ଚିଙ୍ଗୁଡ଼ି ଘେରିରେ କୁଢ଼ କୁଢ଼ ମଇଁଷି ଶବ, ବିପଦରେ ଚିଲିକା, ଆତଙ୍କିତ ଅଞ୍ଚଳବାସୀ

ଚିଲିକାର ମତ୍ସ୍ୟଜୀବୀଙ୍କୁ ଲୋକାଭିମୁଖୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ

India Water Portal

ପୁରୀ : ପ୍ରଳୟଙ୍କରୀ ବାତ୍ୟା ’ଫନି’ ପ୍ରଭାବରେ ପୁରୀ ଜିଲ୍ଲାରେ ଗୋ ସମ୍ପଦର ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାର ମଇଁଷି ଏଥିରେ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏହାର ନକରାତ୍ମକ ପ୍ରଭାବ ଏବେଠୁ ଆରମ୍ଭ ହୋଇଗଲାଣି। ଚାରିଆଡେ଼ ପଚାଶଢ଼ା ଗନ୍ଧ ଆରମ୍ଭ ହୋଇଗଲାଣି। କୁଢ଼ କୁଢ଼ ମଇଁଷି, ଗାଈଗୋରୁଙ୍କ ଶବ ରାସ୍ତାକଡ଼ରେ ପଡ଼ିଥିବା ଏବଂ ନଦୀ, ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଛି। ଫଳରେ ବିଭିନ୍ନ ମାରାତ୍ମକ ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି। ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିଲିକା ଏହାର ଉଦାହରଣ ମାତ୍ର।

ଚିଲିକାର ଆଖପାଖ ଅଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରିରେ ସବୁ କୁଢ଼ କୁଢ଼ ଗାଈଗୋରୁ, ମଇଁଷିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। ଆଜି ବ୍ରହ୍ମଗିରିର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ବେଳେ ଏଭଳି ଭୟଙ୍କର ଚିତ୍ର ମିଳିଥିଲା। ଗମ୍ଭାରି ନିକଟ ଚିଙ୍ଗୁଡ଼ି ଘେରି ସବୁରେ କୁଢ଼ କୁଢ଼ ମଇଁଷିଙ୍କ ଶବ ଲାଗିଥିଲା। ଯେଉଁଥିରେ ବିରାଟ ବିରାଟ ପୋଢ଼ ବି ଥିଲେ। ଆଖପାଖ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। ଯାହା ଅନୁମାନ କରାଯାଉଥିଲା, ଏକ ମଇଁଷି ଗୋଠର ୫୦ରୁ ଅଧିକ ମଇଁଷି ମରିବା ପରେ ଭାସି ଆସି ଏଠାରେ ଲାଗିଥିଲା। ଆଖପାଖରେ କେହି ଲୋକ ବି ନଥିଲେ। ଉତ୍କଟ ଦୁର୍ଗନ୍ଧ ପୂରା ପରିବେଶକୁ ସ˚କ୍ରାମକ କରି ରଖିଥିଲା। ପାଖରେ କେରଳର କିଛି ସ୍ବେଚ୍ଛାସେବୀ ଏହି ମଲା ମଇଁଷି ସବୁକୁ ପାଣିରୁ କାଢ଼ି ରାସ୍ତା ଉପରେ ରଖୁଥିଲେ। ପରେ ସେମାନେ ଏହାକୁ ନିକଟସ୍ଥ ଏକ ଜାଗାରେ ପୋତି ଦେଇଥିଲେ ସତ, କିନ୍ତୁ ମଇଁଷିମାନଙ୍କ ମୃତ୍ୟୁ ପରେ ଯେଉଁ ଉତ୍କଟ ପରିବେଶ ସୃଷ୍ଟି ହୋଇଛି ସେଥିରେ ଝାଡ଼ାବାନ୍ତି, ହଇଜା ଭଳି ମହାମାରୀ ବ୍ୟାପିବା ଆଶଙ୍କା ରହିଛି। କିଛି ଦିନ ହେବ ବ୍ରହ୍ମଗିରି ଡାକ୍ତରଖାନାରେ ଝାଡ଼ାବାନ୍ତି ରୋଗୀ ସ˚ଖ୍ୟା ବଢ଼ିବା ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଏହା କେବଳ ଅଞ୍ଚଳବାସୀଙ୍କୁ ଆତଙ୍କିତ ଅବସ୍ଥାରେ ରଖିନି, ଚିଲିକାରେ ଥିବା ବିରଳ ପ୍ରଜାତିର ଡଲଫିନ୍‌ ଓ ମତ୍ସ୍ୟସ˚ପଦ ପ୍ରତି ବିପଦ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe