ଅସୁରକ୍ଷିତ ରେକ୍‌ ପଏଣ୍ଟ, ପ୍ରଭାବିତ ହେଉଛି ସାର ପରିବହନ

Advertisment

୨୩ଟି ପଏଣ୍ଟର ବିକାଶ ପାଇଁ ରେଳବାଇ ଓ ୧୭ ଜିଲ୍ଲାପାଳଙ୍କୁ ଚିଠି

୨୩ଟି ପଏଣ୍ଟର ବିକାଶ ପାଇଁ ରେଳବାଇ ଓ ୧୭ ଜିଲ୍ଲାପାଳଙ୍କୁ ଚିଠି

ଅସୁରକ୍ଷିତ ରେକ୍‌ ପଏଣ୍ଟ, ପ୍ରଭାବିତ ହେଉଛି ସାର ପରିବହନ

Gaon Connection English

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ବାର୍ଷିକ ୧୨ ଲକ୍ଷ ମେଟ୍ରିକ ଟନ୍‌ ସାର ଯୋଗାଣ ହୁଏ। ରାଜ୍ୟରେ ଥିବା ୨୩ଟି ରେକ୍‌ ପଏଣ୍ଟରେ ସାର ଓହ୍ଲାଇବା ପରେ ବିଭିନ୍ନ ଜିଲ୍ଲାକୁ ଯାଇଥାଏ। ମାତ୍ର ଅଧିକାଂଶ ରେକ୍‌ ପଏଣ୍ଟ ଏବେ ଅସୁରକ୍ଷିତ ସ୍ଥିତିରେ ଥିବାରୁ କୋଟିକୋଟି ଟଙ୍କାର ସାର ନଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିମଧ୍ୟରୁ କେନ୍ଦୁଝର ଜିଲ୍ଲା ନାରାୟଣପୁର, ନୟାଗଡ଼ ରେକ ପଏଣ୍ଟର ଅବସ୍ଥା ସବୁଠାରୁ ଶୋଚନୀୟ ଥିବା ଜଣାପଡ଼ିଛି। ତେଣୁ ଏଠାରେ ତୁରନ୍ତ ଏକ ନୂତନ ରେକ୍‌ ପଏଣ୍ଟର ଆବଶ୍ୟକତା ରହିଛି। ଅସୁରକ୍ଷିତ ରେକ୍‌ ପଏଣ୍ଟଗୁଡ଼ିକର ଭିତ୍ତିଭୂମିରେ ବିକାଶ ପାଇଁ ପୂର୍ବତଟ ରେଳବାଇର ଜେନରାଲ ମ୍ୟାନେଜରଙ୍କୁ କୃଷି କମିସନର ଏବଂ ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିବହନ ବିଭାଗ ଉପସଚିବ ଚିଠି ଲେଖିଛନ୍ତି।

ପୂର୍ବତଟ ରେଳବାଇକୁ ଦିଆଯାଇଥିବା ଏହି ପତ୍ର ଅନୁସାରେ, ଜୁଲାଇ ମଧ୍ୟଭାଗରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଷୀଙ୍କ ଲାଗି ସାରର ଚାହିଦା ସବୁଠାରୁ ଅଧିକ ରହିଥାଏ। ଠିକ୍‌ ଏହି ସମୟ ବର୍ଷା ଦିନ ହୋଇଥିବାରୁ ରେକ୍‌ ପଏଣ୍ଟରୁ ସୁରକ୍ଷିତ ଭାବରେ ସାର ଓହ୍ଲାଇବା ଆହ୍ବାନପୂର୍ଣ୍ଣ ହୋଇଥାଏ। ରେକ୍‌ ପଏଣ୍ଟଗୁଡ଼ିକରେ ଏଭଳି ବ୍ୟବସ୍ଥା ଥିବା ଆବଶ୍ୟକ ଯେ ଯେମିତି ଏହା ମାଲବାହୀ ଟ୍ରେନରୁ ଟ୍ରକ୍‌ ପର୍ଯ୍ୟନ୍ତ ସାର ସୁବିଧାରେ ଯୋଗାଣ ହୋଇ ପାରିବ। ଏଥିସହିତ ଛାତ, ବିଜୁଳି ଏବଂ ଉପଯୁକ୍ତ ରାସ୍ତା ବ୍ୟବସ୍ଥା ରହିବା ନିତାନ୍ତ ଦରକାର। ମାତ୍ର ରାଜ୍ୟରେ ଥିବା ରେକ୍‌ ପଏଣ୍ଟଗୁଡ଼ିକର ସ୍ଥିତି ଅତ୍ୟନ୍ତ ଖରାପ। ବଲାଙ୍ଗୀର, କଣ୍ଟାବାଂଜି, ଝାରସୁଗୁଡ଼ା ରେକ୍‌ ପଏଣ୍ଟରେ ଛାତ, ଲାଇଟ୍‌ ନ ଥିବାବେଳେ ରାସ୍ତା ଅବସ୍ଥା ବି ଶୋଚନୀୟ। ବାଲେଶ୍ବର ରେକ୍‌ ପଏଣ୍ଟ୍‌ରେ ବିଜୁଳି, ରାସ୍ତା ଅବସ୍ଥା ଠିକ୍‌ ଥିଲେ ମଧ୍ୟ ଛାତ ଅଧା ଭାଙ୍ଗି ଯାଇଛି। ବରଗଡ଼, ଭଦ୍ରକ ଓ ଢେଙ୍କାନାଳ ରୋଡ ରେକ୍ ପଏଣ୍ଟରେ କିଟିକିଟି ଅନ୍ଧାର; ଛାତର କିଛି ଅଂଶ କଭର କରି ରହିଛି। ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଛାତ ମଧ୍ୟ ଅଧାଭଙ୍ଗା ଅବସ୍ଥାରେ ରହିଛି।

କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଛାତ ଓ ବିଜୁଳି ସମସ୍ୟା ରହିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେକ୍‌ ପଏଣ୍ଟରେ ଛାତ ନାହିଁ, ରାସ୍ତା ଖାଲଖମାରେ ଭର୍ତ୍ତି। ଲାଇଟ ସୁବିଧା ମଧ୍ୟ ସେଠାରେ ହୋଇ ପାରିନାହିଁ। ଖୋର୍ଧା ରେକ୍‌ ପଏଣ୍ଟର ମଧ୍ୟ ଛାତ ଓ ପର୍ଯ୍ୟାପ୍ତ ବିଜୁଳି ସୁବିଧା ନାହିଁ। ରାୟଗଡ଼ା ଅଧା ଛାତ ରହିଛି; ବିଜୁଳି ନାହିଁ କି ପ୍ଲାଟଫର୍ମ ନାହିଁ। ସମ୍ବଲପୁର ସିଟି ଷ୍ଟେସନ ରେକ୍ ପଏଣ୍ଟ ଅଧା ଖୋଲା ଏବଂ ରାସ୍ତା ଅବସ୍ଥା ଶୋଚନୀୟ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର, ରାଉରକେଲା, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେରେ ଛାତ ନାହିଁ, ରାସ୍ତା ଅବସ୍ଥା ଶୋଚନୀୟ ଏବଂ ପର୍ଯ୍ୟାପ୍ତ ବିଜୁଳି ନାହିଁ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପଏଣ୍ଟରେ ଛାତ ଏବଂ ବିଜୁଳି ନାହିଁ। ରେକ୍‌ ପଏଣ୍ଟଗୁଡ଼ିକ ଏଭଳି ଅବସ୍ଥାରେ ଥିବାରୁ ସାରର ଲୋଡିଂ, ଅନ୍‌ଲୋଡିଂ ଗୁରୁତର ଭାବେ ପ୍ରଭାବିତ ହେଉଛି। ତେଣୁ ଏସବୁର ଭିତ୍ତିଭୂମିରେ ବିକାଶ ଏବେ ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe