ଅସୁରକ୍ଷିତ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି: ସମାଧି ଉପରେ ଠିଆ ହୋଇଛି କୋଠା

Advertisment

୧୨୭ ସମାଧିରୁ ଅଛି ୨୧, ସେଥିରୁ ଭଙ୍ଗାଗଲାଣି ୫, ସମାଧି ମୁହଁ ବି କାନ୍ଥ ଭିତରେ ପଲସ୍ତରା କରିଦେଲେଣି

୧୨୭ ସମାଧିରୁ ଅଛି ୨୧, ସେଥିରୁ ଭଙ୍ଗାଗଲାଣି ୫, ସମାଧି ମୁହଁ ବି କାନ୍ଥ ଭିତରେ ପଲସ୍ତରା କରିଦେଲେଣି

ଗୋବର୍ଦ୍ଧନ ମଠ ସମ୍ପତ୍ତି ଜବରଦଖଲ: ଭାଙ୍ଗିଦେଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି

ପୁରୀ: ଜମିମାଫିଆ ଓ ପ୍ରଭାବଶାଳୀଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌ ପଡ଼ିନି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠ ଓ ସମାଧିପୀଠ। ଲାଳସା ଏତେ ଯେ ଏମାନେ ପୁରୀ ଗୋବର୍ଦ୍ଧନ ମଠ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିକୁ ଭାଙ୍ଗିବାକୁ ବି ପଛାଇନାହାନ୍ତି। ଯେଉଁଠି ୧୨୭ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧି ନିର୍ମାଣ କରାଯାଇଥିଲା, ସେଠି ଆଉ ମାତ୍ର ୨୧ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧି ‘ସ୍ମୃତିଚିହ୍ନ’ ଭାବେ ରହିଛି। ବାକି ୧୦୬ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧିକୁ ଭାଙ୍ଗି ସେଠାରେ ବଡ଼ ବଡ଼ କୋଠାଘର ତିଆରି ସରିଛି। ମନ ଏତିକିରେ ପୂରିଲାନି ଯେ ବାକି ଯେଉଁ ୨୧ଟି ସମାଧି ବଞ୍ଚିଛି, ସେଥିରୁ ୫ରୁ ଅଧିକ ସମାଧିକୁ ଭାଙ୍ଗି ସାରିଲେଣି। ୩ଟିକୁ ଭାଙ୍ଗି ଘର ତିଆରି ସାରିଥିବାବେଳେ ଆଉ ବାକିକୁ ଭାଙ୍ଗି ଘର ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରି ହୋଇଛି।

ଆଜି ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପରେ ପୁରୀ ତହସିଲଦାର ଅଭିଷେକ ଦାଶ ଓ ସମୁଦ୍ର କୂଳ ଥାନା ଅଧିକାରୀ ମାନସ ଚକ୍ର ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମାଧିସ୍ଥଳ ଅନୁଧ୍ୟାନ ସହ ଜାଗା ଉପରେ ପଚରାଉଚରା କରି ଫେରିଛନ୍ତି ବୋଲି ଗୋବର୍ଦ୍ଧନ ମଠ କାର୍ଯ୍ୟାଳୟ ସମ୍ପାଦକ ସୂୟଷ ପ୍ରଶାନ୍ତ କହିଛନ୍ତି। ଶୀଘ୍ର ତହସିଲ ପକ୍ଷରୁ ଜାଗା ମାପଚୁପ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସଂପାଦକ ଶ୍ରୀ ପ୍ରଶାନ୍ତ କହିଛନ୍ତି। ସନାତନ ଧର୍ମର ଆଦିଗୁରୁ ହେଉଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୂଳପୀଠ ହେଉଛି ଗୋବର୍ଦ୍ଧନ ମଠ। ଜଗଦ୍‌ଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ହେଉଛନ୍ତି ୧୪୫ତମ ଶଙ୍କରାଚାର୍ଯ୍ୟ। ଏଣୁ ଆରମ୍ଭରୁ ଯେଉଁ ଯେଉଁ ଶଙ୍କରାଚାର୍ଯ୍ୟମାନେ ଏଠାରେ ଥିଲେ, ସେମାନଙ୍କ ସ୍ମୃତି ଭାବେ ମଠ ପରିସରରେ ସମାଧି ପୀଠ କରାଯାଇଛି। ଏହି ସମାଧି ଭିତରେ ଶିବଲିଙ୍ଗ ବି ସ୍ଥାପନ କରାଯାଇଛି। ଶଙ୍କରାଚାର୍ଯ୍ୟ ମଠ ସୂଚନା ଓ ଗଣମାଧ୍ୟମ ପ୍ରମୁଖ ଦେବାଶିଷ ମିଶ୍ରଙ୍କ କହିବା ମୁତାବକ, ମଠ ରେକର୍ଡ ଅନୁସାରେ, ମଠ ପଛପାର୍ଶ୍ବରେ ପ୍ରାୟ ୪ ଏକର ଜାଗାରେ ୧୨୭ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥାପନ କରାଯାଇଥିଲା। ବାକି କିଛି ଶଙ୍କରାଚାର୍ଯ୍ୟଙ୍କ ସମାଧି କାଶୀ ଓ ଅନ୍ୟ ତୀର୍ଥ ସ୍ଥାନରେ ସ୍ଥାପନ କରାଯାଇଛି। ୧୨୭ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧି ଗୋବର୍ଦ୍ଧନ ମଠଠାରୁ ସମୁଦ୍ର କୂଳ ପର୍ଯ୍ୟନ୍ତ ଲମ୍ବିଥିଲା। କିନ୍ତୁ ୧୨୭ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧିରୁ ଏବେ ମାତ୍ର ୨୧ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧି ଅଛି। ବାକି ୧୦୬ ସମାଧି କୁଆଡ଼େ ଗଲା, ତାହା ସ୍ପଷ୍ଟ କେହି କହି ପାରୁନଥିଲେ ବି ଏହା ଉପରେ ଏବେ ବଡ଼ ବଡ଼ କୋଠା ଠିଆ ହୋଇଛି ବୋଲି ସେ କହିଛନ୍ତି।

ଅପରପକ୍ଷେ ୨୧ଜଣ ଶଙ୍କରାଚାର୍ଯ୍ୟଙ୍କ ସମାଧିରୁ ୩ଜଣଙ୍କ ସମାଧିକୁ ନିକଟରେ ଭାଙ୍ଗି ବ୍ୟକ୍ତିଗତ ଘର ତିଆରି କରାଯାଇଛି। ଏହି ସମାଧି ବି ସେହିଭଳି ଭଗ୍ନ ଅବସ୍ଥାରେ ପଡ଼ିଛି। ଯେଉଁଥିରୁ ଦୁଇଟି ସମାଧିର ମୁଖ୍ୟଦ୍ବାରକୁ ବ୍ୟକ୍ତିଗତ ଦଖଲକାରୀମାନେ କାନ୍ଥ ଭିତରେ ପଲସ୍ତରା କରି ଦେଇଛନ୍ତି। ଫଳରେ ସମାଧିକୁ ଆଉ ବାଟ ନାହିଁ। ଆଉ କିଛି ସମାଧିର ଶୀର୍ଷକୁ ଭାଙ୍ଗି ଦିଆଯାଇଛି। ଏହା ଭିତରେ ପୂଜା ପାଉଥିବା ଶିବ ଲିଙ୍ଗ ଆଉ ନାହିଁ। ପ୍ରତି ବଦଳରେ ଅଳିଆ ଆବର୍ଜନା ସବୁ ପଡ଼ୁଛି। ଯାହା ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ଦେଇଛି। ଏବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ବାହାରେ ତୀର୍ଥଯାତ୍ରାରେ ଅଛନ୍ତି। ଜୁଲାଇ ୫ ତାରିଖରେ ସେ ପୁରୀ ଫେରିବାପରେ ଏ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ମଠ କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe