ଭୁବନେଶ୍ବର : କିଏ ମାରୁଛି, କେମିତି ମରୁଛନ୍ତି କାହାକୁ ମାଲୁମ ନାହିଁ। ତଦନ୍ତ ପରେ ବି ପୁଲିସକୁ ବିେଶଷ କିଛି ସଫଳତା ମିଳୁନାହିଁ। କିନ୍ତୁ ପରିସଂଖ୍ୟାନ ବୟାନ କରୁଛି, ରାଜ୍ୟରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। କେତେବେଳେ ଟ୍ରେନ୍ ଲାଇନ୍ ଉପରୁ ମୃତଦେହ ଜବତ ହେଲାଣି ତ ଆଉ େକତେବେଳେ ସମୁଦ୍ର ଓ ନଦୀ ତଟବର୍ତୀ ଅଞ୍ଚଳରୁ। ଜାତୀୟ ରାଜପଥ କଡ଼ରୁ, ପାହାଡ଼, ଜଙ୍ଗଲ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରୁ ମଧ୍ୟ ମୃତ ଦେହ ମିଳୁଛି।
ପ୍ରାରମ୍ଭିକ ଅନୁସନ୍ଧାନରୁ ପୁଲିସ ସନ୍ଦେହ କରୁଛି ଯେ ଅଧିକାଂଶ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇପାରେ। ମାତ୍ର ପରିଚୟ ନ ମିଳିବା କାରଣରୁ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ବସି ପଡ଼ୁଛି ପୁଲିସ। ଅନେକ ଘଟଣାର ରହସ୍ୟ ଉନ୍ମୋଚନ ହୋଇ ପାରୁନାହିଁ।
ଏମିତି ପାଞ୍ଚ କି ପଚାଶ ନୁେହଁ, ଯାହା ସୂଚନା ମିଳିଛି ୮ ମାସ ମଧ୍ୟରେ ପାଖାପାଖି ୧୧୫ଜଣଙ୍କ ମୃତଦେହ ଏମିତି ଢଙ୍ଗରେ ପୁଲିସ ଠାବ କରିଛି। ସେଥିମଧ୍ୟରୁ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୩୭ଟି ମୃତଦେହ ଜବତ କରାଯଆଇଛି। ୧୧୫ଟି ମାମଲାରୁ ପାଖାପାଖି ୩୫ଟି ହତ୍ୟା ଘଟଣା ବୋଲି ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡ଼ିଛି।
ଏକ ପରିସଂଖ୍ୟାନ ଅନୁଯାୟୀ, ଖୋର୍ଧାରେ ସର୍ବାଧିକ ୩୭ଜଣ ଅଚିହ୍ନା ଲୋକଙ୍କ ମୃତଦେହ ଠାବ କରାଯାଇଥିବାବେଳେ ବ୍ରହ୍ମପୁରରେ ୧୭, କୋରାପୁଟରେ ୧୪, ପୁରୀରେ ୮, ଅନୁଗୁଳରେ ୪, ଭଦ୍ରକରେ ୭, ଭୁବନେଶ୍ବରରେ ୯, କଟକରେ ୫, ବାଲେଶ୍ବରରେ ୪, ଢେଙ୍କନାଳରେ ୫ ଏବଂ ସମ୍ବଲପୁରରେ ୫ଜଣଙ୍କ ମୃତଦେହ ଠାବ କରାଯାଇଛି।
ଚଳିତ ବର୍ଷ ଜୁନ୍ ୨୦ ତାରିଖରେ ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶରୀର ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନର ଶୌଚାଳୟ ଭିତରୁ ମିଳିଥିଲା। ସେହିପରି ମଞ୍ଚେଶ୍ବର ଥାନା କୁଆଖାଇ ନଦୀପଠାରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଥିଲା। ପୁଲିସ ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ ଦୁଇ ମହିଳାଙ୍କ ପରିଚୟ ଏଯାଏଁ ମିଳି ପାରିନାହିଁ। ଫଳରେ ପୁଲିସ ତଦନ୍ତ େଯଉଁଠି ଥିଲା େସଇଠି ରହିଛି।
ଏ ସମ୍ପର୍କରେ ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକଙ୍କ କହିବା ଅନୁଯାୟୀ, ଯଦି ମୃତ ବ୍ୟକ୍ତିର ପରିଚୟ ମିଳୁ ନ ଥାଏ, ତାର ଫଟୋ ରାଜ୍ୟରେ ଥିବା ସମସ୍ତ ଥାନାକୁ ଚିହ୍ନଟ ପାଇଁ ପଠାଇବା ସହିତ ମିସିଂ କେସ୍ ସଂଗ୍ରହ କରିବା ଆବଶ୍ୟକ। ବେଳେବେଳେ ରାଜ୍ୟ ବାହାରର ଲୋକଙ୍କୁ ଏଠାରେ ହତ୍ୟା କରାଯାଇଥାଏ। ଏଭଳି ଘଟଣା ଘଟିଲେ ପୁଲିସ ପାଇଁ ଅନେକ ସମସ୍ୟା ହୋଇଥାଏ ବୋଲି ଅବସରପ୍ରାପ୍ତ ପୁଲିସ ଡିଜି ଶ୍ରୀ ମାରିକ କହିଛନ୍ତି।
କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ପୁଲିସ କେତେକ ଘଟଣାରେ ହତ୍ୟା ମାମଲା ରୁଜୁ କରିଛି। ଅଧିକାଂଶ ମୃତଦେହର ପରିଚୟ ମିଳି ପାରୁନାହିଁ। ଯେଉଁଠି ପରିଚୟ ମିଳୁଛି ପୁଲିସ ତଦନ୍ତ ଆଗେଇ ପାରୁଛି।
Follow Us