କଟକ: ଅଦାଲତ ଅବମାନନା ମାମଲାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ ହାଇକୋର୍ଟରେ ସତ୍ୟପାଠ କରି ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି ବୋଲି ଦର୍ଶାଇବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇ ଆବେଦନକାରୀଙ୍କ ଚାକିରି ନିୟମିତ ପ୍ରସଂଗରେ ନଗର ଉନ୍ନୟନ ବିଭାଗ ଆଠଗଡ଼ ‌ସ୍ପେସାଲ୍‌ ପ୍ଲାନିଂ କର୍ତ୍ତୃପକ୍ଷ (ଏସପିଏ)ଙ୍କୁ ଗତ ଜାନୁଆରି ୨୨ରେ ଲେଖିଥିବା ଚିଠିର କପି ସତ୍ୟପାଠ ସହିତ ସଂଲଗ୍ନ କରାଯାଇଥିଲା। ସତ୍ୟପାଠରେ ରହିଥିବା ତଥ୍ୟକୁ ବିଚାରକୁ ନେଇ ହାଇକୋର୍ଟ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ଜ‌ଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପି‌ଲୋନା ମହାନ୍ତିଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Advertisment

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୫, ଜୁଲାଇ ୧୦ର ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ଦର୍ଶାଇ ଦାୟର ଅଦାଲତ ଅବମାନନା ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ମାମଲାର ପ୍ରତିପକ୍ଷ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ, ଟାଉନ୍‌ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ତଥା ଆଠଗଡ଼ ଏସପିଏ ଅଧ୍ୟକ୍ଷ ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଜାନୁଆରି ୩୦ର ଶୁଣାଣି ସମୟରେ ହାଜିରା ସୁନିଶ୍ଚିତ କରିବା ପାଇଁ ପୁଲିସ କମିସନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। 

Mohan Charan Majhi: ଗଂଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେଲେ ରାଜ୍ୟ ସରକାର

ମାମଲାର ବିବରଣୀ ଅନୁସାରେ, ୩୩ ବର୍ଷରୁ ଅଧିକ ସମୟ ଧରି ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରିଥିବା ଆବେଦନକାରୀଙ୍କ ଚାକିରି ନିୟମିତ କରିବା ସପକ୍ଷରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୪, ଜୁନ ୨୫ରେ ରାୟ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ସରକାର ଦୁଇଜଣିଆ ଖଣ୍ଡପୀଠରେ ଦାୟର କରିଥିବା ରିଟ୍‌ ଅପିଲ ୨୦୨୫, ଜୁଲାଇ ୧୦ରେ ହାଇକୋର୍ଟ ଖାରଜ କରିବା ସହିତ ପୂର୍ବ ରାୟ ୮ ସପ୍ତାହ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ।ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ ଓ ଆଠଗଡ଼ ଏସପିଏ ତରଫରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଥିଲେ।