ସାତକୋଶିଆରେ ଅସୁରକ୍ଷିତ ଗଜରାଜ: କରେଣ୍ଟ ଦେଇ ୨ ହାତୀଙ୍କୁ ମାରିଦେଲେ

Advertisment
ସାତକୋଶିଆରେ ଅସୁରକ୍ଷିତ ଗଜରାଜ: କରେଣ୍ଟ ଦେଇ ୨ ହାତୀଙ୍କୁ ମାରିଦେଲେ

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରୁ ଆଜି ୨ଟି ହାତୀଙ୍କ ଗଳିତ ମୃତଦେହକୁ ବନ ବିଭାଗ ଜବତ କରିଛି। ସେଥିରେ ଗୋଟିଏ ୧୫ବର୍ଷ ବୟସ୍କ ଦନ୍ତା ଥିବା ବେଳେ ଅନ୍ୟଟି ୫ ବର୍ଷର ଏକ ମାଈ ହାତୀ। ଅନ୍ୟ ଜୀବଜନ୍ତୁଙ୍କ ଶିକାର ଉଦ୍ଦେଶ୍ୟରେ ହୁକିଂ କରି ବିଛା ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଦ୍ବୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଗତ ୧ କିମ୍ବା ୨ ତାରିଖ‌ରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ମୃତଦେହରୁ ଦାନ୍ତ, ଚମଡ଼ା କିମ୍ବା ଅନ୍ୟାନ୍ୟ ଅଂଶ ଗାଏବ ହୋଇ ନଥିବାରୁ ଏହା ହାତୀ ଶିକାର ପାଇଁ ନୁହେଁ, ବରଂ ଅନ୍ୟ ଜନ୍ତୁ ଶିକାର ପାଇଁ ଫାଶ ବସିଥାଇପାରେ ବୋଲି ବନବିଭାଗ କହିଛି। ପ୍ରାୟ ବର୍ଷେ ପରେ ସାତକୋଶିଆ ଅଭୟାରଣ୍ୟ ଭିତରେ ଏଭଳି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ପୁଣିଥରେ ହାତୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଘଟଣାରେ ବିଦ୍ୟୁତ୍ ବିଭାଗ ଓ ବନ ବିଭାଗ ମିଳିତ ଭାବେ ତଦନ୍ତ କରୁଛନ୍ତି। ଅପରାହ୍‌ଣରେ ଏସ୍‌ଟିଏଫ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ବତନ୍ତ୍ର ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ବିଦ୍ୟୁତ୍ ବିଭାଗ ପକ୍ଷରୁ ପୁରୁଣାକୋଟ୍‌ ଥାନାରେ ଅଭିଯୋଗ ହୋଇଛି। ବିଦ୍ୟୁତ୍ ତାରକୁ ଚଞ୍ଚକତା କରି କେବୁଲ୍‌ କାଟି ହୁକିଂ କରାଯାଇଥିବା ଜରପଡ଼ା କନିଷ୍ଠ ଯନ୍ତ୍ରୀ ପପୁ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ସାତକୋଶିଆ ବନଖଣ୍ଡ ପମ୍ପାସର ରେଞ୍ଜ ଅଧୀନ ଟାଇଁସି ସଂରକ୍ଷିତ ଜଙ୍ଗଲ କମ୍ପାଟ୍‌ମେଣ୍ଟ୍‌ ୯ର ରାସ୍ତାକଡ଼ରେ ୨ଟି ହାତୀଙ୍କ ଗଳିତ ମୃତଦେହ ପଡ଼ିଥିଲା। ସେହି ପାଖରେ ଆଜି କିଛି ଗାଈଚରାଳି ଗୋରୁ ନେଇ ଯାଇଥିବା ବେଳେ ପ୍ରବଳ ଗନ୍ଧ ହେବାରୁ ପାଖକୁ ଯାଇ ହାତୀର ମୃତଦେହ ଦେଖିଥିଲେ। ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ବେଳେ ଦେହସାରା ପୋକ ସାଲୁବାଲୁ ହେଉଥିଲେ। ମୁଖ୍ୟରାସ୍ତା ପାଖରୁ ୩୫ ମିଟର ଦୂରରେ ଛୁଆ ମାଈ ହାତୀ ଓ ତା’ଠାରୁ ଆଉ ୩୫ ମିଟର ଦୂରରେ ଦନ୍ତା ହାତୀର ମୃତଦେହ ପଡ଼ିଥିଲା। ଖବର ପାଇ ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ୨ଟି ଯାକ ଗଳିତ ଶବ ସମେତ ପାଖରେ ପଡ଼ିଥିବା କିଛି ବିଦ୍ୟୁତ୍‌ ତାର ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଡିଏଫ୍‌ଓ ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe