ଉପାସନା କହିଲେ ମନର କଥା: ବାପାଙ୍କ ରାସ୍ତାରେ ଯିବେ, ବିବାହ ପରେ ରାଜନୀତି ମଇଦାନକୁ ଓହ୍ଲାଇବେ ପୂରା ଦମରେ…

ବିଶେଷ ରିପୋର୍ଟ/ ବୌଦ୍ଧାୟନ ଆଚାର୍ଯ୍ୟ

ଉପାସନା କହିଲେ ମନର କଥା: ବାପାଙ୍କ ରାସ୍ତାରେ ଯିବେ, ବିବାହ ପରେ ରାଜନୀତି ମଇଦାନକୁ ଓହ୍ଲାଇବେ ପୂରା ଦମରେ…

ଆଖିରେ ଅସରନ୍ତି ସ୍ୱପ୍ନ, ଆଗକୁ ବିବାହ ବନ୍ଧନରେ ବାନ୍ଧି ହୋଇ ନୂଆ ଜୀବନ ଗଢ଼ିବାର ଆହ୍ବାନ। କିନ୍ତୁ ଏସବୁ ଭିତରେ ସଦା ମନେପଡ଼ନ୍ତି ନିଜର ପ୍ରିୟ ମଣିଷ- ବାବା ଲୁଲୁ ମହାପାତ୍ର | ଜୀବନ ସ୍ମୃତିର ପ୍ରତିଟି ପୃଷ୍ଠାରେ ବାପାଙ୍କ ଉପସ୍ଥିତିକୁ ଅନୁଭବ କରନ୍ତି ସେ। ପାଟମୁଦି ସରିଛି, ଆସନ୍ତା ଏପ୍ରିଲ-୨୦୨୦ରେ ଶୁଭ୍ରାଂଶୁ ଶେଖର ବିଶ୍ୱାଳଙ୍କ ସହଧର୍ମିଣୀ ସାଜିବେ ଉପାସନା ମହାପାତ୍ର | ପଢନ୍ତୁ, ଅତୀତ-ବର୍ତ୍ତମାନ-ଭବିଷ୍ୟତକୁ ଅହରହ ଅଙ୍କ କଷୁଥିବା ଏହି ଝିଅର ସତ କାହାଣୀ।

ଉପାସନା ମହାପାତ୍ର, ଓଡ଼ିଶା ରାଜନୀତିର ଜଣେ ଆଗଧାଡ଼ିର ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁ ମହାପାତ୍ରଙ୍କ କନ୍ୟା ଢ଼େର ଦିନରୁ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ହେବେ ଲୁଲୁଙ୍କ ରାଜନୈତିକ ଉତ୍ତରାଧିକାରୀ, ଏହି ଚର୍ଚ୍ଚା ତାଙ୍କୁ ଆଣିଥିଲା ଲୋକଲୋଚନକୁ। ବାପାଙ୍କ ବିୟୋଗ ପରେ ଏହା ସ୍ପଷ୍ଟ ହେଲା। ସକ୍ରିୟ ରାଜନୀତିକୁ ଓହ୍ଲାଇଲେ ଉପାସନା। କିନ୍ତୁ ନିର୍ବାଚନୀ ମଇଦାନରେ ସେ ଅବତୀର୍ଣ୍ଣ ହୋଇ ନଥିଲେ, କାରଣ ପ୍ରାର୍ଥୀତ୍ବ ଲାଗି ବୟସ ହୋଇ ନଥିଲା।

publive-image

ଏବେ ସେ ବ୍ରହ୍ମଗିରି ସହ ବିଜେପି ରାଜନୀତିର ଜଣେ ଉଦୀୟମାନ ଚେହେରା | ବାପା ଲୁଲୁ ମହାପାତ୍ରଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ରାସ୍ତାରେ ଚାଲୁଥିବା ଝିଅ ଉପାସନା | ବେସାଲିସ ରାଜନୀତିକୁ ପସନ୍ଦ କରିବା ସହ ନିଜ ବାପାଙ୍କୁ ଭଲ ପାଉଥିବା ସମର୍ଥକଙ୍କୁ ନିଜର ଭାବି ବଞ୍ଚୁଥିବା ଉପାସନାଙ୍କର ପାଟମୁଦି କାର୍ଯ୍ୟକ୍ରମ ସରିଛି | ଓଡ଼ିଆ ରାଜପୁତମାନଙ୍କର ନିର୍ବନ୍ଧକୁ ପାଟମୁଦି କୁହାଯାଉଥିବା ବେଳେ ଏହି ଅନୁଷ୍ଠାନରେ ଉଭୟ ବର ଓ କନ୍ୟା ପରସ୍ପରକୁ ମୁଦି ପିନ୍ଧାଇ ବିବାହ ପର୍ବର ଆରମ୍ଭ କରିଥାନ୍ତି | ଏବେ ସେ ପ୍ରସ୍ତୁତ ହେଉଛନ୍ତି ନୂଆ ଜୀବନ ଆରମ୍ଭ କରିବାକୁ।

publive-image

ଜୀବନସାଥୀ କିଭଳି ପ୍ରଶ୍ନର ଉତ୍ତରରେ ଉପାସନା କହନ୍ତି, ସ୍ୱାମୀ ଓ ଶାଶୁଘରକୁ ନେଇ ସେ ବେଶ ଉତ୍ସାହିତ | ଶାଶୁଘର ଅନୁଗୁଳ ଓ ବାପଘର ବ୍ରହ୍ମଗିରି ମଧ୍ୟରେ ନୂଆ ସମ୍ପର୍କ ତଥା ସଂସ୍କୃତିର ଆଦାନପ୍ରଦାନ ପାଇଁ ସେ ଆଶାବାଦୀ ଅଛନ୍ତି | ସେହିପରି ବୟସ ହୋଇ ନ ଥିବାରୁ ନିର୍ବାଚନୀ ରାଜନୀତିକୁ ଆସିପାରିନଥିବା ଉପାସନା ବିବାହ ପୂରା ଦମରେ ରାଜନୀତିକୁ ଆସିବେ | ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ଏ ଦିଗରେ ପାଦରେ ପାଦ ମିଳାଇ ତାଙ୍କୁ ସହଯୋଗ କରିବେ ବୋଲି ଉପାସନା କହିଛନ୍ତି | ୨୦୧୯ ନିର୍ବାଚନରେ ନିଜ ଦାଦା ଲଳିତେନ୍ଦୁ ମହାପାତ୍ରଙ୍କ ପାଇଁ ସେ ପ୍ରଚାରରେ ଭାଗ ନେଇଥିଲେ | ଘରକୁ ଘର ବୁଲି ନିଜ ଦାଦାଙ୍କ ପାଇଁ ସମର୍ଥନ ମାଗିଥିଲେ |

publive-image

‘ବାବା ସବୁବେଳେ ମୋ ସହ ଅଛନ୍ତି, ଯେତିକି ଶୁଭେଛୁ ଅଛନ୍ତି ସେମାନଙ୍କ ଭିତରେ ମୁଁ ବାବାଙ୍କୁ ଦେଖେ | ବାବାଙ୍କ ସ୍ୱପ୍ନ ଥିଲା ମୋ ବାହାଘର ଦେଖିବେ! ଖୁବ୍ ମନେପଡନ୍ତି ବାବା, ତାଙ୍କ ସ୍ମୃତିକୁ ନେଇ ମୁଁ ଚାଲିଛି | କିନ୍ତୁ କଷ୍ଟ ହୁଏ ମୋ ଭାବି ସ୍ୱାମୀ ତାଙ୍କୁ ଦେଖିପାରିଲେନି’, ଲୁଲୁଙ୍କ ସ୍ମୃତିଚାରଣ କରନ୍ତି ଉପାସନା।

ଗତ ମାସରେ ଉପାସନାଙ୍କ ପାଟମୁଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ରାଜ୍ୟର ସବୁ ଦଳର ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ସମ୍ପର୍କୀୟ ଓ ହିତାକାଂକ୍ଷୀ ଯୋଗ ଦେଇଥିଲେ | ଲୁଲୁଙ୍କୁ ଭଲପାଉଥିବା ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ଉପାସନାଙ୍କ ସଫଳ ଦାମ୍ପତ୍ୟ ଜୀବନ ପାଇଁ ଆଶୀର୍ବାଦ ଅଜାଡ଼ି ଦେଇଥିଲେ |

ଏମିତି ଥିଲା ଲୁଲୁଙ୍କ ରାଜନୈତିକ ଜୀବନ…

ଫେବ୍ରୁଆରି ୧୪, ୧୯୬୪ରେ ଜନ୍ମଗ୍ରହଣ କରିଥିବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ୧୯୮୩ ମସିହାରେ ସେ ଛାତ୍ର କଂଗ୍ରେସରେ ସଭାପତି ଓ ୧୯୮୭ରେ ଯୁବ କଂଗ୍ରେସ ସଭାପତି ହୋଇଥିଲେ । ଛାତ୍ର କଂଗ୍ରେସ ନେତୃତ୍ୱ ସମୟରୁ ହିଁ ତାଙ୍କ ରାଜନୈତିକ ସାଙ୍ଗଠନିକ ଦକ୍ଷତାର ପରିପ୍ରକାଶ ହୋଇଥିଲା । ୧୯୮୫ରେ ସେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟ ହୋଇଥିଲେ । ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଲଗାତାର ୩ ଥର ସେ ବ୍ରହ୍ମଗିରି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିଲେ ।

publive-image

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ପ୍ରଦେଶ କଂଗ୍ରେସର ଉପସଭାପତି ଥିଲେ । ଛାତ୍ର କଂଗ୍ରେସ ନେତୃତ୍ୱ ଠାରୁ ଆରମ୍ଭ କରି ଜୀବନର ଶେଷ ପର୍ଯ୍ୟନ୍ତ ସେ କଂଗ୍ରେସ ପାଇଁ ଗୁରୁଦାୟିତ୍ୱ ସଂପାଦନ କରୁଥିଲେ । କେବଳ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ନୁହେଁ, ସମଗ୍ର ରାଜ୍ୟରେ ଛାତ୍ର ଓ ଯୁବନେତାମାନଙ୍କୁ ଆଗକୁ ଯିବା ପାଇଁ ଉତ୍ସାହିତ କରୁଥିଲେ । ଦୀର୍ଘବର୍ଷ ଧରି ସେ ବିରୋଧୀ ଦଳରେ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଥିଲା । ଯେତେବେଳେ କଂଗ୍ରେସର ସଂକଟ ପଡୁଥିଲା, ସେତେବେଳେ ଲୁଲୁ ମହାପାତ୍ର ଆଗକୁ ଆସି ଦଳକୁ ପୁଣିଥରେ ସକ୍ରିୟ କରିବା ଦିଗରେ ସମସ୍ତଙ୍କୁ ଏକାଠି କରୁଥିଲେ । ନଭେମ୍ବର ୬, ୨୦୧୬ ମସିହାରେ ଲୁଲୁଙ୍କର ପରଲୋକ ଘଟିଥିଲା | ପରେ ବ୍ରହ୍ମଗିରିସ୍ଥିତ ଗଡରୋଡଙ୍ଗ ଗାଁରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe