dna india
ପୁରୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ମଙ୍ଗଳ ଆଳତି ଦେଖିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ମତ ରଖିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁରାତନ କୀର୍ତ୍ତିରାଜିକୁ ସ୍ଥାନିତ କରିବା ଆବଶ୍ୟକ ବୋଲି କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ଯେତେ ଶୀଘ୍ର ପରିକ୍ରମା ପ୍ରକଳ୍ପ ସରିବ ଭଲ। କିନ୍ତୁ ଏହି ପ୍ରକଳ୍ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସବୁ ପୁରୁଣା ମଠ, ମନ୍ଦିର ତଥା ପଣ୍ଡିତ ଗୋପବନ୍ଧୁ ଦାସଙ୍କର ମୂର୍ତ୍ତି, ବିଭିନ୍ନ ସମ୍ପ୍ରଦାୟର ପୁରାତନ କୀର୍ତ୍ତିରାଜି ଭଳି ଜଡିତ ବସ୍ତୁଗୁଡିକର ନବକଳେବର ହେଉ। ଏହି ଅବସରରେ ଶ୍ରୀ ପ୍ରଧାନ ହାଇକୋର୍ଟ ରତ୍ନଭଣ୍ଡାରକୁ ନେଇ ଦେଇଥିବା ରାୟ ଉପରେ ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନାଟମଣ୍ଡପ ମରାମତିର ଅନୁଧ୍ୟାନ କରିଥିଲେ। ସେ କହିଥିଲେ, ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରକୁ ନେଇ ସମସ୍ତ ଓଡ଼ିଆ ଓ ସନାତନ ଧର୍ମାବଲମ୍ବୀମାନଙ୍କ ଭାବାବେଗ ଜଡ଼ିତ। ମହାପ୍ରଭୁଙ୍କ ଅଗଣିତ ଭକ୍ତ ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ଆସୁଛନ୍ତି। ଯଥାଶୀଘ୍ର ଏହା ଖୋଲାଯିବା ଦରକାର। ମହାପ୍ରଭୁଙ୍କର ଆଶୀର୍ବାଦରୁ ଏଏସ୍ଆଇ ନିଜର କାମକୁ ନିଶ୍ଚିତ ଭାବରେ ସୂଚାରୁ ରୂପେ କରିବ। ଗର୍ଭ ଗୃହ ଯେମିତି କାମ ହୋଇଛି, ସେମିତି ନାଟମଣ୍ଡପର କାମ ହେବ। ଅପରପକ୍ଷରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା କଥା ଭକ୍ତମାନେ ବହୁବାର କହିଲେଣି। ଯେତେ ସୁବିଧାରେ ଦର୍ଶନ ହେବ, ସେତେ ଭଲ। ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଧାର୍ମିକ ଶ୍ରଦ୍ଧାର ପ୍ରସଙ୍ଗ ନୁହେଁ, ବରଂ ଏକ ସାମାଜିକ ସଂସ୍କାର, ସାମାଜିକ ଦିଗଦର୍ଶନ, ସାମାଜିକ ପ୍ରଥା ବା ପ୍ରଗତିଶୀଳ ସମାଜର ପ୍ରତୀକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Follow Us