ଅପହଞ୍ଚ ଅଞ୍ଚଳ ଦେବଭୂଇଁ: ୧୫ କିମି ଚାଲିଚାଲି ଗଲେ ହିନ୍ଦୋଳ ଘାଟିରେ ମିଳୁଛି ନେଟ୍‌ୱାର୍କ

ରାସନ ପାଇଁ ଢେଙ୍କାନାଳ ଜିଲ୍ଲାରେ ଟିପ ଦେଉଛନ୍ତି କଟକବାସୀ

ଅପହଞ୍ଚ ଅଞ୍ଚଳ ଦେବଭୂଇଁ: ୧୫ କିମି ଚାଲିଚାଲି ଗଲେ ହିନ୍ଦୋଳ ଘାଟିରେ ମିଳୁଛି ନେଟ୍‌ୱାର୍କ

ନରସିଂହପୁର : ଗ୍ରାମାଞ୍ଚଳରେ ଲୋକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ନିକଟରେ ରାସନ ସାମଗ୍ରୀ ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ହେଲେ, ନରସିଂହପୁର ବ୍ଲକ୍‌ର ଉପାନ୍ତ ଅଞ୍ଚଳ ଦେବଭୂଇଁ ପଞ୍ଚାୟତରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ପଞ୍ଚାୟତରେ ମୋବାଇଲ୍‌ ନେଟ୍‌ୱାର୍କ ମିଳୁ ନ ଥିବାରୁ କଟକ ଜିଲ୍ଲା ଅଧୀନରେ ଥିବା ୧୫ଟି ଗ୍ରାମର ହିତାଧିକାରୀ ଚାଲିଚାଲି ପ୍ରାୟ ୧୫ କିଲୋମିଟର ଦୂର ଢେଙ୍କାନାଳ ଜିଲ୍ଲାର ହି‌ନ୍ଦୋଳ ଘାଟି ଉପରକୁ ଯିବା ଲାଗି ବାଧ୍ୟ ହେଉଛନ୍ତି।

publive-image

ପ୍ରକାଶଥାଉ କି, କଟକ ଜିଲ୍ଲା ସଦର ମହକୁମାରୁ ୧୪୦ କିଲୋମିଟର ଦୂର ନରସିଂହପୁର ବ୍ଲକ୍‌ର ପଞ୍ଚମୁହିଁ ଛକ। ସେଠାରୁ ଅନୁଗୁଳ ରାସ୍ତାରେ ବୁଢ଼ାବୁଢ଼ୀ ଠାକୁରାଣୀ ଘାଟି ଅତିକ୍ରମ କରି ୩୦ କିଲୋମିଟର ଗଲେ ପଡ଼ିବ କଟକ ଜିଲ୍ଲାର ପାହାଡ଼ପର୍ବତ ଘେରା ଉପାନ୍ତ ଅଞ୍ଚଳ ଦେବଭୂଇଁ ପଞ୍ଚାୟତ। ନୀଳକଣ୍ଠପୁର, ଚାଉଁରିଆନାଳି, ଭଗବାନପୁର, ନୂଆଗାଁ, ଶେରମୁଣ୍ଡା, ଜୟଦାମୋଦରପୁର, ନଣ୍ଡାଗୁଳ, ବାହାଡ଼ା, ଭୁସକା, ଶାଳପଶି, ମୁଣ୍ଡିଆସାହି, ଦୁଲ୍ଲା, କନ୍ଧଦେବଭୂଇଁ, ଦଲକ, ଖାରୁଆଣି, କନ୍ଧବାହାଡ଼ାସାହି, ମୁଣ୍ଡାସାହି, ବ୍ରାହ୍ମଣୀ, ନୂଆଗଡ଼, ବେଣୀପଥର, କରାବିରା ଆଦି ୧୫ଟି ଗାଁକୁ ନେଇ ଗଠିତ ଦେବଭୂଇଁ ପଞ୍ଚାୟତ। ଜଙ୍ଗଲ ପରିବେଷ୍ଟିତ ଏହି ଗାଁଗୁଡ଼ିକରେ ନେଟ୍‌ୱାର୍କର ସୁବିଧା ନାହିଁ। ଫଳରେ ରାସନ ସାମଗ୍ରୀ ପାଇବା ପାଇଁ ୧୫ଟି ଗ୍ରାମର ହିତାଧିକାରୀ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଘାଟି ଉପରକୁ ୧୫ କିଲୋମିଟର ଚାଲିଚାଲି ଯିବାକୁ ବାଧ୍ୟ ହେଉଛନ୍ତି। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲେ ନେଟ୍‌ୱାର୍କ ଉପଲବ୍ଧ ହେଉଛି।

ପ୍ରତିମାସ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ବ୍ୟକ୍ତିମାନେ ମଧ୍ୟ ରାସନ କାର୍ଡ ଧରି ସେଠାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଟିପଚିହ୍ନ ନ ଦେଲେ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେବା ଭୟରେ ଲୋକମାନେ ଏତେ ବାଟ ଚାଲିବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମର ବାସୁଆ ପ୍ରଧାନ, ତ୍ରିନାଥ ଜେନା, ଦୟା ଅମାନ୍ତ, ଧ୍ରୁବ ଜେନା, ମନୁ ରାଉଳ, ପ୍ରତାପ ରାଉଳ, ବିନ ଜେନା, ବାପି ସାହୁ, ସଉଦା ଜେନା, ନୀଳ ଜେନା, ରୀନାରାଣୀ ସାହୁ, କୁନି ସାହୁ, ସଞ୍ଜୁ ଗଡ଼ନାୟକ, ନଳିନୀ ଗଡ଼ନାୟକ, ଚୁମୁକି ରାଉଳ, ପ୍ରମିଳା ସାହୁ, ସସ୍ମିତା ଅମାନ୍ତ, ମାମି ଆରୁକ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନେଟ୍‌ୱାର୍କ ଉପଲବ୍ଧ ହେଲେ ଆଉ ସେମାନଙ୍କୁ ଜଙ୍ଗଲ ରାସ୍ତାରେ ଚାଲିବାକୁ ପଡ଼ିବ ନାହିଁ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ବିଡିଓ, ଜିଲ୍ଲାପାଳ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁ ନ ଥିବା ଗାଁ ଲୋକମାନେ ପ୍ରକାଶ କରିଛନ୍ତି। ଦୁର୍ଦ୍ଦଶା ଭୋଗୁଥିବା ପଞ୍ଚାୟତବାସୀଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe