ବାରିଝୋଲାରେ ଅଜଣା ରୋଗ ଆତଙ୍କ : ସରପଞ୍ଚ, ସମିତିସଭ୍ୟଙ୍କ ସହ ୮୦ ଆକ୍ରାନ୍ତ, ଗାଁରେ ସ୍ବାସ୍ଥ୍ୟ ଟିମ୍, ସଂଗ୍ରହ ହେଲା ନମୁନା

Advertisment
କରୋନା କାଳରେ ରକ୍ତ ପାଇଁ କଲବଲ ରୋଗୀ, ବିଏମ୍‌ସି ରକ୍ତଭଣ୍ଡାରର ୩ ଫ୍ରିଜର ଅଚଳ

Sensire

ରାୟଗଡ଼ା : ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ବାରିଝୋଲା ଗାଁରେ ଅଜଣା ରୋଗ ଆତଙ୍କ। ଗତ ୨୦ଦିନରେ ଆକ୍ରାନ୍ତ ହେଲେଣି ୮୦ଜଣ। ଏପରିକି ସରପଞ୍ଚ, ସମିତିସଭ୍ୟ, ଅଙ୍ଗନବାଡ଼ି ଓ ଆଶାକର୍ମୀ ବି ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ଘଟଣାକୁ ଗୁରୁତର ସହ ନେଇଛି ସ୍ବାସ୍ଥ୍ୟ ବିଭାଗ। ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପି.କେ. ସୁବୁଦ୍ଧିଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଛି। ଭାଇରାଲ ଫିଭର କିମ୍ବା ଚିକେନ୍ ଗୁନିଆ ବ୍ୟାପିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଥିବା ବେଳେ ରକ୍ତ ନମୁନା ପରୀକ୍ଷା ପରେ ସ୍ପଷ୍ଟ ହୋଇଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।

ଗାଁର କିଛି ଲୋକଙ୍କୁ ପ୍ରଥମେ ଜ୍ବର, ମୁଣ୍ଡବ୍ୟଥା ସହ ଆଣ୍ଠୁଗଣ୍ଠି ଦରଜ ହୋଇଥିଲା। ୩ ଦିନ ମଧ୍ୟରେ ଜ୍ବର କମି ଯାଉଥିଲେ ସୁଦ୍ଧା ବ୍ୟଥା ଲାଗି ରହୁଛି। ଆଣ୍ଠୁଗଣ୍ଠି ବ୍ୟଥା ଯୋଗୁ ବୟସ୍କ ଲୋକମାନେ ଚାଲି ନପାରି ଘରେ ପଡ଼ି ରହୁଛନ୍ତି। ସାଧାରଣ ଲୋକଙ୍କ ପରେ ସରପଞ୍ଚ ସରସ୍ୱତୀ ବିଡ଼ିକା, ସମିତିସଭ୍ୟ ତାମାରାଓ ବିଡ଼ିକା, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଅସୁସ୍ଥ ଗ୍ରାମବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଘରୋଇ ଡାକ୍ତରଙ୍କ ପାଖରେ ଚିକିତ୍ସା କରି ଔଷଧ ଖାଇବା ପରେ କିଛି ସମୟ ପର୍ଯ୍ୟନ୍ତ ସୁସ୍ଥ ଅନୁଭବ କରିବା ପରେ ପରବର୍ତ୍ତୀ ସମୟରେ ପୁଣି ଥରେ ଜ୍ବର ହେଉଛି ବୋଲି ବିଭୁ କାଡ଼୍ରାକା, ସୁନ୍ଦୁରୁ ବିଡ଼ିକା, ସରସ୍ୱତୀ ବିଡ଼ିକା ପ୍ରକାଶ କରିଛନ୍ତି।

ପ୍ରତିଦିନ ଗାଁର ୧୦ରୁ ୧୨ ଜଣ ଏଭଳି ରୋଗରେ ଆକ୍ରାନ୍ତ ହେବା ପରେ ସ୍ବାସ୍ଥ୍ୟ ବିଭାଗର ୬ଜଣିଆ ଟିମ୍ ଗାଁରେ ମୁତୟନ ହୋଇଛନ୍ତି। ମୋବାଇଲ ହେଲଥ୍ ୟୁନିଟ୍ ଟିମ ଗ୍ରାମରେ ଚିକିତ୍ସା ଜାରି ରଖିବା ସହ ଆଶାକର୍ମୀଙ୍କୁ ନେଇ ଏହି ୬ଜଣିଆ ଟିମ୍ ଗଠନ କରାଯାଇଛି। ଟିମ୍ ଗାଁର ଘରକୁ ଘର ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ମଶାରି ବଣ୍ଟନ କରିଛି। ଆଜି ଗାଁର ପୁଣି ୩ ଜଣ ଆକ୍ରାନ୍ତ ହେବା ପରେ ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଡାକ୍ତରୀ ଟିମ୍ ପରେ ରାୟଗଡ଼ା ବିଡିଓ ରାଜେନ୍ଦ୍ର ମାଝି, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନର୍ଦମା ସହିତ ଏଣେତେଣେ ଜମି ରହୁଥିବା ପାଣି ନିଷ୍କାସନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି।

ଏହି ଅଜଣା ରୋଗ ଗାଁର ଉପର ସାହିରୁ ଆରମ୍ଭ ହୋଇଥିବା ବେଳେ ଏବେ ସାରା ଗାଁରେ ବ୍ୟାପିଗଲାଣି। ଆକ୍ରାନ୍ତ ସଂପର୍କୀୟଙ୍କୁ ଭେଟିବାକୁ ଗଲେ ଅଜଣା ରୋଗ ଡେଉଁଥିବା ଗ୍ରାମର ମାଧାରାଓ ବିଡ଼ିକା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଗ୍ରାମର ବିଭୁ କାଡ଼୍ରାକାଙ୍କ ପରିବାରରେ ତାଙ୍କ ୬ବର୍ଷର ପୁଅ ଦୀନବନ୍ଧୁ, ୩ ବର୍ଷର ଝିଅ ମୋନାଲିସା କାଡ଼୍ରକା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ସେହିପରି ସୁନ୍ଦୁରୁ ବିଡ଼ିକା, ଆଇମା ବିଡ଼ିକା, ରୁନି ବିଡ଼ିକା, ଗୋପୀ ସାରକା, କୁନୁଜୀ ପାଲକା, ଜୟଲକ୍ଷ୍ମୀ ପାଲକା, କମଳା କାଡ୍ରକା, ସନ୍ତୋଷୀ ବିଡ଼ିକା, ସନ୍ତୁ କାଡ୍ରକା, ଅଂଜଳି ବିଡ଼ିକା, ବୁଡ଼ିଆମା କଣ୍ଡାଗିରି, ଲାତରା ପାଲକା, ଜାଗିଲି କାଡ୍ରକା, ସୁନ୍ଦରମଣି କାଡ଼୍ରକା, ପ୍ରକାଶ କାଡ଼୍ରକା, ପ୍ରସାଦ କାଡ଼୍ରକା, ଗଣେଶ ବିଡ଼ିକା, ସନ୍ତୋଷ ବିଡ଼ିକା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe