ଅସ୍ୱାଭାବିକ ‘‌ମୌସୁମୀ’: କମ୍‌ ବର୍ଷିଲା, ବିଳମ୍ବରେ ଫେରିଲା

Advertisment
୭ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା

୫ ମାସରେ ବଙ୍ଗୋପସାଗରରେ ୧୩ ଲଘୁଚାପ
ଜଗତସିଂହପୁର, ପୁରୀ‌କୁ ବୁଡ଼ାଇଲା, ୬ ଜିଲ୍ଲାରେ ନିଅଣ୍ଟିଆ
ସେପ୍ଟେମ୍ବରରେ ଅତିପ୍ରବଳ, ଅଗଷ୍ଟରେ ଅତି ନିଅଣ୍ଟିଆ

ଭୁବନେଶ୍ୱର : ଆଜି (ଶନିବାର) ଓଡ଼ିଶାରୁ ବାହୁଡ଼ିଯିବ ମୌସୁମୀ। ସ୍ବା‌ଭାବିକ ଭାବେ ଅକ୍ଟୋବର ୧୫ରେ ମୌସୁମୀ ଓଡ଼ିଶାରୁ ବିଦାୟ ନେଇଥାଏ। କିନ୍ତୁ ଚଳିତବର୍ଷ ଠିକ୍‌ ସମୟରେ ଓଡ଼ିଶାକୁ ପ୍ରବେଶ କରିଥିଲେ ହେଁ ଫେରିବାରେ ୭ଦିନ ବିଳମ୍ବ କରିଛି। ଚଳିତଥରର ମୌସୁମୀର ବ୍ୟବହାର ଟିକେ ବିଚିତ୍ର ଥିଲା। ଜୁଲାଇ ଓ ଅଗଷ୍ଟରେ ଭଲ ବର୍ଷା ହୋଇନଥିବା ବେଳେ ସେପ୍ଟେମ୍ବରର ବର୍ଷା ରେକର୍ଡ ସୃଷ୍ଟି କରିଥିଲା। ୧୯୪୫ମସିହାରୁ ୨୦୨୧ ମଧ୍ୟରେ ଚଳିତ ସେପ୍ଟେମ୍ବରରେ ହୋଇଥିବା ବର୍ଷା ହେଉଛି ୪ର୍ଥ ସର୍ବାଧିକ ବର୍ଷା। ଏହାବ୍ୟତୀତ ଜୁନ୍‌‌ରୁ ସେପ୍ଟେମ୍ବର ମଧ୍ୟରେ ସମୁଦାୟ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଅକ୍ଟୋବରରେ ମଧ୍ୟ ୨ଟି ଲଘୁଚାପ କାରଣରୁ ଅକ୍ଟୋବର ତୃତୀୟ ସପ୍ତାହ ବର୍ଷାରେ ଭିଜିଥିଲା। କେବଳ ଅକ୍ଟୋବର ୧୪ରୁ ୨୦ ମଧ୍ୟରେ ରାଜ୍ୟରେ ୪୭.୧ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକଠାରୁ ଖୁବ୍‌ ଅଧିକ। ତଥାପି ‌ଅକ୍ଟୋବରର ବର୍ଷାର ପରିମାଣ ନିଅଣ୍ଟିଆ ସ୍ଥିତିରେ ରହିଛି। ଅକ୍ଟୋବରରେ ସ୍ବାଭାବିକ ଭାବେ ୧୦୦.୨ମିମି ବର୍ଷା ହୋଇଥାଏ। ବର୍ତ୍ତମାନ ସୁଦ୍ଧା ‌ରାଜ୍ୟରେ କେବଳ ଅକ୍ଟୋବରରେ ୭୬.୫ମିମି ବର୍ଷା ରେକର୍ଡ ହୋଇଛି। ଆସନ୍ତା‌ ୮ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ନଥିବାରୁ ନିଅଣ୍ଟିଆ ବର୍ଷାରେ ଅକ୍ଟୋବର ସରିବ ବୋଲି ଅନୁମାନ କରାଯାଉଛି।

publive-image Vanguard News

ଅନ୍ୟପଟେ ଚଳିତ ମୌସୁମୀରେ ପୁରୀ ଓ ଜଗତସିଂହପୁରରେ ସ୍ବାଭାବିକଠାରୁ ଖୁବ୍‌ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏଥିସହ ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା, ସମ୍ବଲପୁର ଓ ଯାଜପୁର ଆଦି ୬ ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଥିଲା। ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ବାଭାବିକ ବର୍ଷା ‌ରେକର୍ଡ ହୋଇଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟ‌ରେ ୧୧୪୬ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୯% କମ୍‌ ହୋଇଥିଲେ ବି ସ୍ବାଭାବିକ ପରିସରଭୁକ୍ତ ବୋଲି କୁହାଯାଇପାରେ। କିନ୍ତୁ ମାସ ଅନୁଯାୟୀ ସମୀକ୍ଷା କଲେ, କେବଳ ସେପ୍ଟେମ୍ବର ଛଡ଼ା ବାକି ୩ ମୌସୁମୀ ମାସରେ ବର୍ଷା ସ୍ବାଭାବିକଠାରୁ କମ୍‌ ରହିଛି। ଜୁନ୍‌ରେ ୩%, ଜୁଲାଇରେ ୧୯% ଓ ଅଗଷ୍ଟରେ ୨୯% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଅକ୍ଟୋବରରେ ବର୍ତ୍ତମାନ ସୁଦ୍ଧା ୧୧% ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ କେବଳ ସେ‌ପ୍ଟେମ୍ବରରେ ରାଜ୍ୟରେ ସ୍ବାଭାବିକଠାରୁ ୭୦% ଅଧିକ ବର୍ଷା ରେକର୍ଡ ହୋଇଛି।

ମୌସୁମୀ (ଜୁନ୍‌ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ) ସମୁଦାୟ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସେଥିମଧ୍ୟରେ ସେପ୍ଟେମ୍ବରରେ କେବଳ ୫ଟି ଲଘୁଚାପ ବର୍ଷା ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ବାତ୍ୟା, ଗୋଟିଏ ଗଭୀର ଅବପାତ, ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ ଓ ୨ଟି ଲଘୁଚାପ ବର୍ଷା। ସେପ୍ଟେମ୍ବର ୧୨ରୁ ୧୪ ଓଡ଼ିଶାରେ ସର୍ବାଧିକ ୧୫୫.୬ ମିମି ବର୍ଷା ହୋଇଛି। ସ୍ବାଭାବିକ ଭାବେ ସେପ୍ଟେମ୍ବରରେ ସମୁଦାୟ ୨୨୬.୬ମିମି ବର୍ଷା ହୋଇଥାଏ। ଅର୍ଥାତ ସେପ୍ଟେମ୍ବର ମାସର ସମୁଦାୟ ବର୍ଷାର କେବଳ ୭୦% ବର୍ଷା ଏହି ୩ ଦିନରେ ହୋଇଥିଲା।

publive-image Onmanorama

ମୌସୁମୀର ଏଭଳି ବିଚିତ୍ର ପ୍ରଭାବ ପରେ ଚଳିତଥର ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ମଧ୍ୟ ଅସ୍ବାଭାବିକତା ଦେଖାଯାଇଛି। ସ୍ବାଭାବିକ ଭାବେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ସେପ୍ଟେମ୍ବର ୧ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥାଏ। ଏହାର ୪୫ଦିନ ପରେ ଅର୍ଥାତ ଅକ୍ଟୋବର ୧୫ରୁ ଓଡ଼ିଶାରୁ ମୌସୁମୀ ଫେରିବା ଆରମ୍ଭ କରେ। କିନ୍ତୁ ଚଳିତବର୍ଷ ୩୬ ଦିନ ବିଳମ୍ବରେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାକୁ ହିସାବକୁ ନେଲେ ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶାରୁ ମୌସୁମୀ ଫେରିବାର ଥିଲା। କିନ୍ତୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ତ୍ବରିତ ବେଗରେ ସରିଥିବା ବେଳେ ମାତ୍ର ୨୦ଦିନରେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe