ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ : ଅଣଛାତ୍ରମୁକ୍ତ ହେବ କ୍ୟାମ୍ପସ

Advertisment

୨୦୧୯-୨୦ରୁ ସ୍ନାତକରେ ଏକକ ସିଲାବସ୍‌, ୩ ମାସ ମଧ୍ୟ‌ରେ ପୂରଣ ହେବ ଖାଲି ପଦବି

୨୦୧୯-୨୦ରୁ ସ୍ନାତକରେ ଏକକ ସିଲାବସ୍‌, ୩ ମାସ ମଧ୍ୟ‌ରେ ପୂରଣ ହେବ ଖାଲି ପଦବି

ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ : ଅଣଛାତ୍ରମୁକ୍ତ ହେବ କ୍ୟାମ୍ପସ

ଭୁବନେଶ୍ବର : ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ର ‌ପ୍ରବେଶକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ଯଦି କୌଣସି ଅଣଛାତ୍ର କ୍ୟାମ୍ପସରେ ପଶି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ୍ର ସଂସଦ ନିର୍ବାଚନ ସମୟରେ କ୍ୟାମ୍ପସରେ ରାଜନୈତିକ ହିଂସା ହେଉଥିବାରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ। ଉଚ୍ଚଶିକ୍ଷା‌ ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାହୁ ଅଣଛାତ୍ରମୁକ୍ତ କ୍ୟାମ୍ପସ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ରାଜ୍ୟ ଉଚ୍ଚଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଉନ୍ନତୀକରଣ, ଆଧୁନିକୀକରଣ ଓ ଗୁଣାତ୍ମକ ବୃଦ୍ଧି ଦିଗରେ କିଭଳି ପଦକ୍ଷେପ ନିଆଯାଇପାରିବ, ସେ ସମ୍ପର୍କରେ କୁଳପତିମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ଅପରପକ୍ଷେ ବିଶ୍ବବିଦ୍ୟାଳୟ ଅନୁଦାନ ଆ‌‌ୟୋଗ(ୟୁଜିସି)ଙ୍କ ଦ୍ବାରା ଜାରି ହୋଇଥିବା କଟକଣା ଉଠିଯାଇଛି। ତେଣୁ ଆସନ୍ତା ତିନି ମାସ ମଧ୍ୟରେ ସମସ୍ତ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦଗୁଡ଼ିକ ପୂରଣ କରାଯିବ। ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ପଦଗୁଡ଼ିକ ଲାଗି ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ପରୀକ୍ଷା ପରିଚାଳନା, ଫଳ ପ୍ରକାଶରେ ତାଳମେଳ ରହୁ ନଥିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଉତ୍କଳ, ରମାଦେବୀ ସମେତ ରାଜ୍ୟର କେତେକ ବିଶ୍ବବିଦ୍ୟାଳୟ ନିର୍ଦ୍ଧାରିତ ସମୟରେ ସ୍ନାତକ ଓ ସ୍ନାତକୋତ୍ତର ଫଳ ପ୍ରକାଶ କରୁନଥିବାରୁ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଠିକ୍‌ ସମୟରେ ଫଳ ପ୍ରକାଶ କରିବା ଓ ସ୍ନାତକଧାରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ ଉପରେ ଗୁରୁତ୍ବ ଦେବାକୁ ମନ୍ତ୍ରୀ ଶ୍ରୀ ସାହୁ କୁଳପତିମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ୨୦୧୯-୨୦ ଶିକ୍ଷାବର୍ଷରୁ ସ୍ନାତକସ୍ତରରେ ଏକକ ସିଲାବସ୍‌ ପ୍ରଚଳନ, ସ୍ନାତକ, ସ୍ନାତକୋତ୍ତର/ ସ୍ବୟଂଶାସିତସ୍ତରରେ ଅନୁଷ୍ଠିତ ପରୀକ୍ଷାରେ ସୁଧାର ଆଣିବା, ଶିକ୍ଷାଦାନ ପ୍ରକ୍ରିୟାକୁ ବିଶ୍ବସ୍ତରୀୟ କରିବା ଏବଂ ଗବେଷଣାକୁ ପ୍ରୋତ୍ସାହନ ଦିଆଯିବା ଉପରେ ଗୁରୁତ୍ବ ଦିଆଯାଇଥିଲା। କୁଳପତିମାନଙ୍କଠାରୁ ପରାମର୍ଶ ଗ୍ରହଣ କରିବା ଓ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ସେଗୁଡ଼ିକର ସମାଧାନ କିଭଳି ଶୀଘ୍ର ହୋଇପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।

ଏହି ବୈଠକରେ ବିଭାଗୀୟ ଶାସନ ସଚିବ ଶାଶ୍ବତ ମିଶ୍ର ଯୋଗଦେଇ ଉଚ୍ଚଶିକ୍ଷାରେ ଗୁଣାତ୍ମକ ବିକାଶ ଓ ସଂସ୍କାର ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ‌ସମ୍ପର୍କରେ ଆଲୋକପାତ କରିଥିଲେ। ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଉପସ୍ଥିତ ରହି ପ୍ରତ୍ୟେକ ମହାବିଦ୍ୟାଳୟ ନାକ୍‌ ମାନ୍ୟତା ହାସଲ କରିବା ଦିଗରେ ପ୍ରାଥମିକତା ଦେବା ଲାଗି ପରାମର୍ଶ ଦେଇଥିଲେ। ପରିଷଦର ସଦସ୍ୟ ସଚିବ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe