ତୈଳ ଓ ରନ୍ଧନ ଗ୍ୟାସ୍‌ର ଅହେତୁକ ଦର ବୃଦ୍ଧି: ୧୫ରେ ପେଟ୍ରୋଲ, ଡିଜେଲ୍‌ ନ କିଣିବାକୁ ନିରଞ୍ଜନଙ୍କ ନିବେଦନ

Advertisment
ପେଟ୍ରୋଲ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ପିସିସି ସଭାପତି

ଭୁବନେଶ୍ବର: ତୈଳ ଓ ରନ୍ଧନ ଗ୍ୟାସ୍‌ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ନ କିଣିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏଥିପାଇଁ ଆସନ୍ତାକାଲି ରାଜଧାନୀରେ ସାଇକେଲ ଯାତ୍ରା ଜରିଆରେ ରାଜ୍ୟବାସୀଙ୍କୁ ସଚେତନ କରାଯିବ ବୋଲି ଏକ ଭିଡିଓ ବାର୍ତା ଜରିଆରେ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ-ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତା’ ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି ଯୋଗୁଁ ଏବେ ତୈଳ ଦର ଲିଟର ପିଛା ୧୦୦ ପାର୍ କରିଛି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି ଓ ଲୋକମାନେ ଅତିଷ୍ଠ ହୋଇଗଲେଣି। ଏହି ଦରବୃଦ୍ଧି ପ୍ରତିବାଦରେ ବିଭିନ୍ନ ପର୍ଯ୍ୟାୟରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାସହ ଆସନ୍ତା ୧୫ ତାରିଖରେ ୪ଟି ପ୍ରମୁଖ ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦକୁ କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ତେଣୁ ଏହି ବନ୍ଦକୁ ସଫଳ କରିବା ଲାଗି ୧୫ତାରିଖରେ ଗୋଟିଏ ଦିନ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ନ କିଣିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସେହିପରି ୧୭ ତାରିଖରେ ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ ଅଭିଯାନ ହେବ। ଏହାକୁ ସଂଗ୍ରହ କରି ବର୍ଦ୍ଧିତ ଦରଦାମକୁ କମାଇବା ଲାଗି ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ। ବର୍ତ୍ତମାନ ଦରଦାମ୍ ଯେଉଁମାନଙ୍କୁ ବାଧୁଛି, ସେମାନେ ନିଶ୍ଚିତ ଭାବେ ସହଯୋଗର ହାତ ବଢ଼ାଇବା ଲାଗି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe