନିର୍ମାତା। ସେହିପରି ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କୁ ସେ ମନେ ପକାଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ଓ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ୧୦୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପାଣ୍ଠିରୁ ୧୫ କୋଟି ଟଙ୍କାରେ ହେବାକୁ ଥିବା ଧାମନଗର ମହାବିଦ୍ୟାଳୟର ବିକାଶ ଅନ୍ତର୍ଭୁକ୍ତ।

ଏଥିସହ ସେନାପତିଆ ପୋଖରୀ ଉନ୍ନତୀକରଣ ଓ ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତୀକରଣ ଏବଂ ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରି ପ୍ରକଳ୍ପ, ଜଳସଂପଦ ବିଭାଗ ପକ୍ଷରୁ ୨୫.୮୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୧୦ଟି ପ୍ରକଳ୍ପ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କା ବ୍ୟୟରେ ୩ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୧.୨୫ କୋଟି ଟଙ୍କାର ୩ଟି ପ୍ରକଳ୍ପ, ଡ୍ରେନେଜ୍ ବିଭାଗ ପକ୍ଷରୁ ୪.୧୧ କୋଟି ଟଙ୍କାରେ ୨ଟି ପ୍ରକଳ୍ପ ବି ରହିଛି। ଅନ୍ୟପଟେ ଧାମନଗର ବନ୍ୟାଞ୍ଚଳରେ ୭ଟି ସେତୁ ନିର୍ମାଣ ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦେଇଥିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଧାମନଗର ନିର୍ବାଚନମଣ୍ଡଳୀର ବିକାଶଧାରା ଏବେଠୁ ଆରମ୍ଭ ହେଲା। ଖୁବ୍‌ଶୀଘ୍ର ଧାମନଗର ଏକ ଅଗ୍ରଣୀ ଓ ବିକଶିତ ଅଞ୍ଚଳ ହେବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଲୋଡ଼ା। 

ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ, ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରି‌ଷ୍ଠ ନେତା ଦୀନବନ୍ଧୁ ପତି, ଭଦ୍ରକ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସ୍ୱାଗତ ଭାଷଣ ପ୍ରଦାନ, କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ବିଜୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ସେହିପରି ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ଧାମନଗରକୁ ପାଛୋଟି ନିଆଯାଇଥିଲା। ପଦଯାତ୍ରା ବେଳେ ଗୋହିରାଟିକିରିରେ ଶ୍ରୀ ପ୍ରଧାନ ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe