ନ୍ୟାୟ ମାଗିଲା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ

Advertisment
ନ୍ୟାୟ ମାଗିଲା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ

ଭୁବ‌ନେଶ୍ବର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତିକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ବିଶ୍ବବିଦ୍ୟାଳୟର କର୍ମଚାରୀମାନେ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ନିଖିଳ ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଦ୍ବାରସ୍ଥ ହୋଇଛି। ଘଟଣାର ଉପଯୁକ୍ତ ତଦନ୍ତ କରି ସ୍ବର୍ଗତ ମିଶ୍ରଙ୍କ ପରିବାରକୁ ନ୍ୟାୟ ଦେବାକୁ ମହାସଂଘ ଦାବି ଜଣାଇଛନ୍ତି।

ମହାସଂଘ ସଭାପତି ସାରଦା ଚରଣ ମହାନ୍ତି କୁଳାଧିପତିଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ‌ଯେ ସ୍ବର୍ଗତ ମିଶ୍ର ଆତ୍ମାହୁତି ଦେଇନାହାନ୍ତି। ବରଂ ତାଙ୍କୁ ଏଭଳି କରିବା ପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବାଧ୍ୟ କରିଛନ୍ତି। ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯାଉ। କେବଳ ଦୀନବନ୍ଧୁ ନୁହନ୍ତି, ରାଜ୍ୟର ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟରେ ବି ଏଭଳି ସମସ୍ୟା ଲାଗିରହିଛି। ବିଶ୍ବବିଦ୍ୟାଳୟ ଆଇନରେ ପରିବର୍ତନ ନ ଆସିବା ଯାଏ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସଚିବାଳୟର ସମସ୍ତ ନୀତି ନିୟମ ବିଶ୍ବବିଦ୍ୟାଳୟରେ ପ୍ରଚଳିତ ହେବ ବୋଲି ଷ୍ଟାଚ୍ୟୁଟ୍‌ରେ ଉଲ୍ଲେଖ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇପାରୁ ନଥିବାରୁ କର୍ମଚାରୀଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଦୀର୍ଘ ବର୍ଷ ହେଲା ନିଯୁକ୍ତି ବନ୍ଦ ଥିବାରୁ ବିଶ୍ବବିଦ୍ୟାଳୟଗୁଡ଼ିକ କର୍ମଚାରୀ ଶୂନ୍ୟ ହେବାକୁ ବସିଲାଣି। ଯଦି ଏଭଳି ଘଟଣାରେ କୁଳାଧିପତିଙ୍କର ହସ୍ତକ୍ଷେପ ନ ରହିବ ତା' ହେଲେ ଉଚ୍ଚଶିକ୍ଷା ଦୁର୍ବଳ ହୋଇପଡ଼ିବ। ଦୀନବନ୍ଧୁଙ୍କ ପରିବାରକୁ ଉଚିତ୍‌ ନ୍ୟାୟ ସମେତ ବିଶ୍ବବିଦ୍ୟାଳୟରେ ସଚିବାଳୟ ନିୟମ ପାଳନ, ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଗରେ ପଦକ୍ଷେପ ନେବାକୁ ସେ ପତ୍ରରେ ଉ‌ଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe