ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ବୁଲିବେ ଦେଶର ଶହେ ପର୍ଯ୍ୟଟନସ୍ଥଳୀ, ତାଲିକାରେ ଓଡ଼ିଶାର ୩

କୋଣାର୍କ, ଚିଲିକା, ଖଣ୍ଡଗିରି-ଉଦୟଗିରି ସାମିଲ

କୋଣାର୍କ ମନ୍ଦିର ପରିସରରେ ପାନୀୟ ଜଳ ସମସ୍ୟା: ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

newindianexpress.com

ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିର୍ଦେଶ

ଭୁବନେଶ୍ବର : ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବୁଲିବେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। ସେଠାକାର ଇତିହାସ, ବୈଜ୍ଞାନିକ ବିଶେଷତ୍ବ, ପରମ୍ପରା, ସାହିତ୍ୟ ସଂପର୍କରେ ଜ୍ଞାନ ଆହରଣ କରିବେ। ଜାତୀୟ ଶିକ୍ଷାନୀତି-୨୦୨୦ର ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏଭଳି ସୁଯୋଗ ଦିଆଯିବ। ଏଥିପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଦେଶର ଶହେ ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରାଯାଇଛି। ଏଥିରେ ଓଡ଼ିଶାର ୩ଟି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି। ବିଶ୍ବ ଐତିହ୍ୟ ସ୍ଥଳୀ ଭାବେ କୋଣାର୍କର ସୂର୍ଯ୍ୟ ମନ୍ଦିର ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଅଧିକ ପର୍ଯ୍ୟଟକ ଆସୁଥିବାରୁ ଚିଲିକା ହ୍ରଦ ଓ ଖଣ୍ଡଗିରି-ଉଦୟଗିରି ଗୁମ୍ଫା ମଧ୍ୟ ରହିଛି।

କୋଣାର୍କକୁ ପ୍ରତିଦିନ ହଜାରରୁ ଅଧିକ ପର୍ଯ୍ୟଟକ ଆସୁଥିବା ବେଳେ ଐତିହାସିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ନିର୍ମାଣଶୈଳୀ ବି ଅନ୍ୟ ମନ୍ଦିରଠାରୁ ଭିନ୍ନ। ଏଠାକୁ ବୁଲିବାକୁ ଆସିଲେ ଛାତ୍ରଛାତ୍ରୀ ବହୁତ କିଛି ଶିକ୍ଷା ଗ୍ରହଣ କରିପାରିବେ। ଓଡ଼ିଶାର ଅନ୍ୟତମ ଆକର୍ଷଣ ହେଉଛି ଚିଲିକା। ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏହି ଲବଣାକ୍ତ ହ୍ରଦ ଓଡ଼ିଶାର ସବୁଠୁ ବଡ଼ ହ୍ରଦ। ବିଦେଶାଗତ ପକ୍ଷୀଙ୍କ ପାଇଁ ଏହା ଭାରତୀୟ ଉପମହାଦେଶରେ ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ। ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଏଠାକୁ ଆସିଥାନ୍ତି। ଏଠାରେ ଅନେକ ବିଲୁପ୍ତ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀବାସ କରୁଥିବାରୁ ଦେଶର ଛାତ୍ରଛାତ୍ରୀ ଅନେକ କିଛି ଶିକ୍ଷା ଗ୍ରହଣ କରିପାରିବେ। ଭୁବନେଶ୍ବରସ୍ଥିତ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ବ ରହିଛି। ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବା ବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି। ହାତୀଗୁମ୍ଫାର ଶିଳାଲେଖରୁ ବହୁ କିଛି ଶିକ୍ଷା ଗ୍ରହଣ କରିହେବ।

ଏହି ତାଲିକାରେ ଉତ୍ତରପ୍ରଦେଶର ସର୍ବାଧିକ ୧୦ଟି ପର୍ଯ୍ୟଟନସ୍ଥଳୀ ଥିବା ବେଳେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ୮ଟି ଲେଖାଏଁ ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ର ଅଂଶବିଶେଷ ଭାବେ ‘ଏକ ଭାରତ ଶ୍ରେଷ୍ଠ ଭାରତ’(ଇବିଏସ୍‌ବି) କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ପ୍ରଚାରପ୍ରସାର କରିବା ଲାଗି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କରୋନା କଟକଣା ସମ୍ପୂର୍ଣ୍ଣ ଭାବେ ଉଠିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବେ। ପିଲାମାନେ ସମ୍ପୃକ୍ତ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ କିଭଳି ଜାଣିବେ ଓ ତାହାର ଡିଜିଟାଲ୍‌ ଭାବେ ସଂରକ୍ଷିତ ରଖିବେ, ସେଥିପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରବର୍ତ୍ତାଇବେ। କାର୍ଯ୍ୟକ୍ରମ ସରିବା ପରେ ଫଟୋ ଓ ବିବରଣୀ ୟୁଜିସି ପକ୍ଷରୁ ଜାରି ଇ-ମେଲ୍‌ରେ ପଠାଇବାକୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe