କାଶୀପୁରରେ ଅଜଣା ରୋଗ ଆତଙ୍କ: ମୃତ୍ୟୁ ସଂଖ୍ୟା ୪ ଛୁଇଁଲା

Advertisment

ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍‌

ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍‌

କାଶୀପୁରରେ ଅଜଣା ରୋଗ ଆତଙ୍କ: ମୃତ୍ୟୁ ସଂଖ୍ୟା ୪ ଛୁଇଁଲା

କାଶୀପୁର: କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ଦୁରଖାଲ ମନୁଷୁପଦର ଗାଁରେ ବ୍ୟାପିଥିବା ଅଜଣା ରୋଗର ପ୍ରକୋପ ବଢ଼ିଛି। ଗତକାଲି ୧୦ବର୍ଷର ବାଳିକା କାଳୀମଣି ମାଝୀଙ୍କ ମୃତ୍ୟୁ ହୋଇଛି। ଏହାସହିତ ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ରୋଗ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନଥିବା ବେଳେ ଆଜି ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚିଛି। କେବଳ ଲକ୍ଷଣ ଦେଖି ଅସୁସ୍ଥ ଶିଶୁଙ୍କ ଚିକିତ୍ସା ଚାଲିଛି। ମୋତି ମାଝୀ ପ୍ରାୟ ୭ବର୍ଷ ତଳେ ସ୍ବାମୀ ବୁଦୁ ମାଝୀଙ୍କୁ ହରାଇବା ପରେ ୩ଝିଅଙ୍କୁ ବହୁ କଷ୍ଟରେ ଲାଳନପାଳନ କରୁଥିଲେ। କିନ୍ତୁ ଅଜଣା ରୋଗରେ ସାନଝିଅ କାଳୀମଣି ଅକାଳରେ ଆଖି ବୁଜିବାରୁ ମୋତି ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବା ଖବର ପାଇ ଆଜି ସକାଳେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନେତ୍ରାନନ୍ଦ ନାୟକଙ୍କ ନେତୃତ୍ବରେ ଗୋଟିଏ ଟିମ୍‌ ଗାଁରେ ପହଞ୍ଚିଥିଲା। ଗାଁର ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ମଦନ ମାଝୀଙ୍କ ପୁଅ ମୋହନ ମାଝୀଙ୍କ ସ୍ବାସ୍ଥ୍ୟାବସ୍ଥା ନଜରକୁ ଆସିଥିଲା। ଅବସ୍ଥା ଭଲ ନଥିବାରୁ ତୁରନ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ ଡାକ୍ତରୀ ଟିମ୍‌ ପରାମର୍ଶ ଦେଇଥିଲେ।

ଗ୍ରାମବାସୀଙ୍କ କହିବା ହେଲା, ଶିଶୁମାନେ ପ୍ରଥମେ ଜ୍ବରରେ ଆକ୍ରାନ୍ତ ହେଉଛନ୍ତି। ପରବର୍ତ୍ତୀ ସମୟରେ ଗଳା ଫୁଲିଯାଉଛି। କାହିଁକି ଏମିତି ହେଉଛି ଗ୍ରାମବାସୀ କହିପାରୁ ନାହାନ୍ତି। ତେବେ ପାଣି ଯୋଗୁଁ ଗାଁର ଶିଶୁ ଅସୁସ୍ଥ ହେଉଥିବା ଅନୁମାନ କରିଛନ୍ତି। କାରଣ ଗାଁର ପାନୀୟ ଜଳ ପ୍ରକଳ୍ପ ଏବଂ ନଳକୂପ ବହୁଦିନ ହେଲା ଅଚଳ ରହିଛି। ଏମିତି ସ୍ଥିତିରେ ଅଳ୍ପ ଦୂରରେ ରହିଥିବା ନାଳରୁ ପାଣି ଆଣି ବ୍ୟବହାର କରୁଛନ୍ତି। ସେହିପରି ପ୍ରଶାସନିକ ଉଦାସୀନିତାର ଆଉ ଗୋଟିଏ ଚିତ୍ର ଏହି ଗାଁରୁ ଆସିଛି। ଡଙ୍ଗାସିଲ ପଞ୍ଚାୟତ ସଦରରୁ ପ୍ରାୟ ୧୪ କିଲୋମିଟର ଦୂରରେ ଗାଁର ଅବସ୍ଥିତି। ପଞ୍ଚାୟତ ସଦରରୁ ୭କିଲୋମିଟର ଦୂର ମୁର୍କା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପକ୍କା ରାସ୍ତା ରହିଛି। ବଳକା ୭କିଲୋମିଟର ରାସ୍ତା ବୋଲି କିଛି ନାହିଁ। ତେଣୁ ଆମ୍ବୁଲାନ୍ସ ମଧ୍ୟ ଗାଁ ପର୍ଯ୍ୟନ୍ତ ଯାଇପାରୁନି।

ବର୍ଷ ବର୍ଷ ଧରି ଗାଁର ଗର୍ଭବତୀ ଏବଂ ଅସୁସ୍ଥ ଅକଥନୀୟ କଷ୍ଟ ଭୋଗୁଛନ୍ତି। ଏବେ ଶିଶୁମାନେ ଅସୁସ୍ଥ ହେବାରୁ ଏହି ଗମ୍ଭୀର ସମସ୍ୟା ଉଜାଗର ହୋଇଛି। ସେହିପରି ଗାଁ ପର୍ଯ୍ୟନ୍ତ ତାର ଟଣା ଯାଇଥିଲେ ସୁଦ୍ଧା ବିଜୁଳି ଆଲୁଅ ଗ୍ରାମବାସୀ ଦେଖିନାହାନ୍ତି। ସଂଜ ନଇଁଲେ ଗାଁକୁ ଅନ୍ଧକାର କବଳିତ କରୁଛି। ତାର ଚୋରି ହୋଇଯିବାରୁ ବିଦ୍ୟୁତ୍‌ ପହଞ୍ଚି ପାରୁନଥିବା ବାରୁ ମାଝୀ, ସୁନ୍ଦରୁ ମାଝୀ, ସଦା ମାଝି, ସୋମନାଥ ମାଝୀ କହିଛନ୍ତି। ଦୁଇଟି ସାହିର ୪୦ରୁ ଅଧିକ ପରିବାର ମୌଳିକ ସୁବିଧାରୁ ବଞ୍ଚିତ। ଡଙ୍ଗର ଜମିରେ ଚାଷ ହିଁ ଏକମାତ୍ର ଜୀବିକା। ୩୦ରୁ ଅଧିକ ଶିଶୁ ପ୍ରାକ୍‌ ଏବଂ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ। ଶିଶୁ ବିକାଶ ଯୋଜନାରେ ବି ବ୍ୟତିକ୍ରମ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe