ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ଅନାବନା ଗଛ ଓ ଆବର୍ଜନା ଯୋଗୁଁ ବଢ଼ୁଛି ମଶାମାଛିଙ୍କ ପ୍ରାଦୁର୍ଭାବ

ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ଅନାବନା ଗଛ ଓ ଆବର୍ଜନା ଯୋଗୁଁ ବଢ଼ୁଛି ମଶାମାଛିଙ୍କ ପ୍ରାଦୁର୍ଭାବ

ମାଲକାନଗିରି : ଚାରିପଟେ କୁଢ଼ କୁଢ଼ ଆବର୍ଜନା। ଅନାବନା ଗଛ ଉଠି ସୃଷ୍ଟି ‌ହୋଇଛି କୃତ୍ରିମ ଜଙ୍ଗଲ। ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ କୋମଳମତି ଶିଶୁଙ୍କୁ ଏଠାରେ ପ୍ରାକ୍ ଶିକ୍ଷା ଦିଆଯିବା ସହ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଏପରିକି ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟୀକାକରଣ ମଧ୍ୟ ଏଠାରେ କରାଯାଉଛି। ମଶାଙ୍କ ଉପଦ୍ରବ ଯୋଗୁଁ କୋମଳମତି ଶିଶୁ ଓ ଅଭିଭାବକ ମାନେ ବହୁ ହଇରାଣ ହେଉଛନ୍ତି। ଅଙ୍ଗନୱାଡି କେନ୍ଦ୍ର ପରିସରକୁ ସଫେଇ କରାଯାଉନଥିବା ବ୍ଲିଚିଂ ଓ ଫିନାଇଲ ସିଞ୍ଚନ କରାଯାଉନଥିବାରୁ ଆଗାମୀ ଦିନରେ ଡେଙ୍ଗୁ ଭଳି ମାରାତ୍ମକ ଜ୍ବରରେ ଶିଶୁ ମାନେ ଆକ୍ରାନ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି। ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାର ରିକ୍ଲାମେସନ କଲୋନିରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ।

publive-imageରିକ୍ଲାମେସନ କଲୋନିରେ ଥିବା ଏହି ଅଙ୍ଗନୱାଡି କେନ୍ଦ୍ରକୁ ଟିକା ଦେବା ପାଇଁ ଅଭିଭାବକ ମାନେ ନିଜ ଛୁଆଙ୍କୁ ଧରି ଆସିଥିଲେ। କିନ୍ତୁ କେନ୍ଦ୍ର ଚାରିପଟେ ଅନାବନା ଗଛ ଉଠିବା ସହ କୁଢ଼ କୁଢ଼ ଆବର୍ଜନା ଯୋଗୁଁ ଶିଶୁ ମାନଙ୍କୁ ମଶା କାମୁଡ଼ିବା ଦେଖି ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସାହି କିମ୍ବା ଏହି ଅଙ୍ଗନୱାଡି କେନ୍ଦ୍ର ଚାରିପଟେ କେବେ ବ୍ଲିଚିଂ କିମ୍ବା ଫିନାଇଲ ସିଞ୍ଚନ କରାଯାଉନଥିବା ଅଭିଭାବକ ମାନେ ଅଭି‌ଯୋଗ କରିଥିଲେ। କେବଳ କୌଣସି ଉଚ୍ଚ ପଦାଧିକାରୀ କିମ୍ବା ନେତା ଆସିଲେ ବ୍ଲିଚିଂ ପଡୁଥିବା କହିଥିଲେ। ବ୍ଲିଚିଂ ଏବଂ ଫିନାଇଲ କୁଆଡେ ଯାଉଛି ବୋଲି ମଧ୍ୟ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଥିଲେ। ମାଲକାନଗିରି ପୌର ପରିଷଦ ତରଫରୁ ଆବର୍ଜନା ‌ସଫେଇ କରିବାକୁ ପରିଷଦ ପକ୍ଷରୁ ଠିକାଦାର ନିଯୁକ୍ତି କରାଯାଇଛି। କିନ୍ତୁ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁଁ ମାଲକାନଗିରି ବାସୀ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ ହେବେ ବୋଲି ମଧ୍ୟ ଅଭି‌ଯୋଗ କରିଛନ୍ତି। ବର୍ତମାନ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ପୁରୁଣା ଟାୟାର ଓ ଡମ୍ବିଂୟାର୍ଡ ରହିଥିବାରୁ ମଶାମାଛିଙ୍କ ପ୍ରାଦୁର୍ଭାବ ଆହୁରି ବଢ଼ିବ ବୋଲି ଲୋକେ କହିଛନ୍ତି। ତେଣୁ ଡିଏନକେ, କୁମଟିଗୁଡା, ରିକ୍ଲାମେସନ କଲୋନି ସମେତ ଅନ୍ୟ ଅଂଚଳରେ ପ୍ରତିଦିନ ବ୍ଲିଚିଂ ପକାଇବାକୁ ଦାବି ହୋଇଛି। ଏଥିସହ ନିୟମିତ ଭଲ ଭାବେ ସଫେଇ କରିବାକୁ ମଧ୍ୟ ଦାବି ହୋଇଛି।

ରିକ୍ଲାମେସନ କଲୋନିରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା ଶୋଚନୀୟ ଥିଲେ ମଧ୍ୟ ଏହାର ମରାମତି କିମ୍ବା ରକ୍ଷଣାବେକ୍ଷଣ କରାଯାଉନଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଚାରିପଟ ସଫେଇ କରାଯାଉନଥବାରୁ ଆଜି କୋମଳମତି ଶିଶୁଙ୍କୁ ମଶା କାମୁଡ଼ିଲା ବୋଲି ଅଭିଭାବକ ମା‌ନେ କହିଛନ୍ତି। ଶୀଘ୍ର ପୌର ପରିଷଦ ତରଫରୁ ଏହି ଅଞ୍ଚଳକୁ ସଫେଇ କରିବାକୁ ଦାବି କରାଯାଇଛି। ଏ ସଂପର୍କରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବାରୁ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି। ମାଲକାନଗିରି ସଦର ମହକୁମାର ବିଭିନ୍ନ ସାହିରେ କୁଢ଼ କୁଢ଼ ଆବର୍ଜନା ପଡି ରହିଥିଲେ ମଧ୍ୟ କେବଳ ଡିଏନକେକୁ ଛାଡି ଦେଲେ ଅନ୍ୟ ସ୍ଥାନରେ ସଫେଇ କରାଯାଉନଥିବା ଅଭିଯୋଗ ହୋଇଛି। ଏପରିକି ଠିକାଦାର ମଧ୍ୟ ଏହାକ ତଦାରଖ କରୁନାହାନ୍ତି। ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଆବର୍ଜନା ପଡି ରହିଥିବାରୁ ଡେଙ୍ଗୁ ଜ୍ବରରେ ଲୋକେ ଆକ୍ରାନ୍ତ‌ ହେବା ନେଇ ଆଶଙ୍କା ଦେଖାଦେଇଛି। ତେଣୁ ପୌର ପରିଷଦ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe